ଏପ୍ରିଲ ମାସ ପାଇଁ କରୋନା ଗାଇଡ଼ଲାଇନ ଜାରି:- କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି “କଣ୍ଟେନମେଣ୍ଟ ଜୋନ” ର ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ

ଏପ୍ରିଲ ମାସ ପାଇଁ କରୋନା ଗାଇଡ଼ଲାଇନ ଜାରି:- କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି “କଣ୍ଟେନମେଣ୍ଟ ଜୋନ” ର ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ

ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଥିବା ସମୟରେ ବୁଧବାର ଦିନ ରାଜ୍ୟ ସରକାର ଏପ୍ରିଲ ମାସ ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନଙ୍କର କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନୂତନ ଗାଇଡ଼ଲାଇନ ଅନୁଯାୟୀ, ବର୍ତ୍ତମାନ କରୋନା ସଂକ୍ରମିତ ଅଞ୍ଚଳକୁ ଚିହ୍ନଟ କରି କଣ୍ଟେନମେଣ୍ଟ ଜୋନ କିମ୍ବା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ । ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦକୁ ନୂତନ ଗାଇଡ଼ଲାଇନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାର ଦାୟିତ୍ୱ ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ଅଧିକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିପାରିବେ । ଠିକ ସେହିଭଳି ଧର୍ମାନୁଷ୍ଠାନକୁ କେତେ ଜଣ ଯାଇପାରିବେ ଏବଂ ଧାର୍ମିକ କାମରେ କେତେ ଜଣ ଅନ୍ତର୍ଭୁକ୍ତ ହୋଇପାରିବେ, ତାର ନିଷ୍ପତ୍ତି ମଧ୍ୟ ସ୍ଥାନୀୟ ପ୍ରଶାସନ ନେଇପାରିବେ ।

କରୋନା ର ଦ୍ଵିତୀୟ ଲହର ବିଷୟରେ ଆଶଙ୍କା କରି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ବିବାହ ଭୋଜିରେ ଅନ୍ତର୍ଭୁକ୍ତ ହେବା ପାଇଁ ମାସକ ପୂର୍ବରୁ ୫୦୦ ଲୋକଙ୍କୁ ଅନୁମତି ଦିଆ ଯାଉଥିଲା, ଯାହାକି ଗତ ମାସରେ ୨୦୦ କରି ଦିଆଯାଇଥିଲା, ଏହି ମାସରେ ମଧ୍ୟ ସେହି ସଂଖ୍ୟା ଲାଗୁ ରହିଛି । ଚଳିତ ମାସରେ ଅନ୍ତ୍ୟେଷ୍ଟି କ୍ରିୟାରେ ଅନ୍ତର୍ଭୁକ୍ତ ହେବା ପାଇଁ ୫୦ ଜଣ ଲୋକଙ୍କୁ ଅନୁମତି ମିଳିବ । ରାଜ୍ୟ ସରକାର କରୋନା କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ୩୧ ତାରିଖରେ ଏହି ଗାଇଡ଼ଲାଇନ ଜାରି ହୋଇଥିଲା ଏବଂ ଆଜି ଠାରୁ ଏହା ଲାଗୁ ହେବ ।

କେବଳ ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ଏସଆରସିଙ୍କ ନିର୍ଦ୍ଦେଶନାମାରେ ଲୋକଙ୍କ ସଂଖ୍ୟା ଉପରେ କଟକଣା ଜାରି କରାଯାଇଛି । ଏପର୍ଯ୍ୟନ୍ତ ଅନ୍ୟ କୌଣସି ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ପ୍ରଦାନ କରାଯାଇନାହିଁ । ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କୌଣସି ହଲ ରେ ବିବାହ ଭୋଜି ଆୟୋଜନ ହେଲେ ହଲ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ । ଖୋଲା ସ୍ଥାନରେ ବିବାହ ଭୋଜି ଆୟୋଜନ କରାଗଲେ, ସ୍ଥାନର ଆକାରକୁ ଦେଖି ଅନୁମତି ଦିଆଯିବ କିନ୍ତୁ ତାହା ୨୦୦ ରୁ ଅଧିକ ହେବ ନାହିଁ । ତେବେ ଏସବୁ ବ୍ୟତୀତ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଏବଂ ଥର୍ମାଲ ସ୍କାନିଂ ଆଦିକୁ ବାଧ୍ୟତାମୂଳକ କରାଯିବ । ସମସ୍ତ ଜିଲ୍ଲାପାଳ, ଏସପି, ମହାନଗର ନିଗମ କମିଶନର ଏବଂ ପୋଲିସ କମିଶନରଙ୍କୁ କରୋନା କଟକଣା ଠିକ ଭାବରେ ପାଳନ ହେଉଛି କି ନାହିଁ, ସେ ସମ୍ପର୍କରେ ତଦାରଖ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *