ଅନଲକ୍-୫.୦: ଗାଇଡ୍‌ଲାଇନ୍ ଜାରି; ଖୋଲା ରହିବ ଏସବୁ ଓ ଏସବୁ ବନ୍ଦ ରହିବ !

ନୂଆଦିଲ୍ଲୀ,୩୦/୯: ଶେଷ ହୋଇଛି ଅନଲକ୍‌-୪.୦ । ଅନଲକ୍‌-୫.୦ ପାଇଁ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ୍ ଜାରି କରଯାଇଛି । ଏହି ଗାଇଡଲାଇନ୍ ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଗାଇଡଲାଇନରେ ସରକାର ଆଉ କେତେକ କଟକଣାକୁ କୋହଳ କରିଛନ୍ତି । ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ଅନୁଯାୟୀ ଅନଲକ୍-୫.୦ରେ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ୫୦ ପ୍ରତିଶତ ସିଟ୍‌ ସୁବିଧା ସହ ଖୋଲିବ । କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଆସୁଥିବା ସିନେମା ହଲଗୁଡ଼ିକ ବନ୍ଦ ରହିବ ।

Google

ସେହିପରି ବାଣିଜ୍ୟିକ ପ୍ରଦର୍ଶନୀ ଆୟୋଜନକୁ ଅନୁମତି ଦିଆଯାଇଛି । ଏଥିଲାଗି କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଏସଓପି ଜାରି କରିବ । କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ସୁଇମିଂ ପୁଲ ଖୋଲା ରହିବ । ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ । ମନୋରଞ୍ଜନ ପାର୍କଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏସଓପି ଜାରି କରିବ ।

ଅନ୍ୟପକ୍ଷରେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଅକ୍ଟୋବର ୧୫ ପରେ ରାଜ୍ୟ ସରକାରମାନଙ୍କୁ କ୍ଷମତା ଦିଆଯାଇଛି । ଏଥିପାଇଁ ଅଭିଭାବକଙ୍କ ସହମତି ଆବଶ୍ୟକ । ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ପୂର୍ବଭଳି ବ୍ୟାହତ ରହିଛି ।

ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । କେନ୍ଦ୍ର ସରକାର କଣ୍ଟେନମେଣ୍ଟ ଜୋନ୍‌ରେ ଜାରି ଲକ୍‌ଡାଉନ୍‌ ଅବଧିକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

lockdown coronavirus sign design vector

ଏଣିକି କଣ୍ଟେନମେଣ୍ଟ ଜୋନରେ ହେବାକୁ ଥିବା ସାମାଜିକ, ରାଜନୀତିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ରାଜ୍ୟ ସରକାର ଅକ୍ଟୋବର ୧୫ ପରେ ସମାବେଶଗୁଡ଼ିକରେ ଲୋକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଅନୁମତି ଦେଇପାରିବେ । ଆଗକୁ ଦୁର୍ଗାପୂଜା, ଦଶହରା, ଦୀପାବଳି ଭଳି ପର୍ବପର୍ବାଣିର ଋତୁ ଆସୁଥିବା ବେଳେ କେନ୍ଦ୍ର ସରକାର ଏଭଳି ଅନୁମତି ଦେଇଛନ୍ତି ।

ବନ୍ଦ କୋଠରୀରେ ହେବାକୁ ଥିବା ଉପରୋକ୍ତ ସାମାବେଶରେ କେବଳ ୫୦% ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ଏଠାରେ ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯିବ । ଖୋଲା ସ୍ଥାନରେ ଆୟୋଜିତ ହେବାକୁ ଥିବା ସମାବେଶରେ ପଡ଼ିଆର ଆକାରକୁ ଦେଖି ରାଜ୍ୟ ସରକାରମାନେ ସମାବେଶ ପାଇଁ ଅନୁମତି ଦେବେ । ଏଠାରେ ମଧ୍ୟ ସାମାଜିକ ଦୂରତା ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ସମାବେଶଗୁଡ଼ିକ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟ ଜାରି କରିବେ ।

ଅନଲକ୍ (Unlock)ର ଏହି ପର୍ଯ୍ୟାୟରେ ଦୂର୍ଗା ପୂଜା, ନବରାତ୍ରି, ଦଶହରା ପରି ଅନେକ ବଡ ପର୍ବପର୍ବାଣୀ ହେବାକୁ ଯାଉଛି । ସରକାର ଏସଓପିରେ ଏଥିପ୍ରତି ଖାସ୍ ଦୃଷ୍ଟି ଦେଇଛନ୍ତି । ଲୋକ ସତର୍କତାମୂଳକ ଉପାୟର ସହ ଉତ୍ସବକୁ ହର୍ଷୋଲ୍ଲାସ ସହିତ ପାଳନ କରି ପାରିବେ ।

Be the first to comment

Leave a Reply

Your email address will not be published.


*