ସେପ୍ଟେମ୍ବର ପହିଲାରୁ ହେବ ଏହି ୭ ବଡ଼ ପରିବର୍ତ୍ତନ : ଜାଣିରଖନ୍ତୁ…

ସେପ୍ଟେମ୍ବର ପହିଲାରୁ ହେବ ଏହି ୭ ବଡ଼ ପରିବର୍ତ୍ତନ : ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୮/୮: ୧ ସେପ୍ଟେମ୍ବର ୨୦୨୦ରୁ ସାଧାରଣ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫଳରେ ଅନେକ କିଛି ବଦଳିବାକୁ ଯାଉଛି । ଏଲପିଜି, ହୋମ ଲୋନ୍, ଇଏମଆଇ, ଏୟାରଲାଇନ୍ସ ଏବଂ ଆହୁରି ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଏହାଦ୍ୱାରା ଲୋକମାନଙ୍କ ଉପରେ ଆର୍ଥିକ ପ୍ରଭାବ ପଡିପାରେ । ଆସନ୍ତୁ ନଜର ପକାଇବା ହେବାକୁ ଥିବା ଏସବୁ ପରିବର୍ତ୍ତନ ଉପରେ…

ବଦଳିବ ଏଲପିଜି ସିଲିଣ୍ଡର ମୂଲ୍ୟ :

କରୋନା ସମୟରେ ମହାମାରୀ ଯୋଗୁଁ ଦେଶରେ ଦରଦାମ ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ଏଲପିଜି (LPG) ଖୁବ୍ ଶୀଘ୍ର ଶସ୍ତା ହୋଇପାରେ ବୋଲି ସୂଚନା ମିଳିଛି । କେବଳ ଏଲପିଜି ନୁହେଁ ଏଲପିଜି ସଙ୍ଗେ ସଙ୍ଗେ ସିଏନଜି ଏବଂ ପିଏନଜିର ମଧ୍ୟ ମୂଲ୍ୟ ହ୍ରାସ ପାଇପାରେ ବୋଲି ଜଣାପଡିଛି । ସେପ୍ଟେମ୍ବର ପହିଲାରୁ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଆସିପାରେ ବୋଲି ବିଶ୍ୱାସ କରାଯାଉଛି । ପ୍ରତ୍ୟେକ ମାସ ପହିଲାରେ ସିଲିଣ୍ଡରର ମୂଲ୍ୟ ବଦଳିଯାଏ । ଏଭଳି ପରିସ୍ଥିତିରେ ସେପ୍ଟେମ୍ବର ୧ରେ ପେଟ୍ରୋଲିୟମ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିବେ ବୋଲି ସୂଚନା ମିଳିଛି ।

ମହଙ୍ଗା ହେବ ବିମାନ ସେବା :

ସେପ୍ଟେମ୍ବର ପହିଲାରୁ ବିମାନ ସେବା ମହଙ୍ଗା ହୋଇପାରେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ଏବଂ ଆନ୍ତର୍ଜାତୀୟ ଯାତ୍ରୀଙ୍କଠାରୁ ୧ ସେପ୍ଟେମ୍ବରରୁ ବିମାନ ସୁରକ୍ଷା ଫି’ ଅଧିକ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି । ଘରୋଇ ଯାତ୍ରୀମାନଙ୍କଠାରୁ ବିମାନ ସୁରକ୍ଷା ଫି’ ୧୫୦ ବଦଳରେ ୧୬୦ ଟଙ୍କା ଆଦାୟ କରାଯିବାକୁ ଧାର୍ଯ୍ୟ ହୋଇଥିବାବେଳେ, ଆନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ୪.୮୫ ଡଲାର ବଦଳରେ ୫.୨ ଡଲାର ଦେବାକୁ ପଡ଼ିବ ।

ବଢ଼ିବ ଇଏମଆଇ ବୋଝ :

