ଜିଦରେ ଅଟଳ କେନ୍ଦ୍ର: ଜେଇଇ ମେନ୍, ଏନ୍‌ଇଇଟି ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ ରାଜ୍ୟ ସରକାର !

ଜିଦରେ ଅଟଳ କେନ୍ଦ୍ର: ଜେଇଇ ମେନ୍, ଏନ୍‌ଇଇଟି ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ ରାଜ୍ୟ ସରକାର !

ଭୁବନେଶ୍ୱର,୨୯/୮: ଜେଇଇ ମେନ୍ ଓ ଏନ୍‌ଇଇଟି ପରୀକ୍ଷା ନେଇ ରାଜ୍ୟ ସରକାର ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷା କରିବା ଲାଗି କେନ୍ଦ୍ର ସରକାର ଜିଦ୍‌ରେ ଅଟଳ ରହିବା ପରେ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ବୋଲି ଘୋଷଣା କରିଛନ୍ତି । ସେମାନେ କିଭଳି ସୁବିଧାରେ ରହିବେ ଓ ଯାତାୟତ କରିପାରିବେ, ସେ ଦାୟିତ୍ଵ ନେଇଛନ୍ତି ସରକାର । ସେମାନଙ୍କ ରହିବା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ସଂଜୟ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Google

ସୂଚନା ଅନୁଯାୟୀ, ପୂର୍ବରୁ ଏହି ପରୀକ୍ଷା ସ୍ଥଗିତ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓ ପରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ହେଲେ କୌଣସି ବ୍ୟବସ୍ଥା ନ ହେବାରୁ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ରାଜ୍ୟରେ ଏବେ କୋଭିଡ୍ କଟକଣା ଜାରି ରହିଥିବାବେଳେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାନବାହନ ଚଳାଚଳ ସ୍ଵାଭାବିକ ନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ କିଭଳି ଭଲରେ ଆସି ପରୀକ୍ଷା ଦେଇ ଫେରିବେ, ସେ ଦାୟିତ୍ଵ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏପରିକି ପ୍ରବେଶ ପତ୍ର ଦେଖାଇଲେ ସେମାନଙ୍କ ଯାନବାହନକୁ ଛାଡିବା ଲାଗି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Google

ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି, ଆସନ୍ତା ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ପରିକ୍ଷାର୍ଥୀ କେବଳ ସେମାନଙ୍କ ପ୍ରବେଶପତ୍ର ଦେଖାଇଲେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଯେଉଁ ପରୀକ୍ଷାର୍ଥୀ ନିଜ ସୁବିଧାରେ ଆସିବାକୁ ଚାହିଁବେ, ସେମାନଙ୍କୁ ସରକାର ସହଯୋଗ କରିବେ । ସେମାନଙ୍କ ଯାନବାହନକୁ କୋଭିଡ୍ କଟକଣାମୁକ୍ତ କରାଯିବ । ଯେଉଁମାନେ ସରକାରୀ ବ୍ୟବସ୍ଥାରେ ଆସିବାକୁ ଚାହିଁବେ, ସେମାନେ ଜଣାଇଲେ ତାଙ୍କର ମାଗଣା ନେବା ଆଣିବା ବ୍ୟବସ୍ଥା ମଧ୍ୟ ସରକାର କରିବେ ।

Google

ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ୍ ସେଣ୍ଟର କରାଯାଇଛି । ସେଠାରେ ଏକ ସେଲ୍ ଖୋଲିବ ଏବଂ ସରକାର ଟେଲିଫାନ୍ ନମ୍ବର ଜାରି କରିଛନ୍ତି । ସେହି ସେଲ୍‌କୁ ବ୍ୟକ୍ତିଗତ ଭାବେ ଯାଇ କିମ୍ବା ଫୋନ୍ କରି ପରୀକ୍ଷାର୍ଥୀ ସେମାନଙ୍କ ଆବଶ୍ୟକତା ଜଣାଇଲେ ବ୍ୟବସ୍ଥା କରାଯିବ । ତେବେ ସମସ୍ୟା ସମ୍ପର୍କରେ ଅଗଷ୍ଟ ୩୧ ତାରିଖ ମଧ୍ୟାହ୍ନ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଜଣାଇବାକୁ ମୁଖ୍ୟ ସଚିବ ସ୍ପଷ୍ଟ କରିଛନ୍ତି । ତା’ପରେ ସରକାର ଓଏସ୍ଆର୍‌ଟିସି, ଘରୋଇ ବସ୍‌ ଆଦି ବ୍ୟବସ୍ଥା କରି ପରୀକ୍ଷାର୍ଥୀଙ୍କୁ ୭ଟି ପରୀକ୍ଷା କେନ୍ଦ୍ରକୁ ଆଣିବେ ଓ ନେବେ ।

ସେହିଭଳି ଯେଉଁମାନେ ରହିବାକୁ ଚାହିଁବେ, ସେମାନେ ଓ ତାଙ୍କ ଅଭିଭାବକଙ୍କୁ ଖାଲିଥିବା ସରକାରୀ ଇଞ୍ଜିନିୟରିଂ କଲେଜ, ପଲିଟେକ୍‌ନିକ୍, ଘରୋଇ ଇଞ୍ଜିନିୟରିଂ ହଷ୍ଟେଲରେ ନିଃଶୁକ୍ଳରେ ରହିପାରିବେ । ୧୩ ତାରିଖରେ ହେବାକୁ ଥିବା ନିଟ୍ କ୍ଷେତ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ହେବ ।

Leave a Reply

Your email address will not be published. Required fields are marked *