ସେପ୍ଟେମ୍ବର ପହିଲାରୁ ପୁଣି ଲଗାଣ ବର୍ଷା !

ଭୁବନେଶ୍ୱର,୨୮/୮: ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷ କରି ଏହି ସମୟରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି। ଏଥିପାଇଁ ୮ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Google

କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଜଗତସିଂହପୁର, ସୁନ୍ଦରଗଡ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି । ଏହି ସମୟରେ ଅଧିକାଂଶ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବାର ସମ୍ଭାବନା ରହିଛି ।

Google

ସେପଟେ ହୀରାକୁଦ ଜଳଭଣ୍ଡାରରୁ ଆଜି ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ପରେ ମହାନଦୀର ଜଳ ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ପ୍ରବେଶ କରିଛି । ମହାନଦୀ ବନ୍ୟା ଜଳରେ ସହରର ତଳିଆ ଅଞ୍ଚଳର ଲୋକଙ୍କର ଚିନ୍ତା ବଢ଼ାଇଛି । ବନ୍ୟା ଜଳରେ ହୀରାକୁଦ କଲୋନି, ବିନାଖଣ୍ଡି, ବଡ଼ବଜାର, ଭତ୍ରା, କୁଲୁଥକାନୀ, ଗୁଣ୍ଡେରପୁର ଅଞ୍ଚଳର ଲୋକେ ପ୍ରଭାବିତ ହୋଇଛନ୍ତି। ଏହି ଅଞ୍ଚଳରେ ଲୋକଙ୍କ ଘର ଭିତରକୁ ବନ୍ୟା ଜଳ ପ୍ରବେଶ କରିଛି ।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଛି । ଫଳରେ ଏହାର ପ୍ରଭାବ ଆଉ ଓଡ଼ିଶା ଉପରେ ରହିବ ନାହିଁ । ଆଜି ଅପରାହ୍ନ ଠାରୁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟ ଏବ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇ ଝାଡଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଛି । ଯଦିଓ ଏବେ ରାଜ୍ୟରେ ଲଘୁଚାପଜନିତ ବର୍ଷା ନାହିଁ; ତେବେ ବି ଉପକୂଳ ଓଡ଼ିଶା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଟବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି । ଏଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Be the first to comment

Leave a Reply

Your email address will not be published.


*