ନୂଆ କାର୍ କିଣିବେ ନାହିଁ ରାଷ୍ଟ୍ରପତି !

ନୂଆଦିଲ୍ଲୀ,୧୫/୫: କରୋନା ସଙ୍କଟ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରପତି ତାଙ୍କର ମାସକର ଦରମା ପିଏମ କେୟାର ଫଣ୍ଡକୁ ଦେଇଥିବା ଏବଂ ବେତନର ୩୦ ପ୍ରତିଶତ ବର୍ଷେ ପାଇଁ ଦାନ କରିବେ ବୋଲି ରାଷ୍ଟ୍ରପତି ଭବନରୁ ସୂଚନା ମିଳିଛି । ଏଥିସହ ଖର୍ଚ୍ଚ କାଟ ପାଇଁ ଅନ୍ୟ କେତେଗୁଡ଼ିଏ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।

ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି କୋବିନ୍ଦ ଏକ ଲିମୋଜିନ୍ କାର କିଣିବାର ପ୍ରସ୍ତାବକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ଚଳିତବର୍ଷ ଏକ ନୂଆ ଲିମୋଜିନ୍ କିଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ସେ ବର୍ତ୍ତମାନ ସୁଦ୍ଧା ମର୍ସିଡିଜ୍-ବେଞ୍ଜ୍ ଏସ୍ କ୍ଲାସ୍ (S600) ପୁଲମାନ୍ ଗାର୍ଡର ପୁରୁଣା ମଡେଲ୍ ବ୍ୟବହାର କରୁଛନ୍ତି । ସେଥିପାଇଁ ୨୦୨୧ ଗଣତନ୍ତ୍ର ଦିବସ ଅବସରରେ ସେ ଏକ ନୂତନ ଲିମୋଜିନ୍ କାରରେ ପ୍ୟାରେଡରେ ଆସିବାର ଥିଲା । କିନ୍ତୁ କରୋନା ସଙ୍କଟ କାରଣରୁ ଏହାକୁ ବାତିଲ କରି ଦିଆଯାଇଛି । କେବଳ ଏତିକି ନୁହେଁ, ରାଷ୍ଟ୍ରପତି ଭବନର କର୍ମଚାରୀଙ୍କୁ ଖର୍ଚ୍ଚ କମ୍ କରିବାକୁ ଏବଂ ବାକି ଟଙ୍କାକୁ କୋଭିଡ -୧୯ ବିରୋଧରେ ଲଢେଇ ପାଇଁ ଦାନ କରିବା ନିମନ୍ତେ କୁହାଯାଇଛି ।

ଏଥିସହ ଖର୍ଚ୍ଚ କାଟ ପାଇଁ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଭୋଜିରେ କମ୍ ଅତିଥି, ଫୁଲର କମ୍ ବ୍ୟବହାର ସହ ଖାଦ୍ୟରେ ବିଭିନ୍ନ ରକମରକୁ କମାଇ ଦିଆଯିବାର ପଦକ୍ଷେପ ନିଆଯାଇଛି । ଏଥିସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ଖର୍ଚ୍ଚ କମାଇବା ପାଇଁ ରାଷ୍ଟ୍ରପତିଙ୍କୁ ଘରୋଇ ପରିଦର୍ଶନ କମାଇବା ଏବଂ କମ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ କୁହାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ, ଆମେ କୌଣସି ଅତିଥିଙ୍କ ସେବାରେ କୌଣସି ଅଭାବ ରଖିବୁ ନାହିଁ । କିନ୍ତୁ ବର୍ତ୍ତମାନ ବେଶି ସୋ ଅଫ୍ କରାଯିବ ନାହିଁ ।

Be the first to comment

Leave a Reply

Your email address will not be published.


*