ବିଜୁଳି ଦର ବୃଦ୍ଧିକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ !

ଭୁବନେଶ୍ୱର,୧/୧୦: କରୋନା ମହାମାରୀ ମଧ୍ୟରେ ବିଧାନସଭାରେ ଜାରି ରହିଛି ମୌସୁମୀ ଅଧିବେଶନ। ଗୁରୁବାର ଗୃହରେ ବିଜୁଳି ଦର ବୃଦ୍ଧିଙ୍କୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିବା ସହ ବିରୋଧୀ ବିଧାୟକ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ସରକାରଙ୍କୁ ଘାଇଲା କରିଛନ୍ତି। ତେବେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହାର ଉତ୍ତର ରଖିଛନ୍ତି।

ସୂଚନା ଅନୁଯାୟୀ, ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବଢ଼ାଇଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। କରୋନା ମହାମାରୀ ସମୟରେ ଲୋକେ ଜୀବନ ଜୀବିକା ହରାଉଥିବାବେଳେ କାହା ସ୍ବାର୍ଥରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

ଚାରୋଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ଉପରେ ଏବେ ୫,୯୬୩ କୋଟି ଟଙ୍କା ବାକି ପଡିଛି। ସେହିପରି ୨୬ଟି ଶିଳ୍ପସଂସ୍ଥା ଉପରେ ପ୍ରାୟ ୩ ହଜାର କୋଟିର ବିଦ୍ୟୁତ ବିଲ୍ ବକେୟା ଗଡୁଛି। ଏସବୁ ଆଦାୟ କରିବାର ବାଟ ନ ଖୋଜି ସାଧାରଣ ଲୋକଙ୍କ ଉପରେ ବିଜୁଳି ବୋଝ ଲଦିବା କାହା ସ୍ବାର୍ଥରେ ବୋଲି ବିଜେପି ପ୍ରଶ୍ନ ଉଠାଇଛି। ସେହିଭଳି କଂଗ୍ରେସ ମଧ୍ୟ ଏହାକୁ ନେଇ ହଙ୍ଗାମା କରିଛି। ପଡୋଶୀ ଛତିଶଗଡରେ ବିଜୁଳି ଦର ଓଡ଼ିଶାଠାରୁ କମ୍। ତେଣୁ କେଉଁ ଆଧାରରେ ଓଡ଼ିଶାରେ ଅଧିକ ରେଟରେ ଖାଉଟି ବିଲ୍ ଭରିବେ। ରିଲାଏନ୍ସ ଓ ଇମ୍ଫା ଭଳି ବଡ ବଡ କମ୍ପାନୀଗୁଡ଼ିକୁ ବିଦ୍ୟୁତ ବକେୟା ଛାଡ଼ କରିବାରେ କି ରହସ୍ୟ ଅଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ବିରୋଧୀ କହିଛନ୍ତି, ବିଦ୍ୟୁତ ବଳକା ଥିବାବେଳେ ବାହାର ରାଜ୍ୟକୁ ୟୁନିଟ ପିଛା ୩ ଟଙ୍କା ୨୧ ପଇସାରେ ରାଜ୍ୟ ସରକାର ବିକ୍ରି କରୁଛନ୍ତି। ଦରକାରବେଳେ ବାହାର ରାଜ୍ୟରୁ ୟୁନିଟ ପିଛା ୩ ଟଙ୍କା ୮୧ ପଇସାରେ କିଣୁଛନ୍ତି। କମରେ ବିକ୍ରି କରି ଅଧିକ ଟଙ୍କାରେ କିଣିବା କାହା ସ୍ୱାର୍ଥରେ ବୋଲି ବିରୋଧୀ ଗର୍ଜିଛନ୍ତି। ବିରୋଧୀଙ୍କ ପ୍ରଶ୍ନର ଜବାବରେ ଶକ୍ତି ମନ୍ତ୍ରୀ କହିଛନ୍ତି, ୭ ବର୍ଷ ପରେ ବିଜୁଳି ଦର ବଢାଯାଇଛି। ତାହା ପୁଣି ୟୁନିଟ୍ ପିଛା ୨୦ ପଇସା। କୃଷକ, ବିପିଏଲ ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନାହିଁ। ଏନଟିପିସି, ଏନଏଚପିସି, ପିଜିସିଆଇଏଲ ଆଦି ସଂସ୍ଥା ୬୮ ପ୍ରତିଶତ ଦର ବୃଦ୍ଧି କରିଥିବାରୁ ଓଇଆରସି ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି। ଏଥିସହ ଗୋଟିଏ, ଦୁଇଟି ରାଜ୍ୟକୁ ଛାଡିଦେଲେ ବାକି ସବୁ ରାଜ୍ୟରେ ବିଜୁଳିଦର ଓଡ଼ିଶାଠାରୁ ଅଧିକ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ବିଜୁଳି ଦର ବଦ୍ଧି ବିରୋଧରେ ଏବେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିବାଦର ସ୍ବର ଉଠିଛି। କରୋନା ମହାମାରୀ ସମୟରେ ଗରିବଙ୍କୁ ବିଜୁଳି ମାଡ ସରକାରଙ୍କ ଅମାନବୀୟ ନୀତିର ନମୂନା ବୋଲି କହିବା ସହ ବିରୋଧୀ ଏ ପ୍ରସଙ୍ଗରେ ମୁଲତବୀ  ପ୍ରସ୍ତାବ ଆଣିଛନ୍ତି।

Be the first to comment

Leave a Reply

Your email address will not be published.


*