ମାଡ଼ି ଆସୁଛି ବିପଦ: ୧୯ରୁ ଆରମ୍ଭ ତାଣ୍ଡବ…

ଭୁବନେଶ୍ୱର,୧୮/୧୦ : କରୋନା ସାରା ରାଜ୍ୟରେ କାୟା ବିସ୍ତାର କରିଛି । ମାତ୍ର ଏଭଳି ସମୟରେ ଏବେ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି । ମୌସୁମୀ ଦୁର୍ବଳ ହେବା ସମୟରେ ଗୋଟିଏ ପରେ ଗୋଟିଏ ଲଘୁଚାପ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । ନିକଟରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ହେଲେ ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୦ ତାରିଖ ଭିତରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୯ରୁ ୨୧ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଉକ୍ତ ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସହ ଆହୁରି ୱେଲ୍ ମାର୍କଡ୍ ‌ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ବିଶେଷକରି ଦକ୍ଷିଣ ଓ ଉତ୍ତର ଉପକୂଳ ଓଡ଼ିଶା‌ରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି । ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ଏହି ସମୟରେ ସମୁଦ୍ରକୂଳିଆ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଏଥିଯୋଗୁଁ ସମୁଦ୍ର ଅଶାନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେଣୁ ୧୯ ଓ ୨୦ ତାରିଖରେ ସମୁଦ୍ର ଭିତରକୁ ଯିବାକୁ ପାଣିପାଗ ବିଭାଗ ମତ୍ସଜୀବୀମାନଙ୍କୁ ବାରଣ କରିଛି ।

ଅକ୍ଟୋବର ୧୯ରୁ ୨୦ତାରିଖ ପର୍ଯ୍ୟନ୍ତ ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି ଏବଂ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ରୁ ୨୧ପର୍ଯ୍ୟନ୍ତ ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ଏହା ସହ ଅକ୍ଟୋବର ୨୧ରୁ ୨୨ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Be the first to comment

Leave a Reply

Your email address will not be published.


*