ବାଜି ମାରିଲା ବିଜେପି: ସର୍ବାଧିକ କର୍ପୋରେଟ୍‌ ରାଜନୈତିକ ଅନୁଦାନ ହାତେଇଲା !

ନୂଆଦିଲ୍ଲୀ,୧୬/୧୦: ଭାରତୀୟ ଜନତା ପାର୍ଟି(ବିଜେପି) ୨୦୧୮-୧୯ ବର୍ଷରେ ସବୁଠୁ ବଡ଼ ରାଜନୈତିକ ଅନୁଦାନ ଗ୍ରହଣକାରୀ ସାବ୍ୟସ୍ତ ହୋଇଛି। ‘ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍’(ଏଡିଆର୍‌) ରିପୋର୍ଟରୁ ଏନେଇ ସ୍ପଷ୍ଟ ହୋଇଛି। ଏହି ବର୍ଷରେ ରାଜନୈତିକ ଅନୁଦାନ ଗ୍ରହଣ କରିବାରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି।

‘ଏଡିଆର୍‌’ ରିପୋର୍ଟ ଅନୁସାରେ, ଭାରତୀୟ ଜନତା ପାର୍ଟି ୬୯୮ କୋଟି ଟଙ୍କା ଅନୁଦାନ ପାଇଥିବାବେଳେ କଂଗ୍ରେସକୁ ୧୨୨.୫ କୋଟି ଟଙ୍କା ମିଳିଛି। ସେହିଭଳି ଟାଟା ଗ୍ରୁପ୍ ପୃଷ୍ଠପୋଷକତାରେ ଚାଳିତ ‘ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ୍‌ ଟ୍ରଷ୍ଟ୍‌’ ୨୦୧୮-୧୯ରେ ରାଜନୈତିକ ଦଳଙ୍କ ପାଇଁ ଶ୍ରେଷ୍ଠ ଦାତା ଭାବେ ପରିଗଣିତ ହୋଇଥିବା ଏହି ରିପୋର୍ଟରେ ସୂଚନା ମିଳିଛି। ‘ଏଡିଆର୍‌’ ବିଶ୍ଳେଷଣ ଅନୁସାରେ, ୨୦୦୪-୧୨ ଏବଂ ୨୦୧୮-୧୯ ସମୟସୀମା ମଧ୍ୟରେ କର୍ପୋରେଟ୍‌ଗୁଡ଼ିକରୁ ଜାତୀୟ ଦଳଙ୍କୁ ମିଳୁଥିବା ଅନୁଦାନ ୧୩୧% ବୃଦ୍ଧି ପାଇଛି।

ବିଜେପି ୨୦୧୨-୧୩ରୁ ୨୦୧୮-୧୯, ସାତ ବର୍ଷ ମଧ୍ୟରେ ସବୁଠୁ ଅଧିକ କର୍ପୋରେଟ୍‌ ଅନୁଦାନ ଗ୍ରହଣ କରିଛି। ଏହି ସାତ ବର୍ଷରେ ବିଜେପି ୮୨%ରୁ ଅଧିକ ଅର୍ଥ ହାସଲ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି। ୨୦୧୮-୧୯ରେ ‘ଆଇଏନ୍‌ସି’, ‘ଏନ୍‌ସିପି’, ‘ଏଆଇଟିସି’ ଏବଂ ‘ସିପିଏମ୍’ ଭଳି ଜାତୀୟସ୍ତରୀୟ ଦଳମାନେ ସମୁଦାୟ ଯେତେ ଅନୁଦାନ ପାଇଛନ୍ତି, ‘ବିଜେପି’ ତା’ର ୭ ଗୁଣରୁ ଅଧିକ ହାତେଇଛି।

ଗୋଟିଏ ଆର୍ଥିକ ବର୍ଷରେ ୨୦ ହଜାରୁ ଅଧିକ ଅର୍ଥ ଦାନ କରୁଥିବା ପ୍ରତିଷ୍ଠାନମାନଙ୍କର ନାମ, ଠିକଣା, ପାନ୍‌, ଅର୍ଥ ପୈଠର ମାଧ୍ୟମ ଏବଂ ପ୍ରତି ଦାନକର୍ତ୍ତା ପ୍ରଦାନ କରିଥିବା ଅର୍ଥରାଶି ଆଦି ପୂର୍ଣ୍ଣ ବିବରଣୀ ଭାରତର ନିର୍ବାଚନ କମିସନ୍‌ଙ୍କଠାରେ ଦାଖଲ କରିବାକୁ ରାଜନୈତିକ ଦଳମାନେ ବାଧ୍ୟ ଅଟନ୍ତି। ନିଜ ସୁପାରିସରେ ‘ଏଡିଆର୍‌’ କହିଛି, ଏକକାଳୀନ କିମ୍ବା ଏକାଧିକ ଥରରେ ସର୍ବନିମ୍ନ ୨୦ ହଜାର ଟଙ୍କା ଦାନ କରିଥିବା ଦାତାମାନେ ସେମାନଙ୍କର ‘ପାନ୍‌’ ବିବରଣୀ ପ୍ରଦାନ କରିବା ଉଚିତ। ‘ପାନ୍’ ଏବଂ ‘ଠିକଣା’ର ପୂର୍ଣ୍ଣ ବିବରଣୀ ସଂଗ୍ରହ ନ କରି ଜାତୀୟ ରାଜନୈତିକ ଦଳମାନେ ୨୭୪ଜଣ କର୍ପୋରେଟ୍‌ ଦାତାଙ୍କଠାରୁ ସମୁଦାୟ ୧୩. ୩୬୪ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏଭଳି ଅପୂର୍ଣ୍ଣ ଅନୁଦାନ ରିପୋର୍ଟଗୁଡ଼ିକୁ ଭାରତର ନିର୍ବାଚନ କମିସନ୍ ଚେତାବନୀ ସହ ସମ୍ପୃକ୍ତ ରାଜନୈତିକ ଦଳଗୁଡ଼ିକୁ ଫେରାଇ ଦେବା ଉଚିତ ବୋଲି କୁହାଯାଇଛି।

Be the first to comment

Leave a Reply

Your email address will not be published.


*