ଗ୍ରାମବାସୀ ତିଆରି କଲେ କରୋନା ମାତାଙ୍କ ମନ୍ଦିର ! ମାସ୍କ ଲଗାଇ କରୁଛନ୍ତି ପୂଜା…

ଗ୍ରାମବାସୀ ତିଆରି କଲେ କରୋନା ମାତାଙ୍କ ମନ୍ଦିର ! ମାସ୍କ ଲଗାଇ କରୁଛନ୍ତି ପୂଜା…

ଉତ୍ତରପ୍ରଦେଶରେ କରୋନାକୁ ଘଉଡାଇବା ପାଇଁ ବିଭିନ୍ନ ଅନ୍ଧବିଶ୍ୱାସ ମାମଲା ସାମ୍ନାକୁ ଆସୁଛି । କେହି କେହି ବ୍ୟକ୍ତି କରୋନାକୁ ହଟାଇବା ପାଇଁ ବଡ଼ ଆକାରରେ ଯଜ୍ଞ କରୁଛନ୍ତି ତ କେହି ଗଙ୍ଗାନଦୀକୁ ପୂଜା କରୁଛନ୍ତି । ବର୍ତ୍ତମାନ ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାର ଏକ ଗ୍ରାମରେ କରୋନା ମାତାଙ୍କ ମନ୍ଦିର ନିର୍ମାଣ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ମାତ୍ରେ ପ୍ରଶାସନର ଚିନ୍ତା ବଢିଯାଇଥିଲା । ଅନ୍ଧବିଶ୍ୱାସ ହୋଇଥିବାରୁ ପୋଲିସ୍ ଏହି ମନ୍ଦିରକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା । ଶୁକ୍ରବାର ଦିନ ରାତିରେ ସାଙ୍ଗିପୁର ପୋଲିସ୍ ଗାଁରେ ପହଞ୍ଚି କରୋନା ମାତାଙ୍କ ମନ୍ଦିର, ପ୍ରତିମା ତଥା ବୋର୍ଡକୁ ଭାଙ୍ଗି ଦେଇଥିଲା ।

ରିପୋର୍ଟ ଅନୁସାରେ ଶୁକୁଲପୁର ଜୁହି ଗାଁରେ କରୋନା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ବ୍ୟାପିଗଲା । ତେଣୁ ଏହି ଗ୍ରାମର ଜଣେ ବାସିନ୍ଦା ଲୋକେଶ ଶ୍ରୀବାସ୍ତବ ‘ଜୁନ୍’ରେ କରୋନା ମାତାଙ୍କ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ ।

ଏହାପରେ ସେ କରୋନା ମାତାଙ୍କ ପ୍ରତିମା ତିଆରି କରି ଗାଁରେ ଥିବା ଏକ ନିମ୍ବ ଗଛ ମୂଳରେ ସ୍ଥାପନ କରିଥିଲେ । ଏହି ମନ୍ଦିରରେ ମାସ୍କ ପିନ୍ଧିଥିବା କରୋନା ଦେବୀଙ୍କ ପ୍ରତିମା ସ୍ଥାପନ କରାଯାଇଛି । ସକାଳ ଓ ସନ୍ଧ୍ୟାରେ ଶହ ଶହ ଲୋକ ଏହି ପ୍ରତିମାକୁ ପୂଜା କରୁଛନ୍ତି ।

ଅନ୍ଧବିଶ୍ୱାସର ଶିକାର ହୋଇ ଗ୍ରାମବାସୀଙ୍କ ସମେତ ଦୂରଦୂରାନ୍ତରୁ ଲୋକମାନେ ଏହି ମନ୍ଦିରରେ ପୂଜା କରିବାକୁ ଲାଗିଲେ । ଗ୍ରାମବାସୀମାନେ ଦାବି କରିଛନ୍ତି ଯେ ଏହା କରିବା ଦ୍ୱାରା ଗାଁରେ କରୋନା ସଂକ୍ରମଣ ହେବ ନାହିଁ । ଯେପରି ଆମେ ହାଡଫୁଟିକୁ ଠାକୁରାଣୀ ଭାବେ ପୂଜା କରୁ ସେହିପରି କରୋନାକୁ ପୂଜା କଲେ ଭୁତାଣୁ ସଂକ୍ରମଣରୁ ମୁକ୍ତି ମିଳିବ ।

ଗ୍ରାମବାସୀମାନେ ଧୂପକାଠି ଜାଳି, ଜଳ ଏବଂ ପ୍ରସାଦ ଅର୍ପଣ କରି କରୋନା ମାତାଙ୍କୁ ପୂଜା କରୁଛନ୍ତି । କରୋନା ମାତା ମାସ୍କ ପିନ୍ଧି, ହାତ ଧୋଇ କରୋନାଠାରୁ ଦୂରରେ ରହିବାକୁ ସଂକେତ ଦେଉଛନ୍ତି ।

ଅମର ଉଜାଲାର ରିପୋର୍ଟ ଅନୁଯାୟୀ ପ୍ରଶାସନ ଏହି ମନ୍ଦିରକୁ ହଟାଇ ଦେଇଛି । ପୋଲିସ୍ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଗ୍ରାମର ମୁଖ୍ୟ ଶଙ୍କରଲାଲ୍ ଜୈସୱାଲ୍ କହିଛନ୍ତି ଯେ ରାତି ପ୍ରାୟ ୯ଟା ସମୟରେ ସ୍ଥାନୀୟ ପୋଲିସ୍ ଆସି ମନ୍ଦିରକୁ ଭାଙ୍ଗି ଦେଇଥିଲା ଏବଂ ମନ୍ଦିର ନିର୍ମାଣ କରିଥିବା ଯୁବକଙ୍କୁ ସକାଳେ ପଚରାଉଚରା ପାଇଁ ନେଇଥିଲା ।

ଅନ୍ଧବିଶ୍ୱାସରେ ତିଆରି ହୋଇଥିବାରୁ ପୋଲିସ୍ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା । ସାଙ୍ଗିପୁର ପୋଲିସ୍ ଶୁକ୍ରବାର ରାତିରେ ଜେସିବି ସହ ଗାଁ’ରେ ପହଞ୍ଚି କରୋନା ମାତାଙ୍କ ପ୍ରତିମା ତଥା ମନ୍ଦିର ସମେତ ବୋର୍ଡକୁ ନଷ୍ଟ କରି ଦେଇଛି । ପୋଲିସ୍ ଗାଁଠାରୁ ୫କିମି ଦୂରରେ ସମସ୍ତ ଆବର୍ଜନା ପକାଇଦେଇଥିଲା । ମନ୍ଦିର ଭାଙ୍ଗିବା ନେଇ ଦିନସାରା ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *