ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସିବିଆଇ ବର୍ତ୍ତମାନ ଏହି ମାମଲାର ସାଇକୋଲୋଜିକାଲ ଅଟୋପ୍ସି କରିବାକୁ ଚାହୁଁଛି। ତେବେ ଏହି ଟେକ୍ନିକର ପ୍ରୟୋଗ ପୂର୍ବରୁ ଦୁଇଟି କ୍ଷେତ୍ରରେ ହୋଇସାରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ବୁରାରୀରେ ଗୋଟିଏ ପରିବାରର ୧୧ଜଣ ଆତ୍ମହତ୍ୟା ମାମଲା ଏବଂ ଅନ୍ୟଟି ସୁନନ୍ଦ ପୁଷ୍କର ମୃତ୍ୟୁ ମାମଲା ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଇକୋଲୋଜି ବା ମନସ୍ତତ୍ତ୍ୱବିଜ୍ଞାନ ବିଭାଗର ଡାକ୍ତର ଗୋପାଳ ଚନ୍ଦ୍ର ମହାକୁଡ଼ଙ୍କ କହିବା ଅନୁଯାୟୀ ଅନୁସନ୍ଧାନକାରୀ ସଂସ୍ଥା ଏହି ପ୍ରକ୍ରିୟାରେ ପୀଡିତଙ୍କ ନିକଟ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା କରି କିଛି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଥାନ୍ତି। ବିଗତ ଦିନରେ ପୀଡିତଙ୍କ ମାନସିକ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିଛି କି? ଗତ କିଛି ସପ୍ତାହରେ ପୀଡିତ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ କି? ଗତଦିନରେ ପୀଡିତଙ୍କ ମନରେ କ’ଣ ଚାଲିଥିଲା? ସେ ସେହି ସମୟରେ କୌଣସି ପ୍ରକାର ଟେନ୍ସନ ସହ ସଂଘର୍ଷ କରୁଥିଲେ କି? ଉକ୍ତ ପ୍ରକ୍ରିୟାରେ ଏହିପରି ପ୍ରଶ୍ନର ଉତ୍ତର ବିଚାରକୁ ନିଆଯାଏ। ଏହି ସମୟରେ ପ୍ରଶ୍ନର ଉତ୍ତର ଦେଉଥିବା ବ୍ୟକ୍ତିଙ୍କ ଅଙ୍ଗଭଙ୍ଗୀକୁ ଦୃଷ୍ଟି ଦିଆଯିବା ସହ ତଥ୍ୟର ଗଭୀରତା ଜାଣିବା ପାଇଁ କ୍ରସ୍ କୋଶ୍ଚେନ ମଧ୍ୟ କରାଯାଏ।

ଡା. ଗୋପାଳ ଚନ୍ଦ୍ର ମହାକୁଡ଼ଙ୍କ କହିବା ଅନୁସାରେ ଏହି ଟେକ୍ନିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଆତ୍ମହତ୍ୟା କରିବା ପାଇଁ ଜଣେ କିଭଳି ପରିସ୍ଥିତିରେ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକ୍ରିୟାରେ ପୀଡିତଙ୍କ ଡାକ୍ତରୀ ରିପୋର୍ଟ ଯଦି ଥାଏ ତାକୁ ଟିକନିକ ଅଧୟନ କରାଯାଏ। ଏଥିସହ ମୋବଇଲ କଲ, ମେସେଜ, ଡାଏରୀ ଏବଂ ଘରୋଇ ଜିନିଷ ପରୀକ୍ଷା ଉପରେ ଧ୍ୟାନ ଦିଆଯାଏ। ଏହି ସବୁ ତଥ୍ୟକୁ ପୀଡିତଙ୍କ ଡାକ୍ତରୀ ରିପୋର୍ଟ ସହ ମିଳାଇ ଅନୁସନ୍ଧାନକାରୀ ସଂସ୍ଥା ଏହି ସିଦ୍ଧାନ୍ତରେ ପହଞ୍ଚିଥାନ୍ତି କି ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛନ୍ତି କି ନାହିଁ। ସାଇକୋଲୋଜିକାଲ ଅଟୋପ୍ସି ପାଇଁ ବ୍ୟବହୃତ ଦ୍ୱିତୀୟ ପ୍ରକାର ଅନୁସନ୍ଧାନରେ ପ୍ରଶ୍ନ ଉତ୍ତର ହୋଇନଥାଏ। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅନେକ ପ୍ରକାର ତଦନ୍ତ କରାଯିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହି ପ୍ରକ୍ରିୟା ଦ୍ୱାରା ବୁରାରୀ ଘଟଣାର ୧୧ ଜଣଙ୍କ ଆତ୍ମହତ୍ୟା ପଛରେ ଥିବା ମାଷ୍ଟର ମାଇଣ୍ଡ ଲଳିତ ଧରାପଡ଼ିଥିଲା। ଏହା ମାଧ୍ୟମରେରେ ଲଳିତର ମାନସିକ ସ୍ଥିତିର ଯାଞ୍ଚ ମଧ୍ୟ କରାଯାଇଥିଲା। ୩୦ ଜୁନ ୨୦୧୮ରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ସେହିଭଳି ୨୦୧୦ରେ ସୁନନ୍ଦା ପୁଷ୍କର କଂଗ୍ରେସ ନେତା ଶଶି ଥରୁରଙ୍କୁ ବିବାହ କରିଥିଲେ। ଏହା ଉଭୟଙ୍କ ତୃତୀୟ ବିବାହ ଥିଲା। ୧୭ ଜାନୁଆରୀ ୨୦୧୪ରେ ଦିଲ୍ଲୀର ଲୀଲା ପ୍ୟାଲେସ ହୋଟେଲରେ ସୁନନ୍ଦାଙ୍କ ମୃତଦେହ ମିଳିଥିଲା। ମୃତ୍ୟୁ ଖବର ଶଶି ପୋଲିସକୁ ଜଣାଇଥିଲେ। ପଚାରଉଚରା ପରେ ସୁନନ୍ଦାଙ୍କର ଏରିଥିମାଟୋସ ନାମକ ରୋଗ ଥିବା ଜଣାପଡିଥିଲା। ଏହି ମାମଲାର ସମାଧାନ ପାଇଁ ମଧ୍ୟ ସାଇକୋଲୋଜିକାଲ ଅଟୋପ୍ସି କରାଯାଇଥିଲା।