ଇଏମଆଇ ପରିଶୋଧ କରୁଥିବା ଗ୍ରାହକଙ୍କ ପକେଟକୁ ଝଟକା ଲାଗିବ । କାରଣ କୋଭିଡ-୧୯ ସଙ୍କଟ ଯୋଗୁଁ ଚଳିତବର୍ଷ ମାର୍ଚ୍ଚରୁ ଲାଗୁ ହୋଇଥିବା ମୋରାଟୋରିୟମ ପିରିୟଡ଼ ୩୧ ଅଗଷ୍ଟରେ ଶେଷ ହେବ । ଇଏମଆଇ ଆଦାୟ ଉପରେ ଲାଗୁ ହୋଇଥିବା କଟକଣା ସମ୍ପର୍କରେ ଆସନ୍ତା ସପ୍ତାହରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦ୍ୱାରା ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ଆଶା କରାଯାଉଛି । ଏହାର ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ବ୍ୟାଙ୍କଗୁଡ଼ିକ ଦ୍ୱାରା କୌଣସି ନିଷ୍ପତ୍ତି ନିଆଯାଇ ପାରୁନାହିଁ । ଖୁଚୁରା ଋଣ କିପରି ଆଦାୟ କରାଯିବ ସେନେଇ କିଛି ଚିତ୍ର ସ୍ପଷ୍ଟ ହେଉନାହିଁ ।

ଦିଲ୍ଲୀରେ ଆରମ୍ଭ ହେବ ମେଟ୍ରୋ ସେବା :

ଦିଲ୍ଲୀରେ ମେଟ୍ରୋ ସେବା ଆରମ୍ଭ ଅପେକ୍ଷାରେ ଥିବା ଲୋକମାନେ ଅତିଶୀଘ୍ର ଭଲ ଖବର ପାଇପାରିବେ ବୋଲି ଅନୁମାନ କରାଯାଉଛି । ଅନଲକ୍-୪.୦ ଦେଶରେ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦିଲ୍ଲୀ ମେଟ୍ରୋକୁ ସେପ୍ଟେମ୍ବର ୨ ତାରିଖରୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇପାରେ ।

ଉଡାଣ ଭରିପାରେ ଇଣ୍ଡିଗୋ ଏୟାର ଲାଇନ୍ସ :

ଇଣ୍ଡିଗୋ ଏୟାରଲାଇନ୍ସ ଏହାର ଉଡାଣ ଷ୍ଟେପ୍ ବାଇ ଷ୍ଟେପ୍ ଆରମ୍ଭ କରିବାକୁ ଘୋଷଣା କରିଛି । ପ୍ରୟାଗରାଜ, କୋଲକାତା ଏବଂ ସୁରଟକୁ ବିମାନ ସେବା ମଧ୍ୟ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଭୋପାଳ-ଲକ୍ଷ୍ନୌ ମାର୍ଗରେ କମ୍ପାନୀ ୧୮୦ ସିଟ୍ ବିଶିଷ୍ଟ ଏୟାର ବସ୍ -୩୨୦ ଚଳାଇବ । ଏହି ବିମାନ ସୋମବାର, ବୁଧବାର ଏବଂ ଶୁକ୍ରବାର ସପ୍ତାହରେ ତିନିଦିନ କାର୍ଯ୍ୟ କରିବ । ପୂର୍ବରୁ କମ୍ପାନୀ ଭୋପାଳରୁ ପ୍ରୟାଗରାଜ, ଆଗ୍ରା, କୋଲକାତା, ସୁରଟ ଏବଂ ଅହମ୍ମଦାବାଦକୁ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲା । ​​କିନ୍ତୁ କରୋନା ସମେତ ଅନ୍ୟ କାରଣରୁ ବିମାନ ଉଡ଼ାଣ ଆରମ୍ଭ ହୋଇପାରି ନାହିଁ । ଏବେ କମ୍ପାନୀ ପକ୍ଷରୁ ପ୍ରୟାଗରାଜ, କୋଲକାତା ଏବଂ ସୁରଟକୁ ବିମାନ ଉଡ଼ାଣ କାର୍ଯ୍ୟସୂଚୀ ପ୍ରକାଶ କରିଛି ଏବଂ ସେପ୍ଟେମ୍ବର ୧ ପରେ ବୁକିଂ ଆରମ୍ଭ କରାଯାଇଛି ।

ଖୋଲିପାରେ ସ୍କୁଲ :

କେନ୍ଦ୍ର ସରକାର ଅନଲକ୍-୪.୦ରେ ୧ ସେପ୍ଟେମ୍ବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ସସର୍ତ୍ତ ବିଦ୍ୟାଳୟ ଖୋଲିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଏ ବାବଦରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସହ ସଚିବସ୍ତରୀୟ ଆଲୋଚନା ହୋଇଛି । ଅନଲକ୍-୪.୦ ଗାଇଡଲାଇନରେ ଏ ସମ୍ପର୍କରେ ସବିଶେଷ ସୂଚନା ଦିଆଯିବ ବୋଲି କୁହାଯାଇଛି ।

