ଅମ୍ବାନୀଙ୍କ ଘରେ ହୋଇନଥିଲା ଚୋରି ! ଘର ବାହାରର ସିସିଟିଭି ଫୁଟେଜ୍ ନଷ୍ଟ କରିଥିଲେ ସଚିନ୍ ୱାଜେ…

ଅମ୍ବାନୀଙ୍କ ଘରେ ହୋଇନଥିଲା ଚୋରି ! ଘର ବାହାରର ସିସିଟିଭି ଫୁଟେଜ୍ ନଷ୍ଟ କରିଥିଲେ ସଚିନ୍ ୱାଜେ…

ମୁକେଶ ଅମ୍ବାନୀଙ୍କ ଘର ବାହାରୁ ଉଦ୍ଧାର ହୋଇଥିବା ସ୍କର୍ପିଓ ଗାଡି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏହି ଘଟଣାର ଅନୁସନ୍ଧାନ ବେଳେ ଏନଆଇଏ ଜାଣିବାକୁ ପାଇଥିଲା ଯେ ସ୍କର୍ପିଓ ଚୋରି ହୋଇଥିବାର ଦାବି ମିଥ୍ୟା ଅଟେ । ସୂଚନାନୁସାରେ ଆଣ୍ଟିଲିଆ ବାହାରେ ମିଳିଥିବା ସ୍କର୍ପିଓ କାର୍ ଚୋରି ହୋଇନଥିଲା । ଏନଆଇଏ ସନ୍ଦେହ କରୁଛି ଯେ କାରର ମାଲିକ ବିକ୍ରୋଲି ବୋଧହୁଏ କାହାର ଚାପରେ ଏହି ଚୋରି ଅଭିଯୋଗ କରିଛନ୍ତି । ଏନଆଇଏ ଏହି ଘଟଣା ସମ୍ବନ୍ଧରେ ବିକ୍ରୋଲିଙ୍କୁ ପଚରାଉଚରା କରିବା ପୂର୍ବରୁ ବିକ୍ରୋଲିଙ୍କୁ ହତ୍ୟା କରିଦିଆଯାଇଥିଲା ।

ଏହି ଘଟଣାରେ ମୁମ୍ବାଇ ପୋଲିସ୍ ଅଧିକାରୀ ତଥା ଏନକାଉଣ୍ଟର ସ୍ପେସିଆଲିଷ୍ଟ ସଚିନ୍ ୱାଜେଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ତାଙ୍କୁ ଗିରଫ୍ କରାଯାଇ ପଚରାଉଚରା କରାଯାଉଛି । ଏନଆଇଏ ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ୱାଜେ ଡିଭିଆରର ବାହାନା କରି ସୋସାଇଟିରୁ ଆଣ୍ଟିଲିଆର୍ ସିସିଟିଭି ଫୁଟେଜ୍ ବେଆଇନ୍ ଭାବେ ଆଣିଛନ୍ତି । ୱାଜେ ସୋସାଇଟିରୁ ଡିଭିଆର୍ ନେଇ କହିଥିଲେ ଯେ ଏହା ପୋଲିସର ସରକାରୀ ବ୍ୟବହାର ପାଇଁ ଅଟେ । ଫୁଟେଜ୍ ପାଇବା ପରେ ସେ ଏହାକୁ ନଷ୍ଟ କରିଦେଇଥିଲେ ଯାହାଦ୍ୱାରା ଘଟଣା ସମ୍ବନ୍ଧୀୟ କୌଣସି ପ୍ରମାଣ ମିଳିବ ନାହିଁ ।

ଏନଆଇଏକୁ ଏକ ଚିଠି ମିଳିଛି ଯାହା ୱାଜେ ସୋସାଇଟିରୁ ଫୁଟେଜ୍ ପାଇବା ପାଇଁ ଲେଖିଥିଲେ । ଏଥିରେ ଲେଖାଯାଇଛି ଯେ ଆଣ୍ଟିଲିଆ ମାମଲାର ଯାଞ୍ଚ ପାଇଁ ଫୁଟେଜ୍ ନିଆଯାଉଛି ଯେଉଁଥିରେ ୱାଜେଙ୍କ ଦସ୍ତଖତ ମଧ୍ୟ ରହିଛି । ୱାଜେ ସମସ୍ତ ଡିଭିଆରକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ୱାଜେ ଏକ ନମ୍ବର ପ୍ଲେଟ୍ ଦୋକାନକୁ ଯାଇ ସ୍କର୍ପିଓ ଏବଂ ଇନୋଭା ପାଇଁ ନକଲି ନମ୍ବର ପ୍ଲେଟ୍ ତିଆରି କରିଥିଲେ । ସ୍କର୍ପିଓରେ ଏକ ସ୍କୁଟରର ନମ୍ବର ପ୍ଲେଟ୍ ଲଗାଯାଇଛି ।

ବର୍ତ୍ତମାନ ସଚିନ୍ ୱାଜେ ୨୫ମାର୍ଚ୍ଚ ପର୍ଯ୍ୟନ୍ତ ଏନଆଇଏ କଷ୍ଟଡିରେ ରହିବେ । ୱାଜେଙ୍କ ଓକିଲ ଜାମିନ୍ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସଚିନ୍ ୱାଜେଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ କୋର୍ଟରେ ହାଜର ହେବାର ୧୨ଘଣ୍ଟାପୂର୍ବରୁ ତାଙ୍କୁ ବେଆଇନ୍ ଭାବେ ରଖାଯାଇଥିଲା । ସଚିନଙ୍କୁ ରବିବାର ଦିନ ଗିରଫ୍ କରାଯାଇଥିଲା କିନ୍ତୁ ତାଙ୍କୁ ସୋମବାର ଦିନ କୋର୍ଟରେ ପେଶ୍ କରାଗଲା ।

କିଛି ଦିନ ପୂର୍ବରୁ ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ ସ୍କର୍ପିଓ ଗାଡି ଦେଖିବାକୁ ମିଳିଥିଲା । ଯାହା ବିସ୍ଫୋରକରେ ଭର୍ତି ହୋଇଥିଲା । ଏହି ମାମଲାରେ ଯେତେବେଳେ କାରର ମାଲିକ ବିକ୍ରୋଲିଙ୍କୁ ପଚରାଉଚରା କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ତାଙ୍କ କାର୍ ଚୋରି ହୋଇଯାଇଛି । ତାର କିଛି ଦିନପରେ ବିକ୍ରୋଲିଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ କି ଆତ୍ମହତ୍ୟା ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଏନଆଇଏକୁ ଦିଆଯାଇଛି । ଏନଆଇଏ ଏହି ଘଟଣାରେ ସଚିନ୍ ୱାଜେଙ୍କ ଭୂମିକାକୁ ସନ୍ଦେହ କରୁଛି, ଯେଉଁଥିପାଇଁ ତାଙ୍କୁ ଗିରଫ୍ କରାଯାଇଛି । ସଚିନ୍ର ୱାଜେଙ୍କୁ ପଚରାଉଚରା କରି ଏନଆଇଏ ଜାଣିବାକୁ ଚେଷ୍ଟା କରୁଛି ଯେ ପ୍ରକୃତରେ ଏହି ଷଡଯନ୍ତ୍ର ପଛରେ କେଉଁମାନେ ରହିଛନ୍ତି ।

Leave a Reply

Your email address will not be published. Required fields are marked *