ଚିରନିଦ୍ରାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ !

ଭୁବନେଶ୍ବର,୪/୧୦: ପୂର୍ବତନ ମନ୍ତ୍ରୀ, ପିପିଲି ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କର ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ଆକାଶରେ କଳା ମେଘ ଘୋଟି ଯାଇଛି ।

ସୂଚନା ଅନୁଯାୟୀ, ଶାରୀରିକ ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ସ୍ଵାସ୍ଥ୍ୟାବସ୍ଥା ଶନିବାର ହଠାତ ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଚିକିତ୍ସା ଜାରି ରହିଥିଲା । ମାତ୍ର ଡାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ବିଫଳ ହୋଇଥିଲା । ମହାରଥୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ନ ଥିଲା । ମୃତ୍ୟୁବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଶେଷଦର୍ଶନ ଲାଗି ବହୁ ସମର୍ଥକ ହସ୍ପିଟାଲ ନିକଟକୁ ଆସିଥିଲେ ।

ସୂଚନାଯୋଗ୍ୟ, ଗତ ମାସ ୧୪ ତାରିଖରେ ପ୍ରଦୀପ ମହାରଥୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ସେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର ସେ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ଫଳରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ଵାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଶେଷରେ ହାରିଯାଇଥିଲେ ମହାରଥୀ । ଶନିବାର ମଧ୍ୟରାତ୍ରି ପ୍ରାୟ ୨ଟା ୩୮ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।

ପରଲୋକଗତ ଏହି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯିବ ବୋଲି ସୂଚନା ମିଳିଛି । ଅପରାହ୍ନରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟାରେ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଶରୀରକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଛି । ତା‘ପରେ ତାଙ୍କର ମୃତ୍ୟୁ ଶରୀରକୁ ବିଧାନସଭା ପରିସରକୁ ନିଆଯାଇ ସେଠାରୁ ଫେରିବା ପରେ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଶେଷଦର୍ଶନ ପାଇଁ ପିପିଲି ସ୍ଥିତ ତାଙ୍କ ଫାର୍ମହାଉସକୁ ନିଆଯିବ । ଏହାପରେ ପୁରୀ ଅଭିମୁଖେ ନିଆଯାଇ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନରେ ଏବେ ରାଜ୍ୟର ବିଭିନ୍ନ ଦଳର ରାଜନୈତିକ ନେତାମାନଙ୍କର ଭିଡ଼ ଲାଗିଛି । ରାଜ୍ୟର ରାଜନୈତିକ ମହଲରେ ମହାରଥୀଙ୍କ ବିୟୋଗ ଶୋକର ଛାୟା ଖେଳାଇ ଦେଇଛି । ଦଳମତ ନିର୍ବିଶେଷରେ ବହୁ ନେତା ତାଙ୍କର ଶେଷଦର୍ଶନ କରୁଛନ୍ତି ।

ପୁରୀ ଜିଲ୍ଲା ପିପିଲି ଖୋରପଡ଼ାରେ ୪ ଜୁଲାଇ ୧୯୫୫ରେ ଜନ୍ମଗ୍ରହଣ କରିଥିବା ଏହି ବରିଷ୍ଠ ବିଜେଡି ନେତା ଏସସିଏସ କଲେଜରୁ ଛାତ୍ରନେତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଡାକରାରେ ସେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ । ସ୍ଵର୍ଗତ ମହାରଥୀ ପିପିଲି ବିଧାନସଭା ଆସନରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହାରେ ପ୍ରଥମ ଥର ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥିସହ କୃଷି ଓ ପଞ୍ଚାୟତିରାଜ ଭଳି ସେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।

Be the first to comment

Leave a Reply

Your email address will not be published.


*