କରୋନା ରୋକିବ ‘ସୋସିଆଲ ବବଲ୍’: ଜାଣନ୍ତୁ ଏହା କ’ଣ…

ନୂଆଦିଲ୍ଲୀ,୨୮/୯: କରୋନା ମହାମାରୀ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି କରିଛି । ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ଏଥିପାଇଁ ଘରୁ ବାହାରକୁ ଯିବାବେଳେ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ୬ ଫୁଟ ରଖନ୍ତୁ । ଘରକୁ ଫେରିବାବେଳେ ହାତକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହି ନିୟମ ମାନି ଅନେକ ଦେଶ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସଫଳ ହୋଇଛନ୍ତି । ଅନ୍ୟପକ୍ଷରେ ଅନେକ ଦେଶ ‘ସୋସିଆଲ ବବଲ୍’ ପନ୍ଥା ମଧ୍ୟ ଆପଣାଇଛନ୍ତି । ଏଥିରେ ନ୍ୟୁଜିଲ୍ୟାଣ୍ଡ ଶୀର୍ଷରେ ରହିଛି । ବିଶ୍ୱାସ କରାଯାଏ ନ୍ୟୁଜିଲାଣ୍ଡରୁ ‘ସୋସିଆଲ ବବଲ୍’ର ଆରମ୍ଭ ହୋଇଛି ଯାହା ବର୍ତ୍ତମାନ ଅନେକ ଦେଶ ଦ୍ୱାରା ଗ୍ରହଣ କରାଯାଉଛି । ନ୍ୟୁଜିଲ୍ୟାଣ୍ଡରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ଏହି ବବଲ୍ କାର୍ଯ୍ୟକ୍ରମ ଲାଭଦାୟକ ହୋଇଛି । ସୋସିଆଲ ବବୁଲ୍ କ’ଣ ଏବଂ କରୋନାକୁ ରୋକିବାରେ ଏହା କିପରି ସାହାଯ୍ୟକାରୀ ଅଟେ, ଆସନ୍ତୁ ଜାଣିବା…

ଏହା ଇଂରାଜୀର ଦୁଇଟି ଶବ୍ଦ ସୋସିଆଲ ଅର୍ଥାତ୍ ସାମାଜିକ ଏବଂ ବବଲ୍ ଅର୍ଥାତ ଫୋଟକା ଦ୍ୱାରା ଗଠିତ । ଏହି ଶବ୍ଦର ଅର୍ଥ ହେଉଛି ସମାଜରେ ବବଲ ବା ଫୋଟକା ପରି ବଞ୍ଚିବା । ସରଳ ଭାଷାରେ ବୁଝିବାକୁ ଗଲେ, ମନେକରାଯାଉ ଗୋଟିଏ ପରିବାରରେ ଚାରି ଜଣ ଏବଂ ଅନ୍ୟ ପରିବାରରେ ଦୁଇଜଣ ସଦସ୍ୟ ଅଛନ୍ତି । ତେବେ ଉଭୟ ପରିବାରର କୌଣସି ଲୋକ ଅନ୍ୟ ପରିବାରର ଲୋକଙ୍କ ସହ ମିଳାମିଶା କରନ୍ତୁ ନାହିଁ । ଏଭଳି ପରିସ୍ଥିତିରେ ଉଭୟ ପରିବାର ପରସ୍ପରର ସୋସିଆଲ ବବଲ ହୋଇପାରିବେ ।

ସୋସିଆଲ ବବଲ ପାଇଁ ଅନେକ ନିୟମ ଅଛି, ଯାହାକୁ କଠୋର ଭାବରେ ପାଳନ କରାଯିବା ଆବଶ୍ୟକ । ଏଥିପାଇଁ ଲୋକମାନେ (ଉଭୟ ପରିବାର ସଦସ୍ୟ) ଶାରୀରିକ ଦୂରତା ଅନୁପାଳନ କରନ୍ତି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧନ୍ତି ଏବଂ କେବଳ ସୀମିତ (ଚିହ୍ନିତ) ବ୍ୟକ୍ତିଙ୍କ ସହ ମିଳାମିଶା କରନ୍ତି । ସୋସିଆଲ ବବଲ୍ ଗଠନ ହେବା ପୂର୍ବରୁ ସେମାନେ ନିୟମ ପାଳନ କରିବେ ବୋଲି ଉଭୟ ପରିବାରର ସହମତି ଆବଶ୍ୟକ । ଏହା ସଙ୍ଗେ ସଙ୍ଗେ ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ ଅଟେ । ଯେକୌଣସି ବୟସର ବ୍ୟକ୍ତିବିଶେଷଙ୍କୁ ନେଇ ‘ସୋସିଆଲ ବବଲ୍’ ସୃଷ୍ଟି କରାଯାଇପାରିବ । କିନ୍ତୁ ବୃଦ୍ଧମାନଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଛି ।

ସୋସିଆଲ ବବୁଲ୍ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିପରେ । ଏପରି ଲୋକମାନେ ସଂକ୍ରମିତ ହେବାଠାରୁ ରକ୍ଷା ପାଇବେ । ଏଥିରେ ଲୋକମାନଙ୍କୁ ସଂକ୍ରମଣର ଆଶଙ୍କା ନଥାଏ । କାରଣ ଲୋକମାନେ ଏହି ପ୍ରକ୍ରିୟାରେ ଅଜ୍ଞାତ ବ୍ୟକ୍ତିଙ୍କ ସହ ମିଶିବେ ନାହିଁ । ଏଥିସହ ସର୍ବସାଧାରଣ ସ୍ଥାନରେ ଅନ୍ୟମାନଙ୍କ ସହ ସାମାଜିକ ଦୂରତା ଓ ସାମାଜିକ ଯତ୍ନ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଏ ।

ବି.ଦ୍ର : କରୋନା ଭଳି ମହାମାରୀ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ମାସ୍କ ପରିଧାନ କରନ୍ତୁ । ହାତକୁ ଯଥାସମ୍ଭବ ସାନିଟାଇଜର କରନ୍ତୁ କିମ୍ବା ସାବୁନରେ ହାତ ଧୁଅନ୍ତୁ ।

Be the first to comment

Leave a Reply

Your email address will not be published.


*