ହତାଶ ହେଲା ପୋଲିସ : ଘଟଣାର ସମାଧାନ କଲା ମଇଁଷି !

କନୌଜ,୧୪/୧୦: ବେଳେ ବେଳେ ଏମିତି କିଛି ଘଟଣା ଘଟେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରେ । ଖବର ପ୍ରତି ରୁଚି ରଖୁନଥିବା ଲୋକଙ୍କର ମଧ୍ୟ ଏ ସମ୍ପର୍କରେ ଜାଣିବାକୁ ଆଗ୍ରହ ଆସିଯାଏ । ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲାରୁ ସେହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏକ ମାମଲାର ସମାଧାନ ପାଇଁ ଏଠାରେ ପୋଲିସ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲଗାଇଦେଲା । କିନ୍ତୁ ସମାଧାନର ରାସ୍ତା ବାହାରି କରିପାରିଲା ନାହିଁ । ଶେଷରେ ପୋଲିସ ବାଧ୍ୟ ହୋଇ ମଇଁଷିକୁ ମାମଲାର ସମାଧାନ ଦାୟିତ୍ୱ ପ୍ରଦାନ କଲା । ଚୁଟକିରେ ଘଟଣାର ସମାଧାନ କଲା ମଇଁଷି ।

ପ୍ରକୃତରେ ବିବାଦଟି ମଇଁଷିକୁ ନେଇ ହିଁ ଉପୁଜିଥିଲା । ପ୍ରକୃତ ଘଟଣାଟି ଏମିତି ଥିଲା । ମଇଁଷିକୁ ୨ ଜଣ ବ୍ୟକ୍ତି ନିଜର ବୋଲି ଦାବି କରୁଥିଲେ । ପୋଲିସ ତଦନ୍ତ କରି ହତାଶ ହୋଇଯିବା ପରେ ମଇଁଷିକୁ ନିଜ ମାଲିକ ଚିହ୍ନିବାର ଦାୟିତ୍ୱ ଦେଲା । ଏହାପରେ ତୁରନ୍ତ ମାମଲାର ସମାଧାନ ହୋଇଗଲା । ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, କନୌଜର ତିର୍ବା ଥାନା ଅଞ୍ଚଳରେ ଗୁରୁସହାୟଗଞ୍ଜ ମିରଗାମ୍ବାର ବୀରେନ୍ଦ୍ର ଦିବାକର ଶୁକ୍ରବାର ରାତିରୁ ତାଙ୍କ ମଇଁଷି ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ମାତ୍ର ୨ ଦିନ ଖୋଜିବା ପରେ ରବିବାର ନିକଟସ୍ଥ ଗାଁ’ର ଜଣେ ବ୍ୟବସାୟୀଙ୍କ ଘରେ ମଇଁଷିକୁ ଦେଖିଲେ । ବୀରେନ୍ଦ୍ର ଦ୍ୱିତୀୟ ଲୋକ ଜଣଙ୍କୁ ଏନେଇ ପଚରାଉଚରା କରିବାରୁ ସେ ନିଜ ମଇଁଷି କହି ନେଇଗଲେ । ସେ ଏହାକୁ ନିକଟସ୍ଥ ମାର୍କେଟରୁ ୧୯ ହଜାରରେ କିଣିଥିବା କହିଥିଲେ ।

ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଗଲା । ଉଭୟ ମଇଁଷି ଉପରେ ନିଜ ହକ୍ ଜାହିର କଲେ । ଶେଷରେ ମାମଲା ଥାନାରେ ପହଞ୍ଚିଲା । ବୀରେନ୍ଦ୍ର ଏବଂ ଦ୍ୱିତୀୟ ଲୋକ ଥାନାରେ ସବୁ କଥା କହିଲେ । ଦ୍ୱିତୀୟ ଲୋକଟି ଯାହାଠୁ ଏହି ମଇଁଷିକୁ କିଣିଥିଲେ ତାଙ୍କ ନାଁ ଧର୍ମେନ୍ଦ୍ର ବୋଲି କହିବା ପରେ ତାଙ୍କୁ ଥାନାକୁ ଡକାଗଲା । ସେ ମଧ୍ୟ ଥାନାରେ ପହଞ୍ଚି ସେଇଟା ତାଙ୍କ ମଇଁଷି ଏବଂ ସେ ଦ୍ୱିତୀୟ ଲୋକଟିକୁ ବିକିଥିବା କହିଲେ ।

ଏ ସବୁ ଶୁଣି ପୋଲିସ ମୁଣ୍ଡରେ ହାତ ଦେଲା । ଏହା ପରେ ନିଷ୍ପତ୍ତି ନିଆଗଲା ଯେ ମଇଁଷି ନିଜ ମାଲିକ ଚୟନ କରିବ । ପୋଲିସ ବାବୁ କହିଲେ ମଇଁଷିକୁ ସମସ୍ତେ ଡାକିବେ, ସେ ଯାହା ପଛେ ପଛେ ଯିବ ସମ୍ପୃକ୍ତ ବ୍ୟକ୍ତି ହିଁ ତା’ର ମାଲିକ ବୋଲି ଧରିନିଆଯିବ । ଏଥିରେ ସମସ୍ତେ ରାଜି ହୋଇଥିଲେ । ଏହା ପରେ ଥାନା ପରିସରରେ ମଇଁଷିକୁ ପ୍ରାୟ ୧୦୦ ମିଟର ଦୂରରେ ବୀରେନ୍ଦ୍ରଙ୍କୁ ବାମ ପଟେ ଓ ଧର୍ମେନ୍ଦ୍ରଙ୍କୁ ଡାହାଣ ପଟେ ଛିଡ଼ା କରାଗଲା । ଏହାପରେ ଉଭୟ ନିଜ ନିଜ ଅନୁସାରେ ମଇଁଷିକୁ ଡାକ ଛାଡ଼ିଲେ । ମଇଁଷିଟି ୧୦୦ ମିଟର ଚାଲିବା ପରେ ଧର୍ମେନ୍ଦ୍ର ପାଖରେ ପହଞ୍ଚିଗଲା । ଏହା ପରେ ପୋଲିସ ଧର୍ମେନ୍ଦ୍ର, ବୀରେନ୍ଦ୍ର ଏବଂ ସେହି ଦ୍ୱିତୀୟ ଲୋକଟି ମଧ୍ୟରେ ଚୁକ୍ତି କରି ଶେଷରେ ମଇଁଷିକୁ ଧର୍ମେନ୍ଦ୍ରଙ୍କୁ ହସ୍ତାନ୍ତର କଲା । ଧର୍ମେନ୍ଦ୍ର ୧୯ ହଜାର ଟଙ୍କାରେ ସେ ଦ୍ୱିତୀୟ ଲୋକକୁ ବିକ୍ରି କରିଥିବାରୁ ତାକୁ ମଇଁଷିଟି ଦେଇଦେଲେ ।

Be the first to comment

Leave a Reply

Your email address will not be published.


*