ଆହୁରି ଖରାପ ସମୟ ଆସୁଛି: ଶୀତରେ ଭୟଙ୍କର ରୂପ ନେବ କରୋନା ।

ଆହୁରି ଖରାପ ସମୟ ଆସୁଛି: ଶୀତରେ ଭୟଙ୍କର ରୂପ ନେବ କରୋନା ।

ନୂଆଦିଲ୍ଲୀ,୨୬/୮: ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ମହାମାରୀ ଏବେ ବିଶ୍ୱର ୨୧୩ଟି ଦେଶକୁ କବଳିତ କରିସାରିଛି। ଅଦ୍ୟାବଧି ଏଥିରେ ୨ କୋଟି ୩୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି। ଅନ୍ୟୂନ ୮ ଲକ୍ଷ ୧୮ ହଜାର ଲୋକ ଏଥିରେ ଆଖି ବୁଜିଲେଣି। ଏହାର ଟିକା ପାଇଁ ବିଶ୍ୱର ବିଭିନ୍ନ ଦେଶ ଏବେ ଜୋର୍‌ସୋର ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ କରୋନା ନିଜର ରୂପ ବଦଳାଉ ଥିବାରୁ ଟିକା ବିକାଶରେ ସମୟ ଲାଗୁଛି। ସଂକ୍ରମଣ ହାର ମଧ୍ୟ କମିବାର ନାଁ ନେଉନାହିଁ। ଏଭଳି ସ୍ଥିତିରେ ଆସନ୍ତା ଶୀତଋତୁବେଳକୁ ଟିକା ଆସିସାରିଥିବ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି।

ମାତ୍ର ଶୀତ ସମୟରେ କରୋନା ଭୟାବହ ରୂପ ଧାରଣ କରିବ ବୋଲି ଆଉ କେତେଜଣ ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ସହ କାର୍ଯ୍ୟ କରିଥିବା ବିଶିଷ୍ଟ ସଂକ୍ରମକ ରୋଗ ବିଶେଷଜ୍ଞ କ୍ଲାଉଜ ଷ୍ଟୋହରଙ୍କ କହିବାନୁଯାୟୀ, ଶୀତ ସମୟରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବାର ସମ୍ଭାବନା ରହିଛି। ଏଭଳି ହେଲେ ତାହା ପ୍ରଥମ ସଂକ୍ରମଣ ଅପେକ୍ଷା ଅଧିକ ଭୟଙ୍କର ହେବ। ସେ କହିଛନ୍ତି, କରୋନା ଭାଇରସ୍‌ର ଆଚରଣ ଅନ୍ୟ ଶ୍ୱାସପ୍ରଶ୍ୱାସଜନିତ ରୋଗଠାରୁ ଭିନ୍ନ ନୁହେଁ। ଧୀରେ ଧୀରେ ଶୁପ୍ତ ହୋଇଯାଉଥିବା କରୋନା ଭୂତାଣୁ ଶୀତରେ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ରହିଛି। ତେଣୁ କରୋନାର ଦ୍ୱିତୀୟ ଲହରିର ମୁକାବିଲା କିଭଳି କରାଯାଇ ପାରିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ। ବର୍ତ୍ତମାନର ସଂକ୍ରମଣ ଓ ମୃତ୍ୟୁ ହାର ଅପେକ୍ଷା ଦ୍ୱିତୀୟ ଲହରି ଆହୁରି ବିପଜ୍ଜନକ ହେବ। ବ୍ରିଟେନର ଏକାଡେମି ଅଫ୍‌ ମେଡିକାଲ ସାଇନ୍‌ସେସ ପକ୍ଷରୁ ମଧ୍ୟ ଏଭଳି ଆକଳନ କରାଯାଇଛି। ଏହି ସଂସ୍ଥାର ବିଶେଷଜ୍ଞଙ୍କ କହିବାନୁଯାୟୀ, ୨୦୨୧ ଜାନୁଆରୀ-ଫେବ୍ରୁଆରୀ ବେଳକୁ ପରିସ୍ଥିତି ଠିକ୍‌ ସେହିଭଳି ହେବ ଯେଭଳି ଚଳିତବର୍ଷ ପ୍ରାରମ୍ଭରେ କରୋନା ସଂକ୍ରମଣବେଳେ ଦେଖିବାକୁ ମିଳିଥିଲା।

କରୋନା ଟିକା ବିକାଶରେ ସାମିଲ ବ୍ରିଟେନର ଚିଫ ମେଡିକାଲ ଅଫିସର କ୍ରିସ୍‌ ହ୍ୱିଟିଙ୍କ କହିବାନୁଯାୟୀ, ଆମେ କୌଣସି ଟିକା ଉପରେ ଭରସା କରି ରହିପାରିବା ନାହିଁ। ଆଗାମୀ ଶୀତ ସମୟରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଯେଭଳି ବିଭିନ୍ନ ଦାବି ହେଉଛି ତାକୁ ଭରସା କରାଯାଇପାରିବ ନାହିଁ। ଏଭଳି ବିଶ୍ୱାସ କରିବା ହିଁ ମୁର୍ଖାମୀ। ଆମକୁ କରୋନା ମୁକାବିଲା ଲାଗି ଆସନ୍ତାବର୍ଷ ଶୀତ ସମୟ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ। ତେବେ ତାଙ୍କ ଆକଳନ ଭୁଲ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି।

ବିଶ୍ୱର ବହୁଦେଶର ବୈଜ୍ଞାନିକ ଓ ବିଶେଷଷଜ୍ଞମାନେ ଟିକା ବିକାଶ କରିବାରେ ଲାଗିଛନ୍ତି। ଫଳରେ ଖୁବଶୀଘ୍ର ଏହି ଘାତକ ଭାଇରସ୍‌ଠାରୁ ଲୋକମାନଙ୍କୁ ସୁରକ୍ଷା ମିଳିପାରିବ। କିନ୍ତୁ ଆମକୁ ଯାଞ୍ଚ କରିବାକୁ ପଡିବ ଯେ ଏହି ଟିକା ସୁରକ୍ଷିତ କି ନୁହେଁ। ସାଧାରଣତଃ ଟିକା ବିକାଶଠାରୁ ଆରମ୍ଭ କରି ପ୍ରସ୍ତୁତ ପର୍ଯ୍ୟନ୍ତ ବହୁତ ସମୟ ଲାଗିଥାଏ। ତେଣୁ ତରବରରେ ଟିକା ପ୍ରସ୍ତୁତ କରାଯିବା ଦ୍ୱାରା ତାର ପରିଣତି ବିଷୟରେ ଆମକୁ ଧ୍ୟାନ ଦେବାକୁ ପଡିବ। ତେଣୁ ଆଗାମୀ ଶୀତ ସମୟବେଳକୁ ଟିକା ମିଳିବ ନାହିଁ ବୋଲି ସେହି ବିଶ୍ୱାସରେ ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଅତିକମ୍‌ରେ ଆମକୁ ୬ମାସ ଯାଏ ପ୍ରସ୍ତୁତ ରହିବାକୁ ହେବ। ଯଦି କିଛି ଭଲ ଟିକା ମିଳିଗଲା ତେବେ କରୋନା ଲଢ଼େଇରେ ତାହା ଆମକୁ ସହାୟକ ହୋଇପାରିବ।

Leave a Reply

Your email address will not be published. Required fields are marked *