“ମେରା ଭାରତ ମହାନ୍” : ହିନ୍ଦୁ ଭାଇକୁ ମୁଖାଗ୍ନି ଦେଲେ ମୁସଲମାନ ଭଉଣୀ, ଫିକା ପଡ଼ିଲା ରକ୍ତ ସମ୍ପର୍କ !

ଶିବସାଗର,୨୬/୯: ବାସ୍ତବରେ ଆମ ଭାରତ ମହାନ । ଭିନ୍ନତା ମଧ୍ୟରେ ଏକତା ଆମ ଦେଶକୁ ଦିଏ ସ୍ୱତନ୍ତ୍ରତା ପରିଚୟ । ହେଲେ ଏଇ କେଇଦିନ ହେବ ଜାତି ଓ ଧର୍ମକୁ ନେଇ ସାରା ଦେଶର ବିଭିନ୍ନ ସ୍ଥାନରେ ଦେଖାଦେଉଛି ବିବାଦ । ଜାତି, ଧର୍ମ ଓ ସମ୍ପ୍ରଦାୟ ନାଁ’ରେ ଗଡ଼ୁଛି ମୁଣ୍ଡ । ତେବେ ଯେଉଁ ସମୟରେ ସାରା ଦେଶରେ ଏଭଳି ଅଶାନ୍ତିର ବାତାବରଣ ଲାଗିରହିଛି, ସେଠାରେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ଆସାମରେ ଜଣେ ମୁସଲମାନ ଯୁବତୀ । ଧର୍ମକୁ ନେଇ ସମସ୍ତଙ୍କ ମନ ଭିତରେ ଯେଉଁ ପ୍ରଭେଦ ରହିଛି, ତାକୁ ଭାଙ୍ଗି ଦେଇଛନ୍ତି ଏହି ଯୁବତୀ ଜଣକ । ଏଥିସହ ଆଉ ଥରେ ପ୍ରମାଣିତ କରିଛନ୍ତି ଭଲ ପାଇବାର ସମ୍ପର୍କ ଆଗରେ ରକ୍ତର ସମ୍ପର୍କ ମଧ୍ୟ ଫିକା ପଡିଯାଏ । ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ନିଜ ଭାଇଠୁ ବି ଅଧିକ ଭାବୁଥିବା ଏହି ଯୁବତୀ ତାଙ୍କର ଶବଦାହ କରି ଭାଇ-ଭଉଣୀ ସମ୍ପର୍କର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

ସୂଚନା ଅନୁଯାୟୀ, ଏଭଳି ନିଆରା ଘଟଣା ଦେଖିବାକୁ ମିଳିଛି ଆସାମର ମାମଲା ଶିବସାଗର ଜିଲ୍ଲାରେ । ଏଠାରେ ରହୁଥିବା ମୁସ୍କାନ୍ ବେଗମ୍ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଭାଇ କରିଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ଭାଇଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ଅନ୍ତିମ ସଂସ୍କାରରେ ତାଙ୍କ ନିଜର କେହି ସମ୍ପକୀୟ ଆସିନଥିଲେ । ସେତେବେଳେ ମୁସ୍କାନ ଭଉଣୀର କର୍ତ୍ତବ୍ୟ ପାଳନ କରି ରକ୍ତର ହୋଇନଥିଲେ ମଧ୍ୟ ଭାଇକୁ ନିଜେ ଦେଇଥିଲେ ମୁଖାଗ୍ନି । କେବଳ ସେତିକି ନୁହେଁ, ହିନ୍ଦୁ ରୀତି-ନୀତି ଅନୁସାରେ ଅନ୍ୟେଷ୍ଟି କ୍ରିୟା ବି କରିଥିଲେ ଏହି ମୁସଲମାନ ଭଉଣୀ ।

ମୃତ ବ୍ୟକ୍ତିଙ୍କ ନିଜ ରକ୍ତର ସମ୍ପର୍କ ଆତ୍ମୀୟମାନେ ଆସିନଥିଲେ ମଧ୍ୟ ମୁସ୍କାନ ବେଗମ୍ ଏବଂ ତାଙ୍କ ପରିବାର ସଦସ୍ୟ ଆସି ହିନ୍ଦୁ ଭାଇଙ୍କ ଶବକୁ ଦାହ କରିବାକୁ ନେଇଥିଲେ । ହିନ୍ଦୁ ନୀତିନିୟମ ଅନୁଯାୟୀ ଶବଦାହ ଶେଷ କରିବା ସହ ମୁସ୍କାନ ନିଜେ ମୁଖାଗ୍ନି ଦେଇଥିଲେ । ଏହି ଘଟଣା ପୁଣିଥରେ ହିନ୍ଦୁ-ମୁସଲମାନ ଭାଇଚାରା ବାର୍ତ୍ତା ଦେଇଛି । ତେବେ ଗଣମାଧ୍ୟମ ଆଗରେ ମୁସ୍କାନ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ସେ କହିଛନ୍ତି, ଜଣେ ଭଉଣୀ ଭାବରେ ଏହା ମୋର ଭାଇଙ୍କ ପ୍ରତି କର୍ତ୍ତବ୍ୟ ଥିଲା । ମୁଁ ମୋର ଭଉଣୀ ହେବାର କର୍ତ୍ତବ୍ୟ କଲି । ଏଥିପାଇଁ ମୁଁ ଗଣମାଧ୍ୟମ ସାମ୍ନାକୁ କାହିଁକି ଯିବି ବୋଲି ସେ ପ୍ରଶ୍ନ କରିଥିଲେ ।

Be the first to comment

Leave a Reply

Your email address will not be published.


*