ଓଲା ଓଉବେର (Ola-Uber) ଡ୍ରାଇଭର କରିପାରନ୍ତି ଆନ୍ଦୋଳନ :

ଆପ୍ ଆଧାରିତ କାର୍ ସେବା ଯୋଗାଉଥିବା ଓଲା ଏବଂ ଉବେରର ଡ୍ରାଇଭରମାନେ ସେପ୍ଟେମ୍ବର ୧ରୁ ଦିଲ୍ଲୀ-ଏନସିଆରରେ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି । ଭଡା ବୃଦ୍ଧି ଏବଂ ଲୋନ୍ ରିପେମେଣ୍ଟ ମୋରେଟୋରିୟମ୍ ସମ୍ପ୍ରସାରଣ ଭଳି ଅନେକ ଦାବିକୁ ନେଇ କ୍ୟାବ ଡ୍ରାଇଭରମାନେ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି । ଦିଲ୍ଲୀର ସର୍ବୋଦୟ ଡ୍ରାଇଭର ଆସୋସିଏସନର ସଭାପତି କମଲଜିତ ସିଂ ଗିଲ କହିଛନ୍ତି ଯେ ଯଦି ସରକାର ଆମ ସମସ୍ୟାର ସମାଧାନ କରିବାରେ ବିଫଳ ହୁଅନ୍ତି, ତେବେ କ୍ୟାବ ଏଗ୍ରିଗେଟର ସହ କାର୍ଯ୍ୟ କରୁଥିବା ପ୍ରାୟ ୨ ଲକ୍ଷ ଡ୍ରାଇଭର ଏହି ଧର୍ମଘଟରେ ଯୋଗଦେବେ ।

ଏଣିକି ଜିଏସଟି ପୈଠ କରିବାରେ ବିଳମ୍ବ ହେଲେ ଦେବାକୁ ପଡ଼ିବ ସୁଧ :

ଦ୍ରବ୍ୟ ଓ ସେବା କର (ଜିଏସଟି) ପ୍ରଦାନରେ ବିଳମ୍ବ ହେଲେ ସେପ୍ଟେମ୍ବର ପହିଲାରୁ ମୋଟ ଟିକସ ଆଦାୟ ଉପରେ ସୁଧ ଲାଗିବ । ଚଳିତବର୍ଷ ପ୍ରାରମ୍ଭରେ ଜିଏସଟି ଦେୟରେ ବିଳମ୍ବ ହେତୁ ପ୍ରାୟ ୪୬,୦୦୦ କୋଟି ଟଙ୍କାର ସୁଧ ପ୍ରଦାନ ନିର୍ଦ୍ଦେଶ ଉପରେ ଶିଳ୍ପ ସଂସ୍ଥା ଚିନ୍ତା ବ୍ୟକ୍ତ କରିଥିଲା । ସମୁଦାୟ ଦେୟ ଉପରେ ସୁଧ ଆଦାୟ କରାଯାଇଥିଲା । ସୂଚନାଯୋଗ୍ୟ, କେନ୍ଦ୍ର ତଥା ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ ନେଇ ଗଠିତ ଜିଏସଟି ପରିଷଦର ୩୯ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ୧ ଜୁଲାଇ ୨୦୧୭ ଠାରୁ ଜିଏସଟି ଦେୟରେ ବିଳମ୍ବ ହେଲେ ସମୁଦାୟ ଟିକସ ଉପରେ ସୁଧ ଆଦାୟ କରାଯିବ । ଏଥିପାଇଁ ଆଇନ ସଂଶୋଧନ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମ୍ସ (ସିବିଆଇସି) ୨୫ ଅଗଷ୍ଟରେ ଅଧିସୂଚିତ କରିଛନ୍ତି, ୧ ସେପ୍ଟେମ୍ବର ୨୦୨୦ରୁ ସମୁଦାୟ ଟ୍ୟାକ୍ସ ଉପରେ ସୁଧ ଆଦାୟ କରାଯିବ ।

Leave a Reply

Your email address will not be published. Required fields are marked *