ନୂଆଦିଲ୍ଲୀ,୩୧/୮: ଗଲ୍ୱାନ୍ ଉପତ୍ୟକାରେ ଚୀନ୍ ସେନା ସହ ସଂଘର୍ଷ ପରେ ଭାରତ ଏବେ ଚୀନ୍ ବିରୋଧ ସାମରିକ ରଣନୀତିରେ ପରିବର୍ତ୍ତନ ଆଣିଛି । ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜକୁ ଦକ୍ଷିଣ ଚୀନ୍ ସାଗରରେ ମୁତୟନ କରିଛି । ଫଳରେ ଏବେ ଡ୍ରାଗନର ନିଦ ହଜିଯାଇଛି । ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଏକ୍ଚାଟିଆ ଅଧିକାର ଦାବି କରୁଥିବା ଚୀନ୍ ଭାରତର ଏଭଳି ରଣନୀତିର ପ୍ରତିବାଦ କରିବା ସହ ଏ ବାବଦରେ ତୁରନ୍ତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ।

ସୂଚନା ଅନୁଯାୟୀ, ୨୦୦୯ରୁ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ କୃତ୍ରିମ ଦ୍ବୀପ ଏବଂ ସାମରିକ ଘାଟି ସ୍ଥାପନ କରି ଏକଚାଟିଆ ଅଧିକାର ଜାହିର କରିଆସିଛି । ଏହାକୁ ଆମେରିକା, ଜାପାନ ସମେତ ବିଭିନ୍ନ ରାଷ୍ଟ୍ର ବିରୋଧ କରି ଆସୁଛନ୍ତି । ତେବେ ଭାରତର ଯୁଦ୍ଧ ଜାହାଜ ପ୍ରଥମ ଥର ପାଇଁ ଦକ୍ଷିଣ ଚୀନ୍ ସାଗରରେ ମୁତୟନ ହୋଇଥିବାରୁ ଏଥର ଚୀନ୍ର ନିଦ ହଜିଯାଇଛି ।

ନିକଟରେ ପୂର୍ବ ଲଦାଖ୍ର ଗଲୱାନ ଉପତ୍ୟକାରେ ଚୀନ୍ ସେନା ସହ ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ । ଏହି ସଂଘର୍ଷ ପରେ ଚୀନ୍ ସୀମାରେ ଭାରତର ସେନା ମୁତୟନ, ପାଟ୍ରୋଲିଂ ଏବଂ ଅତ୍ୟାଧୁନିକ ନିରୀକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ଏବେ ଦକ୍ଷିଣ ଚୀନ୍ ସାଗରରେ ଭାରତୀୟ ଯୁଦ୍ଧ ଜାହାଜର ଉପସ୍ଥିତି ଚୀନ୍ର ଆକ୍ରମଣାତ୍ମକ ନୀତି ବିରୋଧରେ ଭାରତର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଏବେ ଏ ବାବଦରେ ଚୀନ୍ ତୁରନ୍ତ କୂଟନୈତିକ ଆଲୋଚନା ପାଇଁ ପ୍ରୟାସ ଆରମ୍ଭ କରିଛି । ଆଣ୍ଡାମାନ୍ ନିକୋବରର ମଲାକା ପ୍ରଣାଳୀ ଅଞ୍ଚଳରେ ପୂର୍ବରୁ ଚୀନ୍ ନୌସେନା ବାରମ୍ବାର ଅତିକ୍ରମଣ କରିଥିବାରୁ ଏବେ ଭାରତର ପଦକ୍ଷେପ ଚୀନ୍ ପାଇଁ ଏକ କଡ଼ା ଜବାବ ସାବ୍ୟସ୍ତ ହୋଇଥିବା ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଭାରତ ମହାସାଗରରେ ଚୀନ୍ର ଯେକୌଣସି ଦୁଃସାହସର ଜବାବ ଦେବାକୁ ଭାରତୀୟ ନୌସେନା ସମ୍ପୂର୍ଣ୍ଣ ସକ୍ଷମ ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି ।