ବଲିଉଡରେ ଡ୍ରଗ୍ସ ଲିଙ୍କ: ସାମ୍ନାକୁ ଆସିଲା ‘ଏସ୍’, ‘ଆର୍’ ଓ ‘ଏ’ଙ୍କ ବାସ୍ତବ ଚେହେରା; ଜାଣନ୍ତୁ କିଏ ସେମାନେ…

ମୁମ୍ବାଇ,୨/୧୦: ବଲିଉଡରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏବେ ଅନେକ ବଡ଼ କଳାକାରଙ୍କ କଳା କାରନାମା ଲୋକଲୋଚନକୁ ଆସିଛି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ହାତରେ ନ୍ୟସ୍ତ ହେବା ପରେ ଏହି ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା । ଏହାପରେ ସନ୍ଦେହ ଘେରକୁ ଆସିଥିଲେ ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ରିୟା ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) । ଏନସିବି ଜେରାରେ ଘାଇଲା ହୋଇ ରିୟା ଖୋଲିଥିଲେ ଡ୍ରଗ୍ସ ପେଡ଼ି । ଫଳରେ ଏଥିରେ ଦୀପିକା, ସାରା, ରକୁଲ ପ୍ରୀତଙ୍କ ଭଳି ଆଗଧାଡ଼ିର ନାୟିକାଙ୍କ ଚେହେରା ଆଗକୁ ଆସିଥିଲା । ସେମାନଙ୍କୁ ଜେରା କରାଯିବା ପରେ ଏନସିବି ୩ ଜଣ ‘ଏ’ ଗ୍ରେଡ୍ କଳାକାରଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା ।

ସେମାନଙ୍କ ନାମର ପ୍ରଥମ ଅକ୍ଷର ‘ଏସ୍’, ‘ଆର୍’ ଏବଂ ‘ଏ’ରୁ ଆରମ୍ଭ ହେଉଥିବା ଯାଞ୍ଚ ଏଜେନ୍ସି ସୂଚନା ଦେଇଥିଲେ ହେଁ ପୂରା ନାମ ପ୍ରକାଶ କରିନଥିଲା । ଏବେ ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଦୈନିକ ଭାସ୍କର’ ସେହି କଳାକାରଙ୍କ ନାମ ପ୍ରକାଶ କରିଛି । ଏସ୍-ଶାହରୁଖ ଖାନ, ଆର-ରଣବୀର କପୁର ଓ ଏ-ଅର୍ଜୁନ ରାମପାଲ ବୋଲି ଏହି ଗଣମାଧ୍ୟମ ସଂସ୍ଥା ଖବର ପ୍ରକାଶ କରିଛି ।

ଦୈନିକ ଭାସ୍କର ଏକ ରିପୋର୍ଟରେ ଦାବି କରିଛି ଯେ ଯାଞ୍ଚ ସମୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାରେ ଶାହରୁଖ ଖାନ, ରଣବୀର କପୁର, ଡିନୋ ମାରିଆ ଏବଂ ଅର୍ଜୁନ ରାମପାଲଙ୍କ ସମ୍ପୃକ୍ତି ନେଇ ସୁରାକ୍ ପାଇଛି । ଏହା ଉପରେ ଏନସିବି ପ୍ରତିକ୍ରିୟା ରଖି କହିଛି, ‘ଏସ୍’, ‘ଆର୍’ ଏବଂ ‘ଏ’ ଉପରେ ବିନା କିଛି ପ୍ରମାଣ ଆଧାରରେ କେତେଗୁଡ଼ିଏ ଗଣମାଧ୍ୟମ ସଂସ୍ଥା ଖବର ପ୍ରକାଶ କରୁଛନ୍ତି । ମାତ୍ର ଦୈନିକ ଭାସ୍କର ପକ୍ଷରୁ କୁହାଯାଇଛି, ଏନସିବିର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହି କଳାକାରମାନେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ପ୍ରକାଶ କରିଛନ୍ତି ।

ଗତ ମଙ୍ଗଳବାର ଦୀପିକା ପାଦୁକୋନଙ୍କ ସହ କାମ କରିଥିବା ୩ ‘ଏ’ ଗ୍ରେଡ୍ କଳାକାରଙ୍କ ନାମ ଏନସିବି ରାଡାରକୁ ଆସିଥିଲା । ପ୍ରଡ୍ୟୁସର କ୍ଷିତିଜ ରବି ପ୍ରସାଦ ଏହି ସୁପରଷ୍ଟାରଙ୍କ ନାମ ନେଇଥିଲେ । ସମ୍ପୃକ୍ତ କଳାକାରଙ୍କ ନାମ ‘ଏସ୍’, ‘ଆର୍’ ଏବଂ ‘ଏ’ରୁ ଆରମ୍ଭ ହେଉଥିବା ସୂଚନା ମିଳିଥିଲା । ସୂଚନା ମୁତାବକ ‘ଏ’ରୁ ଆରମ୍ଭ ହେଉଥିବା ନାମର କଳାକାର ଜଣକ ଡ୍ରଗ୍ସ ନେଉଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦେଉଥିଲେ ।

Be the first to comment

Leave a Reply

Your email address will not be published.


*