ଶସ୍ତା ହେବାକୁ ଲାଗିଲା ସୋରିଷ ତେଲର ଦର !

ଶସ୍ତା ହେବାକୁ ଲାଗିଲା ସୋରିଷ ତେଲର ଦର !

ଯେଉଁମାନେ ସୋରିଷ ତେଲ ବ୍ୟବହାର କରନ୍ତି ସେମାନଙ୍କ ପାଇଁ ଏକ ଆଶ୍ଵସ୍ତି ଜନକ ଖବର । ସୋରିଷ ତେଲର ମୂଲ୍ୟ କ୍ରମାଗତ ତୃତୀୟ ଦିନ ପାଇଁ ହ୍ରାସ ପାଇଛି । ଗୁରୁବାର ଦିନ ଧାନବାଡ ବଜାରରେ ସୋରିଷ ତେଲର ମୂଲ୍ୟ ଲିଟର ପିଛା ୧୬୮ ଟଙ୍କାରେ ପହଞ୍ଚିଥିଲା, ଯାହା ମଙ୍ଗଳବାର ଠାରୁ ତିନି ଟଙ୍କା କମ୍ ଅଟେ । ଯେତେବେଳେ କି ୧୬ଲିଟର ପ୍ୟାକେଟର ମୂଲ୍ୟ ୪୮ ଟଙ୍କା ହ୍ରାସ ପାଇଛି । ଦୁଇ ଦିନ ପୂର୍ବରୁ ଲିଟର ପିଛା ୧୭୧ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିବା ସାଲୋନି ବ୍ରାଣ୍ଡ ସୋରିଷ ତେଲରେ ୩ ଟଙ୍କା ହ୍ରାସ ପାଇଛି । ବ୍ୟବସାୟୀଙ୍କ କହିବାନୁସାରେ, ଆଗାମୀ ଦିନରେ ସୋରିଷ ତେଲର ମୂଲ୍ୟରେ ଯଥେଷ୍ଟ ହ୍ରାସ ଆସିବ ।

ତୈଳ ଦର ସ୍ୱାଭାବିକ ହେବା ପାଇଁ ଡିସେମ୍ବର ପର୍ଯ୍ୟନ୍ତ ସମୟ ଲାଗିପାରେ । କିନ୍ତୁ ଭଲ କଥା ହେଉଛି ଦର ଏବେଠୁ ହ୍ରାସ ପାଇବା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ହୋଲସେଲ ବଜାରରେ ସୋରିଷ ତେଲର ମୂଲ୍ୟ ୧୦ରୁ ୧୫ ଟଙ୍କା ହ୍ରାସ ପାଇଛି । ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ସୋୟା ଏବଂ ପାମୋଲିନ ତେଲର ମୂଲ୍ୟ ବୃଦ୍ଧି ହେତୁ ଏଠାରେ ମୂଲ୍ୟ ବୃଦ୍ଧି ପାଇଛି । କିନ୍ତୁ ଏବେ ଦର ହ୍ରାସ ପାଇବାରେ ଲାଗିଛି । ଦେଶରେ କେବଳ ୪୦ ପ୍ରତିଶତ ତେଲ ଉତ୍ପାଦିତ ହୁଏ ଓ ଅବଶିଷ୍ଟ ୬୦ ପ୍ରତିଶତ ତୈଳ ଆମଦାନୀ କରାଯାଇଥାଏ ।

ଖାଦ୍ୟ ଏବଂ ସାର୍ବଜନିକ ବଣ୍ଟନ ବିଭାଗର ସଚିବ ସୁଦର୍ଶନ ପାଣ୍ଡେଙ୍କ ଅନୁଯାୟୀ, ତେଲ ଦର ବୃଦ୍ଧି ହେବାର କାରଣ ହେଉଛି ଆନ୍ତର୍ଜାତୀୟ ବଜାରରେ ପାମ୍ ଏବଂ ସୋୟା ତେଲର ମୂଲ୍ୟ ବୃଦ୍ଧି । କିନ୍ତୁ ଏବେ ଖୁସିର କଥା ଯେ, ଆନ୍ତର୍ଜାତୀୟ ବଜାରରେ ତେଲର ଦର ହ୍ରାସ ପାଇବା ଆରମ୍ଭ ହୋଇଯାଇଛି । ତେଣୁ ଆଶା କରାଯାଉଛି ଯେ ସୋରିଷ ସମେତ ଅନ୍ୟ ତେଲର ଦର ମଧ୍ୟ ଖୁଚୁରା ବଜାରରେ ଖୁବଶୀଘ୍ର ହ୍ରାସ ପାଇବ । ଏମିତି କି କିଛି ସ୍ଥାନରେ ତେଲ ଦର ହ୍ରାସ ପାଇଥିବ ମଧ୍ୟ ଦେଖାଯାଇଛି । କିନ୍ତୁ ଦର ସଂପୂର୍ଣ୍ଣ ସ୍ୱାଭାବିକ ହେବା ପାଇଁ ଆହୁରି କିଛି ସମୟ ଲାଗିପାରେ । ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ଆଶା ରହିଛି । ଦେଶରେ ତେଲ ମଞ୍ଜି ମୁଖ୍ୟତଃ ମାଲେସିଆ, ଇଣ୍ଡୋନେସିଆ, ଆର୍ଜେଣ୍ଟିନା ଏବଂ ଆମେରିକାରୁ ଆମଦାନୀ ହୋଇଥାଏ ।

Leave a Reply

Your email address will not be published. Required fields are marked *