‘ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେଇ ଯାଆନ୍ତୁ, ମୁଁ ମୋ ନିଜ ହାତରେ ଫାଶୀ ଦେବି’ !

ନୂଆଦିଲ୍ଲୀ,୩୦/୯: ଦୁଇସପ୍ତାହ ପୂର୍ବେ ଜାତୀୟ ରାଜଧାନୀ ଦିଲ୍ଲୀଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହଠରାସ ଗାଁ’ରେ ଏକ ଅମାନବୀୟ କାଣ୍ଡ ଘଟିଥିଲା । ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ଵାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗର ଯୁବତୀ ମଙ୍ଗଳବାର ସକାଳେ ଦିଲ୍ଲୀରେ ଆଖି ବୁଜିଥିଲେ । ଏହି ଜଘନ୍ୟ କାଣ୍ଡରେ ପୀଡ଼ିତାଙ୍କ ମେରୁହାଡ଼ ଭାଙ୍ଗିଯାଇ ଶରୀର ଅଚଳ ହୋଇଯିବା ସହ ଜିଭ ଛିଣ୍ଡି ଯାଇଥିଲା । ଉତ୍ତରପ୍ରଦେଶର ଏକ ଡାକ୍ତରଖାନାରେ ଆଇସିୟୁରେ ରହିଲା ପରେ ସୋମବାର ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ୪ ଅଭିଯୁକ୍ତ ଜେଲ୍‌ରେ ଥିବାବେଳେ ସେମାନଙ୍କ ବିରୋଧରେ ଏବେ ହତ୍ୟା ମାମଲା ଚାଲିବ ବୋଲି ଜଣାପଡ଼ିଛି ।

ଏହି ଲୋମଟାଙ୍କୁରା ଘଟଣାକୁ କେନ୍ଦ୍ରକରି ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀରେ ଝୁଲାଇଥିବା ପବନ ଜଲ୍ଲାଦ କହିଛନ୍ତି, “ହଠରସ ପୀଡିତାଙ୍କ ମୃତ୍ୟୁ ପରେ ମୋ ମନ ଏତେ ବ୍ୟଥିତ ଯେ ମୁଁ ଏହାକୁ ପ୍ରକାଶ କରି ପାରିବି ନାହିଁ । ସତ କହିବାକୁ ଗଲେ ମୁଁ ମଧ୍ୟ ଆଜି ପୀଡିତାଙ୍କ ମା’ ଏବଂ ତାଙ୍କ ପରିବାର ଲୋକଙ୍କ ପରି ଦୁଃଖ ଏବଂ ଯନ୍ତ୍ରଣାରେ ଜର୍ଜରିତ । ଯଥାଶୀଘ୍ର ଦୋଷୀଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେଇ ଯାଆନ୍ତୁ । ଯେମିତି ମୁଁ ମୋ ନିଜ ହାତରେ ଅପରାଧୀଙ୍କୁ ଫାଶୀ ଦେଇ ପାରିବି ।”

ପବନଙ୍କ କହିବାନୁଯାୟୀ ପୀଡିତାଙ୍କ ମୃତ୍ୟୁ ଖବର ଶୁଣି ସେ ମର୍ମାହତ ହୋଇପଡ଼ିଛନ୍ତି । ସେ ନିର୍ଭୟା ମା’ଙ୍କୁ ଦେଖିଛନ୍ତି । ତାଙ୍କ ଯନ୍ତ୍ରଣାକୁ ଅନୁଭବ କରିଛନ୍ତି । ଯେଉଁ ଝିଅ ସହ ଏପରି ଅମାନବୀୟ ଘଟଣା ଘଟିଛି ସେ ସେହି ମା’ର ଯନ୍ତ୍ରଣା ଓ ବିବଶତାକୁ ବେଶ ଭଲ ଭାବେ ବୁଝି ପାରୁଥିବା, କହିଛନ୍ତି । ତେଣୁ ସେ ହଠରସ ପୀଡିତାଙ୍କ ମା’ଙ୍କୁ ଭେଟି ଦୁଃଖ ବାଣ୍ଟିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଯୁବତୀ ଜଣକ ଗାଁ କ୍ଷେତରେ ପରିବାର ଲୋକଙ୍କ ସହ ଘାସ କାଟୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଅନ୍ୟତ୍ର ନେଇଯାଥିଲେ । ପରିବାର ଲୋକେ ଟିକେ ଦୂରରେ ଥିବା ସମୟରେ ୪ରୁ ୫ ଜଣ ଯୁବକ ପୀଡ଼ିତାଙ୍କ ଉତ୍ତରୀୟକୁ ବେକରେ ଗୁଡ଼ାଇ ଏପରି ଟାଣି ନେଇଥିଲେ ବୋଲି ତାଙ୍କ ଭାଇ କହିଛନ୍ତି । ସେ ନିଖୋଜ ହୋଇଯାଇଥିବା ଜାଣି ତାଙ୍କ ମାଆ ଖୋଜାଖୋଜି କରିବା ପରେ ନିକଟ ବାଜରା କ୍ଷେତରେ ପୀଡ଼ିତାଙ୍କୁ ଗୁରୁତର ତଥା ଉଲଗ୍ନ ଅବସ୍ଥାରେ ପାଇଥିଲେ । ପୀଡ଼ିତାଙ୍କର ମୃତ୍ୟୁ ପାଇଁ ପୋଲିସର ଅବହେଳାକୁ ପରିବାର ଲୋକେ ଦାୟୀ କରିଛନ୍ତି । କାରଣ ଏହି ମାମଲାରେ ପୋଲିସର ନିଷ୍କ୍ରିୟତା ଘଟଣାକୁ ଅଧିକ ଜଟିଳ ଏବଂ ପ୍ରତିକ୍ରିୟାଶୀଳ କରିଛି ।

Be the first to comment

Leave a Reply

Your email address will not be published.


*