ପୁଣିଥରେ ପେଟ୍ରୋଲ୍‌ ଓ ଡିଜେଲ୍ ଦର ୧୦୦ ଟପିଲା !

ପୁଣିଥରେ ପେଟ୍ରୋଲ୍‌ ଓ ଡିଜେଲ୍ ଦର ୧୦୦ ଟପିଲା !

ବିିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପେଟ୍ରୋଲ୍‌ ଓ ଡିଜେଲ୍ ଦର ଗତ ଚାରି ଦିନ ହେଲାଣି କ୍ରମାଗତ ଭାବେ ବଢିବାରେ ଲାଗିଛି । ପ୍ରାୟ ଦୁଇ ମାସ ଦର ସ୍ଥିର ରହିବା ପରେ ପୁନଶ୍ଚ ପେଟ୍ରୋଲ୍‌ ଓ ଡିଜେଲ୍ ଦର ବଢ଼ିବା ଆରମ୍ଭ ହୋଇଯାଇଛି । ଏହାର ପ୍ରଭାବରେ ରାଜସ୍ଥାନ ଓ ମଧ୍ୟପ୍ରଦେଶର କେତେକ ସ୍ଥାନରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୦୦ ଟଙ୍କା ଅତିକ୍ରମ କରିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୧୦୨ ଟଙ୍କା ୧୫ ପଇସା ହୋଇଛି । କିଛି ମାସ ପୂର୍ବରୁ ମଧ୍ୟ ଏହି ଜିଲ୍ଲାରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କା ଟପିଥିଲା । ସେହିପରି ମଧ୍ୟପ୍ରଦେଶର ଅନୁପୁରରେ ଏକ ଲିଟର ପେଟ୍ରୋଲ୍ ୧୦୧ ଟଙ୍କା ୮୬ ପଇସାରେ ବିକ୍ରି ହେଉଛି । ମହାରାଷ୍ଟ୍ରର ପରଭାନିରେ ପେଟ୍ରୋଲ୍ ଦାମ୍ ୯୯ ଟଙ୍କା ୯୫ ପଇସା ରହିଛି ।

ଚଳିତ ବର୍ଷ ଦ୍ଵିତୀୟ ଥର ଲାଗି ଦେଶର କିଛି ସ୍ଥାନରେ ପେଟ୍ରୋଲ୍ ମୂଲ୍ୟ ୧୦୦ ଟଙ୍କା ସ୍ତର ଅତିକ୍ରମ କରିଛି । ଏହା ପୂର୍ବରୁ ଫେବୃୟାରିର ମଧ୍ୟଭାଗରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା ଓ ମଧ୍ୟପ୍ରଦେଶରେ ପେଟ୍ରୋଲ୍ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହୋଇଥିଲା । ‌ତୈଳ କଂପାନିଗୁଡ଼ିକ ଗତ ଫେବୃୟାରି ୨୩ ପରଠାରୁ ତେଲ ଦର ବଢ଼ାଇନଥିଲେ । କିନ୍ତୁ ମେ’ ୪ରୁ ସେହି କମ୍ପାନୀଗୁଡିକ ପୁନଶ୍ଚ ତୈଳ ଦରବୃଦ୍ଧି କରିବା ଆରମ୍ଭ କରିଛନ୍ତି ।

ଗତବର୍ଷ କେନ୍ଦ୍ର ସରକାର ତୈଳ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରିବା ପରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୨୧ ଟଙ୍କା ୫୮ ପଇସା ବଢ଼ିିଥିବା ବେଳେ ଡିଜେଲ୍ ୧୯ ଟଙ୍କା ୧୮ ପଇସା ମହଙ୍ଗା ହୋଇଥିଲା । ଏହାର ପରବର୍ତ୍ତୀ ସମୟରେ ଦେଶର ତିନି ତୈଳ କମ୍ପାନୀ ଯଥା : ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଏପ୍ରିଲ୍ ୧୫ ଭିତରେ ପେଟ୍ରୋଲ୍ ଦାମ୍‌ ମାତ୍ର ୬୭ ପଇସା ଓ ଡିଜେଲ୍ ଦାମ୍ ୭୪ ପଇସା କମାଇଛନ୍ତି ।

ଏପ୍ରିଲ୍‌ ୧୫ ପରଠାରୁ ତେଲ ଦର ବଢ଼ିନଥିଲା । ଏହାପଛର ଲୁକାୟିତ କାରଣ ବିଷୟରେ ମଧ୍ୟ କମ୍ପାନୀଗୁଡ଼ିକ କୌଣସି ସୂଚନା ଦେଇନାହାନ୍ତି । ଟିକସ ଦୃଷ୍ଟିରୁ ଏକ ଲିଟର ପେଟ୍ରୋଲ୍‌ରେ ଟିକସ ଭାଗ ୬୦ ପ୍ରତିଶତ ଥିବା ବେଳେ ପେଟ୍ରୋଲ୍‌ରେ ୫୪ ପ୍ରତିଶତ ରହିଛି । କେନ୍ଦ୍ର ସରକାର ଏକ ଲିଟର ପେଟ୍ରୋଲ୍‌ରୁ ୩୨ ଟଙ୍କା ୯୦ ପଇସାର ଉତ୍ପାଦନ ଶୁଳ୍କ ଆଦାୟ କରୁଥିବା ବେଳେ ଡିଜେଲ୍‌ରୁ ୩୧ ଟଙ୍କା ୮୦ ପଇସାର ଟିକସ ପାଉଛନ୍ତି । ସେହିପରି, ରାଜ୍ୟଗୁଡ଼ିକ ଲଗାଇଥିବା ଭାଟ୍‌ ଅନୁସାରେ ଟିକସ ସଂଗ୍ରହ କରୁଛନ୍ତି ।

Leave a Reply

Your email address will not be published. Required fields are marked *