କେଉଁ ଲୋକମାନଙ୍କୁ ସରକାର ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଚାଉଳ ପ୍ରଦାନ କରିବେ ! କଣ ଅଟେ ଏହି ଯୋଜନାର ନିୟମାବଳୀ, ବିସ୍ତୁତ ଭାବରେ ଜାଣନ୍ତୁ…

କେଉଁ ଲୋକମାନଙ୍କୁ ସରକାର ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଚାଉଳ ପ୍ରଦାନ କରିବେ ! କଣ ଅଟେ ଏହି ଯୋଜନାର ନିୟମାବଳୀ, ବିସ୍ତୁତ ଭାବରେ ଜାଣନ୍ତୁ…

‘କରୋନା ଭାଇରସ୍’ର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗରିବ ପରିବାର ମାନଙ୍କ ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଭୁକ୍ତ କେନ୍ଦ୍ର ସରକାର ସମସ୍ତ ରାସନ୍ କାର୍ଡଧାରୀ ମାନଙ୍କୁ ମଇ ଏବଂ ଜୁନ୍ ମାସରେ ପ୍ରତି ବ୍ୟକ୍ତିଙ୍କ ପିଛା ୫ କିଲୋଗ୍ରାମ ଅତିରିକ୍ତ ଗହମ କିମ୍ବା ଚାଉଳ ମାଗଣାରେ ପ୍ରଦାନ କରିବେ । ଏହା ଦ୍ୱାରା ପାଖାପାଖି ୮୦ କୋଟି ହିତାଧିକାରୀ ଉପକୃତ ହେବେ । ଏହି ମାଗଣା ୫ କିଲୋଗ୍ରାମ୍ ଚାଉଳ ରାସନ୍ କାର୍ଡରେ ଖାଦ୍ୟ ଶସ୍ୟର କୋଟା ସହିତ ଅତିରିକ୍ତ ଭାବେ ରହିବ ।

କାହାକୁ ଏବଂ କେତେ ମାତ୍ରାରେ ଲାଭ ମିଳିବ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭ ରାସନ୍ କାର୍ଡଧାରୀ ଅର୍ଥାତ ୮୦ କୋଟିରୁ ଅଧିକ ଲୋକଙ୍କୁ ଉପକୃତ କରିବ । ଏହି ଯୋଜନାରେ ଯେଉଁ ଅତିରିକ୍ତ ୫ କିଲୋଗ୍ରାମ୍ ଚାଉଳ ଘୋଷଣା କରାଯାଇଛି, ତାହା ରାସନ୍ କାର୍ଡରେ ପ୍ରତି ମାସରେ ମିଳୁଥିବା ରାସନ୍ ବ୍ୟତୀତ ମିଳିବ । ତେବେ ଆସନ୍ତୁ ଏକ ଉଦାହରଣ ସାହାଯ୍ୟରେ ଏହାକୁ ବୁଝିବା । ଯଦି କୌଣସି ଏକ ପରିବାରର ରାସନ୍ କାର୍ଡରେ ୪ ଜଣ ସଦସ୍ୟ ଅଛନ୍ତି ଏବଂ ବର୍ତ୍ତମାନ ଏହା ଉପରେ ପ୍ରତି ସଦସ୍ୟଙ୍କ ପାଇଁ ୫ କିଲୋଗ୍ରାମ୍ ରାସନ୍ (ଚାଉଳ/ଗହମ) ମିଳିଥାଏ, ତେବେ ସେହି ରାସନ୍ କାର୍ଡରେ ଏକ ମାସରେ ମୋଟ ୨୦ କିଲୋଗ୍ରାମ୍ ରାସନ ମିଳୁଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମଇ ଏବଂ ଜୁନ୍ ମାସରେ ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ କିଲୋଗ୍ରାମ୍ ମାଗଣା ରାସନ (ଚାଉଳ/ଗହମ) ମିଳିବ । ଅର୍ଥାତ ରାସନ୍ କାର୍ଡର ଜଣେ ସଦସ୍ୟଙ୍କୁ ଆସନ୍ତା ଦୁଇମାସ ପାଇଁ ମୋଟ ୧୦ କିଲୋଗ୍ରାମ୍ ରାସନ ମିଳିବ । ଜଣେ ସଦସ୍ୟଙ୍କୁ ଏହି ୧୦ କିଲୋଗ୍ରାମ୍ ରାସନ ପାଇଁ କେବଳ ୫ କିଲୋଗ୍ରାମ୍ ରାସନ ନିମନ୍ତେ ପଇସା ଦେବାକୁ ପଡିବ ଏବଂ ଅବଶିଷ୍ଟ ୫ କିଲୋଗ୍ରାମ୍ ରାସନ ମାଗଣାରେ ମିଳିବ । ଏହିପରି ଭାବରେ ୪ ଜଣ ସଦସ୍ୟଙ୍କ ନାମରେ ଥିବା ଏକ ରାସନ୍ କାର୍ଡରେ ମଇ ଏବଂ ଜୁନ୍ ମାସରେ ମିଳିବାକୁ ଥିବା ମୋଟ ୨୦ କିଲୋଗ୍ରାମ୍ ରାସନ ପରିବର୍ତ୍ତେ ୪୦ କିଲୋଗ୍ରାମ୍ ମିଳିବ ।

ବିଗତ ବର୍ଷ ମାର୍ଚ୍ଚ ମାସରେ ପ୍ରଥମଥର ପାଇଁ ଲାଗୁ ହୋଇଥିଲା ଏହି ଯୋଜନା

ବିଗତ ବର୍ଷ କୋଭିଡ୍-୧୯ର ପ୍ରଥମ ଲହର ସମୟରେ ମାର୍ଚ୍ଚ ମାସରେ ଯେତେବେଳେ ସମଗ୍ର ଦେଶରେ ଲକଡାଉନ୍ ଲାଗୁ କରାଯାଇଥିଲା, ସେତେବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରାଯାଇଥିଲା । ଏହି ଯୋଜନା ପ୍ରଧାନମନ୍ତ୍ରୀ ‘ଗରିବ କଲ୍ୟାଣ ପ୍ୟାକେଜ୍’ର ଏକ ଅଂଶ ଥିଲା । ସେହି ସମୟରେ ଗରିବ ପରିବାରକୁ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ୮୦ କୋଟିରୁ ଅଧିକ ରାସନ୍ କାର୍ଡଧାରୀଙ୍କୁ ଏପ୍ରେଲ୍, ମଇ ଏବଂ ଜୁନ ୨୦୨୦ ପାଇଁ ରାସନ କାର୍ଡ ପଞ୍ଜୀକୃତ ଆଧାରରେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାଞ୍ଚ କିଲୋଗ୍ରାମ୍ ଚାଉଳ ଏବଂ ଏକ କିଲୋଗ୍ରାମ ଡାଲି ମାଗଣାରେ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଦୀପାବଳି ଏବଂ ପୂଜା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

କାହାକୁ ଫାଇଦା ମିଳିବ ନାହିଁ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଚାଉଳର ଫାଇଦା ସେହି ବ୍ୟକ୍ତି ମାନଙ୍କ ପାଇଁ ନୁହେଁ, ଯେଉଁ ମାନଙ୍କ ପାଖରେ ରେସନ୍ କାର୍ଡ ନାହିଁ । ଏହି ଯୋଜନା କେବଳ ରେସନ୍ କାର୍ଡଧାରୀଙ୍କ ପାଇଁ ସୀମିତ ରହିଛି, ଯେଉଁ ମାନଙ୍କ ସଂଖ୍ୟା ଦେଶରେ ୮୦ କୋଟିରୁ ଉର୍ଦ୍ଧ୍ବ ରହିଛି । ମହାମାରୀ ପରି ଏକ ସଙ୍କଟ ସମୟରେ ଯେପରି ଭାବରେ ଗରିବ ଲୋକ ମାନଙ୍କ ଥାଳି ଖାଲି ରହିବ ନାହିଁ, ଏଥି ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପ୍ରଣୟନ କରାଯାଇଥିଲା । ବର୍ତ୍ତମାନ ସମୟରେ ଦେଶରେ ‘କରୋନା ଭାଇରସ୍’ର ଦ୍ୱିତୀୟ ଲହର ଚାରିଆଡେ ହାହାକାର ଖେଳାଇ ଦେଇଛି ।

କେତେ କୋଟି ଖର୍ଚ୍ଚ ହେବ

ସରକାର କହିଛନ୍ତି କି ମଇ ଏବଂ ଜୁନ୍ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଇଁ ୨୬୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ବିଗତ ବର୍ଷ ଯେତେବେଳେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଦୀପାବଳି ଏବଂ ପୂଜା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ, ସେତେବେଳେ ଏହି ସମ୍ପ୍ରସାରଣ ପାଇଁ ୯୦୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା । ଏହା ମଧ୍ୟ କୁହାଯାଇଥିଲା ଏହି ଯୋଜନାରେ ପ୍ରାୟ ୧.୫୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।

Leave a Reply

Your email address will not be published. Required fields are marked *