ମାଧୁରୀ ଦୀକ୍ଷିତଙ୍କ ଠାରୁ ଆରମ୍ଭ କରି ଐଶ୍ୱର୍ଯ୍ୟା ରାୟଙ୍କ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀଙ୍କୁ ନୃତ୍ୟ ଶିକ୍ଷା ଦେଉଥିବା ଲୋକପ୍ରିୟ କୋରିୟୋଗ୍ରାଫର୍ ସରୋଜ୍ ଖାନଙ୍କର ହୃଦଘାତ କାରଣରୁ ନିଧନ ହୋଇଛି । ସେ ୭୧ ବର୍ଷୀୟ ଥିଲେ ଏବଂ କିଛିଦିନ ଧରି ରୋଗାକ୍ରାନ୍ତ ମଧ୍ୟ ଥିଲେ । ଶୁକ୍ରବାର ସକାଳ ୭ ସମୟରେ ସରୋଜ ଖାନଙ୍କୁ ସୁପୁର୍ଦେ-ଏ- ଖାକ କରାଯାଇଥିଲା । ସରୋଜ ଖାନଙ୍କୁ ତାଙ୍କର ସ୍ପଷ୍ଟଭାଷୀ ଶୈଳୀ ପାଇଁ ସମସ୍ତେ ଜାଣନ୍ତି । ଏହି କାରଣ ଥିଲା ଯେ, ସେ ଅନେକଥର ବିବାଦରେ ରହିଛନ୍ତି । ଥରେ ସେ ସଲମାନ୍ ଖାନଙ୍କୁ ମଧ୍ୟ ଦୃଢ଼ ଶୈଳୀରେ ଜବାବ୍ ଦେଇଥିଲେ ।

ବାସ୍ତବରେ ସରୋଜ ଖାନ୍ ଯେତେବେଳେ ୧୯୯୪ ରେ ରିଲିଜ ହୋଇଥିବା ଫିଲ୍ମ ‘ଅନ୍ଦାଜ ଅପନା ଅପନା’ର ଗୋଟିଏ ଗୀତ ‘ୟେ ଚାନ୍ଦ ଅର ୟେ ଦୂରୀ’ କୋରିୟୋଗ୍ରାଫ କରୁଥିଲେ, ସେତେବେଳେ ସଲମାନ୍ ଖାନ୍ ତାଙ୍କ ଉପରେ ବିରକ୍ତ ହୋଇଥିଲେ । ସଲମାନଙ୍କୁ ଶୁଟିଂ ସମୟରେ ଏପରି ଲାଗିଥିଲା ଯେ, ସରୋଜ ଖାନ୍ ଅମୀରଙ୍କୁ ତାଙ୍କ ଠାରୁ ଅଧିକ ଭଲ ଷ୍ଟେପ୍ ଦେଉଛନ୍ତି ।

ସଲମାନ୍ ଏହି କଥାରେ ରାଗିଯାଇଥିଲେ ଏବଂ ସରୋଜ ଖାନଙ୍କୁ ମନଇଚ୍ଛା ଶୁଣାଇ କହିଥିଲେ ଯେ, ଯେବେ ମୁଁ ସୁପରଷ୍ଟାର୍ ହୋଇଯିବି ସେତେବେଳେ ତୁମ ସହିତ କେବେବି କାମ କରିବିନାହିଁ । ସରୋଜ ଖାନ୍ କିଛି ଦିନ ପୂର୍ବରୁ ଏକ ଇଣ୍ଟରଭିଉରେ ଏହି ବିଷୟ ସେୟାର କରିଥିଲେ ।

ସରୋଜ ଖାନ୍ କହିଥିଲେ ଯେ, ମୁଁ କେବଳ ଗୀତ ଅନୁସାରେ ସଲମାନଙ୍କୁ ଷ୍ଟେପ୍ ଶିଖାଉଥିଲି । ନିର୍ଦ୍ଦେଶକ ମୋତେ ଚରିତ୍ର ଗୁଡିକ ବିଷୟରେ ଯାହାସବୁ କହିଥିଲେ, ମୁଁ ସେହି ଅନୁସାରେ ସମସ୍ତଙ୍କୁ ଷ୍ଟେପ୍ ଶିଖାଉଥିଲି ।
ସରୋଜ ଖାନଙ୍କ ମୁତାବକ, ଯେତେବେଳେ ସଲମାନ୍ ଖାନ୍ ମୋତେ କହିଲେ ଯେ, ସେ ମୋ ସହିତ କେବେ କାମ କରିବେ ନାହିଁ ମୁଁ ତାଙ୍କୁ ଉତ୍ତର ଦେଇଥିଲି ଯେ, ଖାଦ୍ୟ ଭଗବାନ ଦିଅନ୍ତି । ଯଦି ମୋ ମଧ୍ୟରେ ସେତିକି ପ୍ରତିଭା ଏବଂ କ୍ଷମତା ଥିବା ତାହାଲେ ତୁମେ ନହେଲେ ବି ଆଉ କେହି ମୋ ସହିତ କାମ କରିବ ।

