ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ପାଖପାଖି ୨୦ଦିନ ବିତି ଯାଇଛି । କିନ୍ତୁ ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ବଲିଉଡ଼ରେ ‘ନେପୋଟିଜମ୍’କୁ ନେଇ ଯେଉଁ କଳହ ଲାଗି ରହିଛି, ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଜାରି ରହିଛି ।

ଖବର ଆସୁଛି ଯେ, ବର୍ତ୍ତମାନ ଏହି କଳହରେ ରାଜ ଠାକରେଙ୍କ ରାଜନୈତିକ ଦଳ ‘ମହାରାଷ୍ଟ୍ର ନବ ନିର୍ମାଣ ସେନା'(MSN) ମଧ୍ୟ ଡେଇଁ ପଡ଼ିଛି । MSN ନେପୋଟିଜମ୍ ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କରି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ସମସ୍ତ କଳାକାର ମାନଙ୍କୁ ଅନୁରୋଧ କରିଛନ୍ତି ଯେ, ‘ଯଦି ସେମାନେ ନେପୋଟିଜମର ଶିକାର ହେଉଛନ୍ତି, ତାଙ୍କ ପାଖକୁ ଆସନ୍ତୁ । ସେ ନେପୋଟିଜମ୍ କରୁଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେବେ ।’

ସୁଶାନ୍ତ ସିଂହ ରାଜପୁତ ୧୪ଜୁନରେ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ । ଦୀର୍ଘ ସମୟ ଧରି ସେ କ୍ଲିନିକାଲ୍ ଡିପ୍ରେସନରେ ରହୁଥିଲେ । ବଲିଉଡ଼ରେ ଚାଲୁଥିବା ‘ନେପୋଟିଜମ୍’ ତାଙ୍କ ମାନସିକ ଅବସାଦର ପ୍ରମୁଖ କାରଣ ଥିଲା । ସୋସିଆଲ୍ ମିଡ଼ିଆର କିଛି ରିପୋର୍ଟରେ ଦାବି କରାଯାଉଛି ଯେ, ସୁଶାନ୍ତ ବଲିଉଡ଼ରେ ନେପୋଟିଜମ୍ ଓ ଅପମାନର ଶିକାର ହୋଇଥିଲେ । ଇଣ୍ଡଷ୍ଟ୍ରିର କିଛି ପ୍ରଭାବଶାଳୀ କଳାକାର କିମ୍ବା ବ୍ୟକ୍ତିମାନେ ତାଙ୍କୁ ବଲିଉଡ଼ ଠାରୁ ଅଲଗା କରିଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ତାଙ୍କ ଠାରୁ କାମ ଛଡ଼େଇ ନେଇଥିଲେ ଏବଂ ମିଥ୍ୟା ଗୁଜବ ପ୍ରଚାର କରି ସୁଶାନ୍ତଙ୍କୁ ଅପମାନିତ କରିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ ।

ସୁଶାନ୍ତଙ୍କ ନିଧନ ପରେ ଆରମ୍ଭ ହୋଇଥିବା ବିବାଦ ଯୋଗୁଁ ବଲିଉଡ଼ର ଅନେକ ବଡ଼ ବଡ଼ କଳାକାର ମାନେ ମଧ୍ୟ ନିଜ ସହ ଘଟିଥିବା ‘ନେପୋଟିଜମ୍’ ବିଷୟରେ ବର୍ଣ୍ଣନା କରିଛନ୍ତି । ଗୋଟିଏ ପଟେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢେ଼ଇ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଚାଲିଛି, ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ୍ ମଧ୍ୟ ସମ୍ପୂର୍ଣ୍ଣ ଗମ୍ଭୀରତାର ସହ ଏହି ମାମଲାର ଯାଞ୍ଚ କରୁଛି । ପୋଲିସ୍ ମଧ୍ୟ ‘ନେପୋଟିଜମ୍’କୁ ଧ୍ୟାନରେ ରଖି ମାମଲାର ତଦନ୍ତ କରୁଛି ।

ଏହା ଭିତରେ ଖବର ଆସିଛି ଯେ, ରାଜ ଠାକରେଙ୍କ ପାର୍ଟି MNSର ଉପ-ସଭାପତି ବାଗୀଶ ସାରସ୍ୱତ ନେପୋଟିଜମ୍ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉଠାଇବା ଓ ତାଙ୍କୁ ଉଚିତ ଶିକ୍ଷା ଦେବା କଥା କହିଛନ୍ତି । ରିପୋର୍ଟ ଅନୁଯାୟୀ, ବାଗୀଶ ସାରସ୍ୱତ କହିଛନ୍ତି ଯେ, “ମୁମ୍ବାଇ ପୋଲିସ୍ ଉଚିତ ଭାବରେ ଯାଞ୍ଚ କରୁଛନ୍ତି । ପୋଲିସଙ୍କୁ ନେପୋଟିଜମ୍ ଉପରେ ସମସ୍ତଙ୍କୁ ପ୍ରଶ୍ନ କରିବା ଉଚିତ, ତାହା ଭଂଶାଳୀ ହେଉ ଅଥବା ଅନ୍ୟ କେହି” ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ, “ଯଦି କେହି ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରତାଡିତ ହେଉଛି, ଯଦି କୌଣସି ଦଳ କୌଣସି କଳାକାରକୁ କାମ ଦେଉ ନାହାଁନ୍ତି, ତେବେ ସେହି କଳାକାର ଏମଏନଏସ ନିକଟକୁ ଆସନ୍ତୁ । ରାଜ ଠାକରେଙ୍କ ଦଳ ନେପୋଟିଜମ୍ କରୁଥିବା ବ୍ୟକ୍ତିଙ୍କୁ ଉଚିତ ଶିକ୍ଷା ଦେବେ ।”

ଆପଣଙ୍କୁ ସୁଚାଇଦେଉଛୁ ଯେ, ମୁମ୍ବାଇ ପୋଲିସ୍ ଏହି ମାମଲାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ୨୮ ଲୋକଙ୍କୁ ପଚରାଉଚରା କରିସାରିଛି ଏବଂ ବର୍ତ୍ତମାନ ଖୁବଶୀଘ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂଶାଳୀଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ ।