ଆଉ ଚାଲିବନି ମନମାନି: ସରକାର ଧାର୍ଯ୍ୟ କଲେ ୧୬ଟି ପରିବା ଦର !

ଥିରୁଅନନ୍ତପୁରମ୍,୨୯/୧୦: ମହାମାରୀ କରୋନା ଏବଂ ଅନିୟମିତ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡ଼ି ଯାଇଥିବାରୁ ସାରା ଦେଶରେ ପନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି । ଏଭଳି ସ୍ଥିତିରେ ପରିବା ବ୍ୟବସାୟୀମାନେ ଖାଉଟିଙ୍କୁ ଲୁଟିବାରେ ଲାଗିଛନ୍ତି । ହେଲେ କେରଳରେ ବ୍ୟାବସାୟୀଙ୍କ ନିମନ୍ତେ ସରକାର ପରିବା ଦର ଧାର୍ଯ୍ୟ କରିଛନ୍ତି । ଏଠାରେ ରାଜ୍ୟ ସରକାର ୧୬ଟି ପରିବା ଦର ନିର୍ଦ୍ଧାରଣ କରିଛନ୍ତି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରୁ ବ୍ୟବସାୟୀ ଅଧିକ ଦରରେ ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ରହିଛି । ତେବେ ଏଭଳି ଦର ଧାର୍ଯ୍ୟ କରିବାରେ କେରଳ ଦେଶରେ ପ୍ରଥମ ରାଜ୍ୟ ପାଲଟିଛି ।

ସୂଚନା ମୁତାବକ, କେରଳ ସରକାର ରାଜ୍ୟରେ ଆଳୁ ଓ ଭେଣ୍ଡି ଦର କେଜି ପ୍ରତି ୨୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଟମାଟୋ ୮ ଟଙ୍କା ଓ କଲରା ଲାଗି ସର୍ବାଧିକ ୩୦ ଟଙ୍କା ଦର ଧାର୍ଯ୍ୟ ହୋଇଛି । ରାଜ୍ୟ ସରକାର ପୂର୍ବରୁ ରାଜ୍ୟରେ ପନିପରିବା ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରିଛନ୍ତି । ସରକାରଙ୍କ ଧାର୍ଯ୍ୟ ମୂଲ୍ୟରୁ କମ୍‌ ଦରରେ ଚାଷୀଙ୍କ ଠାରୁ କେହି ପନିପରିବା କିଣିପାରିବେ ନାହିଁ ବୋଲି କଟକଣା ଜାରି ହୋଇଛି । ସେହି ଅନୁସାରେ କେରଳରେ ଏବେ ୧୬ଟି ପରିବା ଓ ଫଳର ଏମଏସପି ତଳେ କାରବାର ହେଉ ନାହିଁ । ସରକାର ବ୍ୟବସାୟୀଙ୍କ ଲାଗି ଏବେ ସର୍ବାଧିକ ବିକ୍ରି ମୂଲ୍ୟ ମଧ୍ୟ ଧାର୍ଯ୍ୟ କରିଛନ୍ତି ।