କ୍ୟାରିଅରର ଆରମ୍ଭରେ ଶାହରୁଖ୍ ଖାନ୍ ଯେତେବେଳେ ଅନେକ ଶିଫ୍ଟରେ କାମ କରି ଥକି ଯାଇଥିଲେ ସେ ସରୋଜ ଖାନଙ୍କୁ କହିଥିଲେ ଯେ, ଏତେ କାମ ରହିଛି ଯେ ମୁଁ ଥକି ଯାଉଛି । ସେତେବେଳେ ସରୋଜ ଖାନ୍ ତାଙ୍କୁ ଚାପୁଡ଼ା ଲଗାଇ କହିଥିଲେ ଯେ, କେବେବି ଏପରି କହିବ ନାହିଁ ଯେ ବହୁତ କାମ ରହିଛି । ଏହି ଫିଲ୍ଡରେ କେବେ ଅଧିକ କାମ ହୋଇନଥାଏ ।

କୋରିୟୋଗ୍ରାଫର୍ ଗଣେଶ ଆଚାର୍ଯ୍ୟ କିଛି ମାସ ପୂର୍ବରୁ ସରୋଜ ଖାନଙ୍କ ଉପରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ରର ଆରୋପ ଲଗାଇଥିଲେ । ଗଣେଶ ଏହିକଥା ସେତେବେଳେ କହିଥିଲେ, ଯେତେବେଳେ ଜଣେ ମହିଳା ତାଙ୍କ ଉପରେ କାମ ବଦଳରେ ଜବରଦସ୍ତି ଏଡଲ୍ଟ ଭିଡ଼ିଓ ଦେଖାଇବାର ଆରୋପ ଲଗାଇଥିଲେ । ମହିଳାଙ୍କ ଅଭିଯୋଗ ପରେ ଗଣେଶ ଆଚାର୍ଯ୍ୟ ସରୋଜ ଖାନଙ୍କ ଉପରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାର ଆରୋପ ଲଗାଇଥିଲେ ।

୨୦୦୦ରୁ ମଧ୍ୟ ଅଧିକ ଗୀତରେ କୋରିୟୋଗ୍ରାଫ କରିସାରିଥିବା ସରୋଜ ଖାନଙ୍କ ଜନ୍ମ ନଭେମ୍ବର ୨୨, ୧୯୪୮ ରେ ହୋଇଥିଲା । କିଶନଚନ୍ଦ ସନ୍ଧୁ ସିଂହ ଏବଂ ନୋନୀ ସନ୍ଧୁ ସିଂହଙ୍କ ଘରେ ଜନ୍ମ ହୋଇଥିବା ସରୋଜଙ୍କ ପ୍ରକୃତ ନାମ ନିର୍ମଳା ନାଗପାଳ ଅଟେ ।

ବିଭାଜନ ପରେ ସରୋଜଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଯାଇଥିଲେ । ପ୍ରାୟ ୩ବର୍ଷ ବୟସରେ ସେ ଶିଶୁକଳାକାର ଭାବେ ତାଙ୍କ କ୍ୟାରିଅରର ପ୍ରାରମ୍ଭ ଫିଲ୍ମ ‘ନଜରାନା’ରୁ କରିଥିଲେ । ସରୋଜ ଖାନ୍ ୧୩ବର୍ଷ ବୟସରେ ଇସଲାମ୍ ଧର୍ମ ଗ୍ରହଣ କରି ୪୩ ବର୍ଷୀୟ ଡାନ୍ସ ମାଷ୍ଟର୍ ବୀ ସୋହନଲାଲଙ୍କୁ ବିବାହ କରିଥିଲେ ।