ପରିସ୍ରା ଜଳାପୋଡା ଏବଂ ଦୁର୍ଗନ୍ଧ ହୋଇପାରେ ‘UTI’ର ଲକ୍ଷଣ ! ଜାଣନ୍ତୁ ଏହି ରୋଗର କାରଣ ଏବଂ ଏହାର ନିରାକରଣ…

ପରିସ୍ରା ଜଳାପୋଡା ଏବଂ ଦୁର୍ଗନ୍ଧ ହୋଇପାରେ ‘UTI’ର ଲକ୍ଷଣ ! ଜାଣନ୍ତୁ ଏହି ରୋଗର କାରଣ ଏବଂ ଏହାର ନିରାକରଣ…

ପ୍ରାୟତଃ ସମସ୍ତ ମହିଳାଙ୍କୁ ‘UTI’ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ‘UTI’ ସମସ୍ୟା ହେଲେ ପରିସ୍ରା କରିବାରେ ଅସୁବିଧା ଅନୁଭବ ହୁଏ । ଯଦି ପରିସ୍ରା କରିବା ସମୟରେ ଆପଣଙ୍କର ପରିସ୍ରା ଦ୍ୱାର ଜଳାପୋଡା ହେଉଥାଏ କିମ୍ବା ପରିସ୍ରା ଅତ୍ୟଧିକ ଦୁର୍ଗନ୍ଧ ହେଉଥାଏ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ଏହା ‘UTI’ ରୋଗ ହୋଇପାରେ । ‘UTI’ ରୋଗ ଯୋଗୁ ଅନେକ ଥର ଜ୍ୱର ମଧ୍ୟ ଆସିଥାଏ । ମହିଳା ଏବଂ ମଧୁମେହ ରୋଗୀଙ୍କୁ ‘UTI’ ହେବାର ସର୍ବାଧିକ ସମ୍ଭାବନା ରହିଥାଏ ।

ଡାକ୍ତରଙ୍କ କହିବା ଅନୁଯାୟୀ ଯଦି ଆପଣ ପରିସ୍ରା କରିବା ସମୟରେ କୌଣସି ପ୍ରକାରର ଅସୁବିଧା ଅନୁଭବ କରୁଛନ୍ତି ତେବେ ଏହାକୁ ଗମ୍ଭୀରତାର ସହ ନିଅନ୍ତୁ । ପରିସ୍ରା କରିବା ସମୟରେ ଯଦି ଆପଣ ପରିସ୍ରା ଦ୍ୱାରରେ ଜ୍ବଳନ ଅନୁଭବ କରୁଛନ୍ତି କିମ୍ବା ଆପଣଙ୍କ ପରିସ୍ରାରୁ ବିକୃତ ଗନ୍ଧ ବାହାରୁଛି ତେବେ ହୁଏତ ଆପଣ ସଂକ୍ରମଣର ଶିକାର ହୋଇସାରିଛନ୍ତି । ଏପରି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ସମସ୍ତ ପ୍ରକାରର ପରୀକ୍ଷା କରିନିଅନ୍ତୁ ।

ଡାକ୍ତରଙ୍କ କହିବାନୁସାରେ ଠିକ୍ ସମୟ ଚିକିତ୍ସା କରି ‘UTI’କୁ ସହଜରେ ଭଲ କରାଯାଇପାରିବ । କିନ୍ତୁ ଚିକିତ୍ସାରେ ବିଳମ୍ବ କଲେ ଏହି ରୋଗ ସାଂଘାତିକ ହୋଇଯାଏ ଏବଂ ସଂକ୍ରମଣ କିଡନୀରେ ପହଞ୍ଚି କିଡନୀର କ୍ଷତି ଘଟାଇଥାଏ ।

ମୂତ୍ରନଳୀ ସଂକ୍ରମଣର ଲକ୍ଷଣ

ମୂତ୍ରାଶୟ ସଂକ୍ରମଣ ବା ‘UTI’ର ସମସ୍ୟା ହେଲେ ନିମ୍ନଲିଖିତ ଲକ୍ଷଣ ଦେଖାଯାଏ । ଯଦି ଏହି ଲକ୍ଷଣଗୁଡିକ ଆପଣଙ୍କ ଠାରେ ଦେଖାଯାଉଛି ତେବେ ବୁଝିନିଅନ୍ତୁ ଯେ ଆପଣ ଏହି ରୋଗରେ ପୀଡିତ ଅଛନ୍ତି ଏବଂ ତୁରନ୍ତ ଏଥିପାଇଁ ଚିକିତ୍ସା କରନ୍ତୁ । ନିମ୍ନଲିଖିତ ଲକ୍ଷଣଗୁଡିକ ‘UTI’ର ଲକ୍ଷଣ ଅଟେ ।

୧) ପରିସ୍ରା କରିବା ସମୟରେ ଜଳାପୋଡା ହେବା ।

୨) ବାରମ୍ବାର ପରିସ୍ରା ଲାଗିବା ମାତ୍ର ଅଳ୍ପ ପରିମାଣର ପରିସ୍ରା ହେବା ।

୩) ପରିସ୍ରାରୁ ଅତ୍ୟଧିକ ଫେଣ ବାହାରିବା ।

୪) ପରିସ୍ରାର ରଙ୍ଗରେ ପରିବର୍ତ୍ତନ ।

୫) ମୂତ୍ରରୁ ଅସ୍ୱାଭାବିକ ଦୁର୍ଗନ୍ଧ ।

୬) ମହିଳାମାନଙ୍କ ପେଲଭିକରେ ଯନ୍ତ୍ରଣା ହେବା ।

୭) ବାରମ୍ବାର ଜ୍ୱର ଆସିବା ଏବଂ ଶରୀରରେ ଯନ୍ତ୍ରଣା ହେବା ।

ଏହି ସମସ୍ୟାର କାରଣ

ମୂତ୍ରନଳୀ ସଂକ୍ରମଣର ମୁଖ୍ୟ କାରଣ ହେଉଛି ମୂତ୍ରନଳୀରେ ଜୀବାଣୁଙ୍କର ପ୍ରବେଶ । ବେଳେବେଳେ ଅପରିଷ୍କାର ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଜୀବାଣୁ ମୂତ୍ରନଳୀରେ ପ୍ରବେଶ କରନ୍ତି ଯାହାଦ୍ଵାରା ଏହି ସମସ୍ୟା ଦେଖାଯାଏ । ବ୍ଲାଡରରେ ସଂକ୍ରମଣ ହେତୁ ମଧ୍ୟ ‘UTI’ ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଯୌନକ୍ରିୟାରେ ସକ୍ରିୟ ଥିବା ମହିଳାମାନଙ୍କୁ ‘UTI’ ହେବାର ଅଧିକ ସମ୍ଭାବନା ଥାଏ ।

ଗର୍ଭନିରୋଧକ ଔଷଧ ବ୍ୟବହାର କରୁଥିବା ମହିଳାମାନଙ୍କଠାରେ ଏହି ପ୍ରକାର ସମସ୍ୟା ଅଧିକ ଦେଖାଯାଏ ତେଣୁ ଯେଉଁ ମହିଳାମାନେ ଗର୍ଭନିରୋଧକ ବ୍ୟବହାର କରନ୍ତି ସେମାନେ ମଧ୍ୟ ଏହି ସଂକ୍ରମଣ ପ୍ରତି ସଚେତନ ରହିବା ଉଚିତ୍ ଏବଂ ପରିସ୍ରା କରିବା ସମୟରେ ଯଦି ଜ୍ୱଳନ ଅନୁଭବ ହୁଏ ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ।

କଣ ରହିଛି ଏହାର ଚିକିତ୍ସା ?

ଆଣ୍ଟିବାୟୋଟିକକୁ ‘UTI’ ପାଇଁ ପ୍ରାଥମିକ ଚିକିତ୍ସା ଭାବରେ ବ୍ୟବହାର କରାଯାଏ । ଏହି ଔଷଧ ଖାଇବା ଦ୍ୱାରା ଆରାମ ମିଳିଥାଏ । ଚିକିତ୍ସା ଆରମ୍ଭ ହେବାର ଖୁବ୍ କମ୍ ଦିନ ମଧ୍ୟରେ ‘UTI’ ଭଲ ହୋଇଯାଏ । ‘UTI’ ଚିକିତ୍ସା ବେଳେ କଫି, ମଦ ଏବଂ କ୍ୟାଫିନେଡଯୁକ୍ତ ପାନୀୟ ଠାରୁ ଦୂରେଇ ରୁହନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ ।

କିପରି ରଖିବେ ନିଜର ଧ୍ୟାନ

ଏହି ରୋଗରୁ ରକ୍ଷା ପାଇବା ପାଇଁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ମହିଳାମାନେ କଦାପି ମଇଳା ଶୌଚାଳୟ ବ୍ୟବହାର କରିବା ଉଚିତ୍ ନୁହେଁ । ସର୍ବସାଧାରଣ ଶୌଚାଳୟ ବ୍ୟବହାର କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଏହା ପରିଷ୍କାର ଅଟେ । ସର୍ବସାଧାରଣ ଶୌଚାଳୟ ବ୍ୟବହାର କରିବା ସମୟରେ ଏହାର ସିଟକୁ ଭଲ ଭାବରେ ସଫା କରି ବ୍ୟବହାର କରନ୍ତୁ ।

Leave a Reply

Your email address will not be published. Required fields are marked *