୩ ଦିନ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା : ୧୧ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି…

ଭୁବନେଶ୍ୱର,୨୫/୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୩ ଦିନ ଧରି ଲାଗି ରହିବ ବର୍ଷା । ମଙ୍ଗଳବାର, ବୁଧବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ମଙ୍ଗଳବାର ଠାରୁ ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୧ଟି ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ଏବଂ ସେସବୁ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଏହା ବ୍ୟତୀତ ଆଉ ୮ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରାଯାଇ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବୁଧବାର ଉପକୂଳ ଅଞ୍ଚଳରେ ବର୍ଷା କମିବାକୁ ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ଲଗାଣ ବର୍ଷାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Google

ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିପାରେ । କଚ୍ଚା ଘର ନଷ୍ଟ ହେବା ସହ ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି । ସୋମବାର ରାତିରୁ ବର୍ଷା ପରିମାଣ ସାମାନ୍ୟ ବୃଦ୍ଧି ପାଇଛି । ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବା ନେଇ ଆଇଏମ୍‌ଡି ସତର୍କ କରାଇ ଦେଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଅନେକ ସ୍ଥାନରେ ୧୧୫ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । କେତେକ ସ୍ଥାନରେ ୨୦୫ ମିଲିମିଟରରୁ ଅଧିକ ହୋଇପାରେ ।

Google

ସେହିଭଳି ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍‌ ୬୪ ମିମିରୁ ୧୧୫ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ବୁଧବାର ଉପକୂଳରେ ବର୍ଷା ପରିମାଣ କମିବ । ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ଦେବଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, ଅନୁଗୁଳ ଓ କେନ୍ଦୁଝରରେ ମଧ୍ୟ ଅତିପ୍ରବଳ ବର୍ଷା ହୋଇପାରେ । ଗୁରୁବାର ଦିନ ବର୍ଷା ପରିମାଣ ସାମାନ୍ୟ କମିବ । ତଥାପି ବରଗଡ଼, ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ଯୋଗୁଁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

Be the first to comment

Leave a Reply

Your email address will not be published.


*