ଖୁସି ଖବର: ଏଣିକି ମାତ୍ର ୨ ଘଣ୍ଟାରେ ମିଳିବ କରୋନା ଆରଟି-ପିସିଆର ଟେଷ୍ଟ ରିପୋର୍ଟ !

ନୂଆଦିଲ୍ଲୀ, ୩/୧୦ : ରିଲାଏନ୍ସ ଲାଇଫ ସାଇନ୍ସ କରୋନା ସଂକ୍ରମଣ ଯାଞ୍ଚ କରିବା ପାଇଁ ଏକ ନୂତନ ଆରଟି-ପିସିଆର କିଟ୍ ବିକଶିତ କରିଛି । ଏହା ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ଫଳାଫଳ ପ୍ରଦାନ କରିବ । ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି । ବର୍ତ୍ତମାନ କରୋନା ସଂକ୍ରମଣ ପରୀକ୍ଷା କରିବାକୁ ବ୍ୟବହାର କରାଯାଉଥିବା ଆରଟି-ପିସିଆର କିଟ୍ ଦ୍ୱାରା ଫଳାଫଳ ଜାଣିବାକୁ ପ୍ରାୟ ୨୪ ଘଣ୍ଟା ଲାଗୁଛି । ଏହାଦ୍ୱାରା ଲାବୋରେଟୋରୀରେ ପ୍ରକୃତ ସମୟରେ କରୋନାରେ ଥିବା ନ୍ୟୁକ୍ଲିକ୍ ଏସିଡ୍ ଚିହ୍ନଟ କରାଯାଏ । ରିଲାଏନ୍ସ ଲାଇଫ ସାଇନ୍ସ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହାୟକ କମ୍ପାନୀ ଅଟେ ।

କମ୍ପାନୀ ସୂତ୍ରରୁ ଜଣାପଡିଛି ଭାରତରେ କରୋନା ଭାଇରସର ୧୦୦ରୁ ଅଧିକ ଜିନୋମ କ୍ରମ ବିଶ୍ଳେଷଣ କରିବା ପରେ ବୈଜ୍ଞାନିକମାନେ ଏହି ଆରଟି-ପିସିଆର କିଟ୍ ପ୍ରସ୍ତୁତ କରିଛନ୍ତି । କରୋନା ସଂକ୍ରମଣ ଯାଞ୍ଚ ପାଇଁ ଆରଟି-ପିସିଆର କିଟ୍ ସବୁଠୁ ଉତ୍କୃଷ୍ଟ ଭାବେ ବିବେଚନା କରାଯାଉଛି । ସୂଚନା ଅନୁଯାୟୀ ବୈଜ୍ଞାନିକମାନେ ଏହାର ନାମ ଆର-ଗ୍ରୀନ୍ କିଟ୍ ରଖିଛନ୍ତି । ସନ୍ତୋଷଜନକ ପ୍ରଦର୍ଶନ ପାଇଁ ଏହା ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ରୁ ବୈଷୟିକ ସ୍ୱୀକୃତି ପାଇଛି । ଆଇସିଏମଆର ସ୍ୱୀକୃତି ପ୍ରକ୍ରିୟା କିଟର ଡିଜାଇନକୁ ଗ୍ରହଣ କରିନାହିଁ କିମ୍ବା ପ୍ରତ୍ୟାଖ୍ୟାନ କରିନାହିଁ । ଏଥିସହ ଏହାର ବ୍ୟବହାର ଅନୁକୂଳ ବୋଲି ମଧ୍ୟ ପ୍ରମାଣ କରିନାହିଁ ।

ସୂଚନାନୁସାରେ, ଏହି କିଟ୍ କରୋନା ଭୂତାଣୁର ଇ-ଜିନ୍, ଆର-ଜିନ୍ ଏବଂ ଆରଡିଆରପି ଜିନ୍ ଧରିପାରିବ । ଆଇସିଏମଆର ଯାଞ୍ଚ ଅନୁଯାୟୀ ଏହା ୯୮.୭ ପ୍ରତିଶତ ସମ୍ବେଦନଶୀଳତା ଏବଂ ୯୮.୮ ପ୍ରତିଶତ ବିଶେଷତାକୁ ଦର୍ଶାଇଥାଏ । ସୂତ୍ରରୁ ପ୍ରକାଶ ଯେ କମ୍ପାନୀରେ କାର୍ଯ୍ୟରତ ଗବେଷକ ଏହାକୁ ସ୍ୱଦେଶୀ ଟେକ୍ନୋଲୋଜିରେ ପ୍ରସ୍ତୁତ କରିଛନ୍ତି ।

ଟାଟା ଗ୍ରୁପ୍ ଏକ ନୂତନ କୋଭିଡ୍-୧୯ ପରୀକ୍ଷା କିଟ୍ ବିକଶିତ କରିଛି । ଟାଟା ଗ୍ରୁପ୍ କ୍ଲଷ୍ଟର ରେଗୁଲାରଲି ଇଣ୍ଟରସ୍ପେସ୍ଡ ସର୍ଟ ପଲିଣ୍ଡ୍ରୋମିକ୍ ରିପିଟ୍ସ କରୋନା ଭାଇରସ୍ ଟେଷ୍ଟ ଏବଂ ସିଏସଆଇଆର-ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (ସିଏସଆଇଆର-ଆଇଜିଆଇବି) ସହ ମିଳିତ ଭାବରେ ଏହି କିଟ୍ ବିକଶିତ କରିଛି । ଏହି କିଟ୍ ବ୍ୟବହାରକୁ ଭାରତର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ମଧ୍ୟ ଅନୁମୋଦନ କରିଛନ୍ତି । ଏହି ନୂତନ କିଟ୍ ନାମ ଫେଲୁଦା ରଖାଯାଇଛି ।

Be the first to comment

Leave a Reply

Your email address will not be published.


*