ଟିଆରପି ସ୍କାମ୍ : ଜଣେ ଅଭିଯୁକ୍ତଙ୍କୁ ୧୧ ମାସରେ ମିଳିଛି ୧ କୋଟି !

ମୁମ୍ବାଇ,୧୧/୧୦: ମୁମ୍ବାଇ କ୍ରାଇମବ୍ରାଞ୍ଚ ଟେଲିଭିଜନ ରେଟିଂ ପଏଣ୍ଟ ଅନିୟମିତତା ମାମଲା (ଟିଆରପି ସ୍କାମ୍)ରେ ଗୋଟିଏ ପରେ ଗୋଟିଏ ରହସ୍ୟ ଉନ୍ମୋଚନ କରିବାରେ ଲାଗିଛି । ମୁମ୍ବାଇ ପୋଲିସ ଘଟଣାରେ ରିପବ୍ଲିକ୍ ଟିଭି ସିଇଓ ବିକାଶ ଖନଚନ୍ଦାନୀଙ୍କୁ ରବିବାର ପଚରାଉଚରା କରିଛି । ଅନ୍ୟପକ୍ଷରେ ମାମଲାରେ ଗିରଫ ୪ ଜଣଙ୍କ ମଧ୍ୟରୁ ଜଣକ ଆକାଉଣ୍ଟକୁ ଗତ ନଭେମ୍ବର ମାସରୁ ଏପର୍ଯ୍ୟନ୍ତ ୧ କୋଟି ଟଙ୍କା ଆସିଥିବା ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଗଣମାଧ୍ୟମକୁ ସୂଚନା ଦେଇଛି ।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ବୋମପେଲୀ ରାଓ ମିସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗତ ନଭେମ୍ବର ମାସରୁ ଏପର୍ଯ୍ୟନ୍ତ ୨୦ ଲକ୍ଷ ଲେଖାଏଁ ମୋଟ ୧ କୋଟି ଟଙ୍କା ଆସିଛି । ତେବେ ୪୫ ବର୍ଷ ବୟସ୍କ ମିସ୍ତ୍ରୀଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା କିଏ ଓ କାହିଁକି ଦେଇଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ମୁମ୍ବାଇ ପୋଲିସ କ୍ରାଇମ ଇଣ୍ଟେଲିଜେନ୍ସି ୟୁନିଟ୍ (ସିଆଇୟୁ) ହଂସା କମ୍ପାନୀର ୨ ଜଣ କର୍ମଚାରୀ ବିଶାଲ ଭଣ୍ଡାରୀ ଓ ବୋମପେଲୀ ରାଓ ମିସ୍ତ୍ରୀଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ମିସ୍ତ୍ରୀଙ୍କ ଆକଉଣ୍ଟକୁ ୧୧ ମାସରେ ୧ କୋଟି ଟଙ୍କା ୫ରୁ ୬ ଥରରେ ଆସିଥିବା ଜଣାପଡିଛି ।

ବାରମ୍ବାର ମୁଣ୍ଡବ୍ୟଥା ହେଉଛି କି ? ଅଣଦେଖା କରନ୍ତୁ ନାହିଁ, ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ !

ତେବେ ପୋଲିସ ଏବେ ମିସ୍ତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ବ୍ୟକ୍ତିକୁ ଖୋଜୁଛି । ମିସ୍ତ୍ରୀଙ୍କ ଆୟ ଯାହା ସେଥିରୁ ସେ ଏତେ କମ୍‌ ସମୟରେ ଏତେ ଟଙ୍କା ଆୟ କରିବା ଅସମ୍ଭବ । ପୋଲିସ ତାଙ୍କ ଆକାଉଣ୍ଟ ଫ୍ରିଜ କରିଥିବାବେଳେ ବ୍ୟାଙ୍କ ଲକରରୁ ସାଢେ ୮ ଲକ୍ଷ ଟଙ୍କା ଜବତ କରିଛି ।