ନଭେମ୍ବର ୧ ତାରିଖରୁ ପନିପରିବା ଲାଗି ସରକାର ଧାର୍ଯ୍ୟ କରିଥିବା ଦର ରାଜ୍ୟରେ ଲାଗୁ ହେବ । ଏହି ସମୟରେ ଅନ୍ୟ ପନିପରିବା ଓ ଫଳ ଲାଗି ଏମଏସପି ଧାର୍ଯ୍ୟ ହେବା ସହ ବଜାର ବିକ୍ରି ଦର ମଧ୍ୟ ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡିଛି । ରାଜ୍ୟର ଚାଷୀଙ୍କ ପନିପରିବା ଲାଗି ସରକାର ସ୍ୱତନ୍ତ୍ର ଷ୍ଟୋର ଖୋଲିବା ସକାଶେ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଏଠାରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ସରକାରୀ ଦରରେ ବିକ୍ରି ହେବ । କେରଳ ସରକାରଙ୍କ ଏହି ଯୋଜନା ପରେ ଏବେ ପଞ୍ଜାବ, ମହାରାଷ୍ଟ୍ରର ଓ କର୍ଣ୍ଣାଟକ ଆଦି ରାଜ୍ୟରେ ମଧ୍ୟ ଚାଷୀ ସେମାନଙ୍କ ପନିପରିବା ଚାଷ ଲାଗି ଏମଏସପି ଘୋଷଣା ଲାଗି ଦାବି କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ : କରୋନା ଠାରୁ ଭୟଙ୍କର ମହାମାରୀ ହେଉଛି ବାୟୁ ପ୍ରଦୂଷଣ: ମୋଟ କରୋନା ମୃତ୍ୟୁର ୧୫% ବାୟୁ ପ୍ରଦୂଷଣ ସହ ଜଡ଼ିତ !

ଚାଷୀଙ୍କୁ ଉପକୃତ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି । ବଜାରରେ ମୂଲ୍ୟ ହ୍ରାସ ହେଲେ ବି ଚାଷୀ ପ୍ରଭାବିତ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପି.ବିଜୟନ ପ୍ରକାଶ କରିଛନ୍ତି । ଏଥିରେ ସରକାର ପନିପରିବା ଆଧାର ମୂଲ୍ୟ ଉତ୍ପାଦନ ନିବେଶରୁ ୨୦ ପ୍ରତିଶତ ଅଧିକ ଧାର୍ଯ୍ୟ କରିଛନ୍ତି । ବଜାର ମୂଲ୍ୟ ହ୍ରାସ ହେଲେ ବି ଚାଷୀଙ୍କୁ ତାଙ୍କ ଆଧାର ମୂଲ୍ୟ ସରକାର ନିଶ୍ଚିତ କରିଛନ୍ତି । ତେବେ ପରିବା ଅନୁସାରେ ଆଧାରମୂଲ୍ୟ ସ୍ଥିରିକୃତ ହେବ ।

ଏହା ମଧ୍ୟ ପଢନ୍ତୁ : “ଅନଲକ-୫”ର ନିର୍ଦ୍ଦେଶାବଳୀ ୩୦ ନଭେମ୍ବର ପର୍ଯ୍ୟନ୍ତ ବଢ଼ିଲା, କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ !

ସୂଚନାଯୋଗ୍ୟ, ପରିବା ଉତ୍ପାଦନରେ କେରଳ ଏବେ ସମ୍ପୂର୍ଣ୍ଣ ଆତ୍ମନିର୍ଭର ହୋଇପାରିଛି । ଗତବର୍ଷ ସାରା ରାଜ୍ୟରେ ୭ ଲକ୍ଷ ଟନ ପନିପରିବା ଓ ଫଳ ଉତ୍ପାଦିତ ହୋଇଥିବାବେଳେ ଚଳିତବର୍ଷ ଏହା ଦୁଇ ଗୁଣାରୁ ବି ଅଧିକ ହୋଇଛି । ଏଥିରେ ସରକାର ଏଥିଲାଗି ଏମଏସପି ଧାର୍ଯ୍ୟ କରି ଚାଷୀଙ୍କ ଉତ୍ସାହ ବୃଦ୍ଧି କରିଛନ୍ତି । ଅପରପକ୍ଷରେ ସରକାର ବଜାରମୂଲ୍ୟ ନିର୍ଦ୍ଧାରିତ କରୁଥିବାରୁ ପନିପରିବା ନିର୍ଦ୍ଧାରିତ ଦରରୁ ତଳେ ଅଥବା ଉପରେ ମଧ୍ୟ ବିକ୍ରି ହୋଇପାରିବ ନାହିଁ ବୋଲି କୁହାଯାଉଛି ।

Be the first to comment

Leave a Reply

Your email address will not be published.


*