ହଠରାସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର, ପୀଡ଼ିତାଙ୍କ ପରିବାରକୁ ଭେଟିଲେ ରାହୁଲ !

ଲକ୍ଷ୍ନୌ,୩/୧୦: ଉତ୍ତରପ୍ରଦେଶର ହଠରାସ ଠାରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ବହ୍ନି ଜଳୁଛି । ଘଟଣାରେ ପୋଲିସର ପଦକ୍ଷେପ ସନ୍ଦେହ ଘେରରେ ରହିଛି । ତେଣୁ ଏସଆଇଟି ପରେ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର । ସେପଟେ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ଭାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)କୁ ହସ୍ତାନ୍ତର କରିଥିଲେ । ଏହି ଟିମ୍‌ ୭ ଦିନ ମଧ୍ୟରେ ରିପୋର୍ଟ କରିବାକୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଦେଶର କୋଣାନୁକୋଣରୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ତେଜିଥିଲା । ରାଜନୈତିକ ଦଳଠୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସମସ୍ତେ ପୋଲିସ ଏବଂ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ତେଣୁ ସରକାରଙ୍କ ଉପରେ ଚାପ ବଢିଥିଲା । ଫଳରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ କରି ସୂଚନା ଦେଇଛି ।

ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ହଠରାସରେ ପହଞ୍ଚିଛନ୍ତି । ଏହାସହ ସେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି । ଏପରିକି ପ୍ରିୟଙ୍କା ପୀଡ଼ିତାଙ୍କ ମାଆଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଇଛନ୍ତି । ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଉତ୍ତରପ୍ରଦେଶ ହଠରାସ ଘଟଣାର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ରାହୁଲ ଓ ପ୍ରିୟଙ୍କା । ଉଭୟଙ୍କ ସହ କଂଗ୍ରେସର ଆଉ ୩ ଜଣ ସଦସ୍ୟ ମଧ୍ୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟି ଭଲ ମନ୍ଦ ବୁଝିଛନ୍ତି ।

ରାହୁଲ ଓ ପ୍ରିୟଙ୍କା ଦୀର୍ଘ ୧୬୫ କିମି ରାସ୍ତାକୁ ସଡ଼କ ପଥରେ ଅତିକ୍ରମ କରିଥିଲେ । ସେମାନେ ସନ୍ଧ୍ୟା ୭.୧୨ରେ ହଠରାସ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲେ । ରାତି ପ୍ରାୟ ୮.୩୦ ଯାଏଁ ରାହୁଲ ଓ ପ୍ରିୟଙ୍କା ପରିବାରର ବିଭିନ୍ନ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ପ୍ରିୟଙ୍କା କହିଥିଲେ, “ପରିବାର ଲୋକ ଶେଷଥର ପାଇଁ ନିଜ ଝିଅଙ୍କୁ ଦେଖି ପାରିଲେ ନାହିଁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଦାୟତ୍ୱ ଠିକ୍‌ ଭାବେ ସମ୍ପାଦନ କରୁନାହାନ୍ତି । ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ଯାଏଁ ଆମେ ଲଢ଼େଇ ଜାରି ରଖିବୁ ।”

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହଠରାସରେ ସେପ୍ଟେମ୍ବର ୧୪ରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସା କରାଯିବା ପରେ ଶେଷରେ ପୀଡ଼ିତା ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମଙ୍ଗଳବାର ଆଖି ବୁଜିଥିଲେ । ପୀଡ଼ିତାଙ୍କ ପରିବାର ଝିଅର ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିଥିଲେ । ପରିବାର ବାରମ୍ବାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିବା ସହ ଏସଆଇଟି ତଦନ୍ତ ଉପରେ ଭରସା ରଖି ନଥିବା ପ୍ରକାଶ କରିଥିଲେ ।

Be the first to comment

Leave a Reply

Your email address will not be published.


*