ସେହିପରି ମିସ୍ତ୍ରୀଙ୍କ ସହ ଗିରଫ ହୋଇଥିବା ଭଣ୍ଡାରୀ ତାଙ୍କ ଘରେ ବାରୋମିଟର ଲଗାଇଥିଲେ ବୋଲି ପୋଲିସ ସୂଚନା ଦେଇଛି । ବାରୋମିଟରରୁ ପାଣିପାଗର ଆଗାମୀ ସୂଚନା ମିଳିଥାଏ । ତେବେ ଏହା ଦ୍ୱାରା କିପରି ଟିଆରପି ମାନୁପୁଲେଟିଂ କରୁଥିଲେ ତାହା ଏବେ ତଦନ୍ତ ସାପେକ୍ଷ ବୋଲି ପୋଲିସ କହିଛି । ମାମଲାରେ ଗିରଫ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମିସ୍ତ୍ରୀ ସେମାନଙ୍କ ଅଞ୍ଚଳରେ ଟିଆରପି ବଢାଇବା ଲାଗି ପ୍ରତିମାସରେ ୨୦ ହଜାର ଟଙ୍କା ଲେଖାଏଁ ଦେଉଥିବାର ସ୍ୱୀକାର କରିଛନ୍ତି ।

ସମ୍ପତ୍ତି କ୍ଷେତ୍ରରେ ପିତାଙ୍କ ଠାରୁ ବହୁତ ଆଗରେ ଥିଲେ ଚିରାଗ ପାସୱାନ, ଜାଣନ୍ତୁ କେତେ ସମ୍ପତ୍ତି ଛାଡି ଯାଇଛନ୍ତି ରାମଭିଳାସ ପାସୱାନ !

ମୁମ୍ବାଇ ପୋଲିସ ଗତ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଥମଥର ଆର୍ଥିକ ରାଜଧାନୀରେ ଚାଲିଥିବା ଟିଆରପି ସ୍କାମର ପର୍ଦ୍ଦାଫାଶ କରିଥିଲା । ମୁମ୍ବାଇ ପୋଲିସ ମୁଖ୍ୟ ପରମବୀର ସିଂହ କିଛି ଟେଲିଭିଜନ ଚାନେଲ ଟିଆରପି ମାନୁପୁଲେଟିଂ କରୁଥିବା ତଦନ୍ତରୁ ଜଣାପଡିଥିବା ସୂଚନା ଦେଇଥିଲେ । ଏଥିଲାଗି ସେମାନେ ଭୁଲ ତଥ୍ୟ ଦେଇ ଭ୍ରମାତ୍ମକ ସୂଚନା ପ୍ରସାରଣ କରୁଥିବାର ମଧ୍ୟ ତଦନ୍ତବେଳେ ଜଣାପଡିଥିଲା । ଟେଲିଭିଜନ ବିଜ୍ଞାପନ ଦର ବଢାଇବା ଲାଗି ସେମାନେ ଏପରି କରୁଥିଲେ ।

ଟିଆରପି ଜାଣିବା ଲାଗି ଏଜେନ୍ସିମାନେ ରେଟିଂ ମିଟର ଲଗାନ୍ତି । ଏଥିରୁ ହଂସା କମ୍ପାନୀକୁ ୨୦ ହଜାର ଘରର ଦାୟିତ୍ୱ ଦିଆଯାଇଥିଲା । ଗୋଟିଏ ବର୍ଗକୁ ଏକ ନିର୍ଦ୍ଧିଷ୍ଟ ସମୟରେ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ଦେଖିବା ଲାଗି ଲାଞ୍ଚ ଦିଆଯାଉଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଏଥିଲାଗି ପ୍ରତି ପରିବାରକୁ ମାସିକ ୪ଶହରୁ ୫ଶହ ଟଙ୍କା ଦିଆଯାଉଥିଲା ବୋଲି ମୁମ୍ବାଇ ପୋଲିସ ମୁଖ୍ୟ କହିଥିଲେ ।

Be the first to comment

Leave a Reply

Your email address will not be published.


*