Breaking News ଅନ୍‌ଲକ-୫.୦: ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର ! କଠୋର ହେଲା କଟକଣା….

ଭୁବନେଶ୍ୱର,୧/୧୦: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଗୁରୁବାର ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅନ୍‌ଲକ-୫.୦ରେ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମଠ, ମନ୍ଦିର, ସିନେମା ହଲ୍, ସ୍କୁଲ-କଲେଜ ଓ ଜିମ୍ ବନ୍ଦ ରହିବ । ହେଲେ ଉପନିର୍ବାଚନ ଥିବାରୁ କୋଭିଡ୍ ଗାଇଡଲାଇନ୍ ପାଳନ କରି ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୦୦ଜଣ ଲୋକ ଏକଜୁଟ ହେବା ନିମନ୍ତେ ଅନୁମତି ମିଳିବ ।

Google

ସୂଚନା ଅନୁଯାୟୀ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଗୁରୁବାର ଅକ୍ଟୋବର ପହିଲାରୁ ୩୧ ତାରିଖ ପର୍ଯ୍ୟନ୍ତ କରୋନା ଗାଇଡଲାଇନ ଜାରି କରିଛନ୍ତି । ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ଅଧିକ ସଂଖ୍ୟକ ଲୋକଙ୍କ ସମାବେଶ ଉପରେ କଟକଣା ଜାରି କରିଛନ୍ତି । ସିନେମା ହଲ୍, ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କମ୍ପ୍ଲେକ୍ସ, ଥିଏଟର, ଅଡିଟୋରିୟମ ଆଦିରେ ହେଉଥିବା କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଥିଲେ ମଧ୍ୟ ଅକ୍ଟୋବର ୧୫ତାରିଖ ପରେ ରାଜ୍ୟ କ୍ରୀଡ଼ା ବିଭାଗ ଅନ୍ତର୍ଗତ ସୁଇମିଂ ପୁଲଗୁଡ଼ିକ କେନ୍ଦ୍ର ସରକାରଙ୍କ ଏସପିଓ ଅନୁସାରେ ଖୋଲିବ ।

ଅନ୍ୟପକ୍ଷରେ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଲାଗୁ କରିବା ନିମନ୍ତେ ଅନୁମତି ମିଳିବ ନାହିଁ । ତେବେ ସମ୍ପୃକ୍ତ ଜିଲ୍ଲାପାଳ ଅବା ମହାନଗର ପ୍ରଶାସକ ସେହି ସୂଚନାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ପରାମର୍ଶ କରି ଏହା କରିପାରିବେ । କଣ୍ଟେନମେଣ୍ଟ ଜୋନରେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାରର ଲକଡାଉନକୁ ଅନୁମତି ମିଳିବ ନାହିଁ । ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଅଙ୍ଗନବାଡ଼ି ଆଦି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅନଲାଇନ୍ ପାଠପଢ଼ା ଓ ଟେଲି କାଉନସେଲିଂ ଆଦି କାର୍ଯ୍ୟ ହୋଇପାରିବ । ପରୀକ୍ଷା ପରିଚାଳନା, ଖାତା ଦେଖା ଓ ଅନ୍ୟ ପ୍ରଶାସନିକ ଗତିବିଧି ହୋଇପାରିବ ।

ସେହିପରି ବିବାହ ସଂକ୍ରାନ୍ତ ଭୋଜିରେ ୫୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ୨୦ଜଣରୁ ଅଧିକ ଲୋକ ଏକଜୁଟ ହୋଇପାରିବେ ନାହିଁ । ସର୍ବସାଧାରଣ ସ୍ଥଳରେ ଛେପ ପକାଇବା ଦଣ୍ଡନୀୟ ହେବ । ମଦ, ଗୁଟଖା, ପାନ ଆଦି ସର୍ବସାଧାରଣ ସ୍ଥଳରେ ଖାଇବା ଉପରେ କଟକଣା ରହିବ । ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭ ଆସନରେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇଟି ସ୍ଥାନରେ ସର୍ବାଧିକ ୧୦୦ଲୋକଙ୍କୁ ଏକଜୁଟ ହେବା ନିମନ୍ତେ ଅନୁମତି ଦିଆଯାଇଛି । ଏଥିପାଇଁ ସମସ୍ତଙ୍କୁ ମାସ୍କ, ସାମାଜିକ ଦୂରତ୍ୱ ସହ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରିବା ବାଧ୍ୟତାମୂଳକ ହେବ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ରାଜନୈତିକ କାର୍ଯ୍ୟକ୍ରମ ନିମନ୍ତେ ଏହି ଲୋକଙ୍କ ଏକଜୁଟ ପାଇଁ ଅନୁମତି ଦେବେ । ଅଫିସ ହେଉ ଅବା ସର୍ବସାଧାରଣସ୍ଥଳୀ ବା ଯାନବାହନରେ ଯିବାବେଳେ ମାସ୍କ ପିନ୍ଧିବା ଜରୁରୀ ହେବ। ସର୍ବସାଧାରଣ ସ୍ଥଳରେ ୬ଫୁଟର ସାମାଜିକ ଦୂରତ୍ୱ ନିୟମ ଅନୁପାଳନ କରାଯିବ । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ । ନିୟମ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେଲୁନ, ସ୍ପା, ବ୍ୟୁଟି ପାର୍ଲର ଓ ଚୁଟିକଟା ଦୋକାନଗୁଡ଼ିକ ସମସ୍ତ ପ୍ରକାରର ନିରାପତ୍ତା ଅବଲମ୍ବନ କରିବେ । ପ୍ରତ୍ୟେକ ଗ୍ରାହକଙ୍କୁ ସେବା ଯୋଗାଇବା ପରେ ସାନିଟାଇଜ୍ କରିବେ । ଏହାର ଖିଲାପ କଲେ ଦୋକାନ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ । ଏହାବ୍ୟତୀତ ରାଜ୍ୟ ଭିତରେ ଯିବାଆସିବା ପାଇଁ କୌଣସି ପ୍ରକାରର ଅନୁମତି ଆବଶ୍ୟକ ପଡ଼ିବ ନାହିଁ । ତେବେ ଟ୍ରେନ ଓ ଘରୋଇ ବିମାନ ଯାତ୍ରାବେଳେ ଯାତ୍ରୀଙ୍କୁ ଆବଶ୍ୟକ ଗାଇଡଲାଇନ୍ ପାଳନ କରିବାକୁ ହେବ । ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ୬୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି, ୧୦ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ଓ ନାନା ରୋଗରେ ପୀଡ଼ିତ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

Be the first to comment

Leave a Reply

Your email address will not be published.


*