ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ: ଅନୁପ୍ରବେଶ ଉଦ୍ୟମ ବିଫଳ କଲା ଭାରତ…

ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ: ଅନୁପ୍ରବେଶ ଉଦ୍ୟମ ବିଫଳ କଲା ଭାରତ…

ନୂଆଦିଲ୍ଲୀ,୩୧/୮: ପୁଣି ଥରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସୀମାନ୍ତରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଜୁନ୍ ୧୫ ପରେ ଏବେ ପୁଣି ଥରେ ଚୀନ ସେନା ସୀମା ଲଙ୍ଘନ ଉଦ୍ୟମ କରିଛି । ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଅଗଷ୍ଟ ୨୯-୩୦ ରାତିରେ ଉଭୟ ଦେଶର ସୈନିକ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଚୀନ୍ ସେନା ସ୍ଥିତି ପରିବର୍ତ୍ତନ କରିବା ସହ ଉତ୍ତେଜକ ସାମରିକ ଗତିବିଧି ଆରମ୍ଭ କରିଥିଲା । ଏହାକୁ ଭାରତୀୟ ଯବାନମାନେ ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଅଗଷ୍ଟ ୨୯-୩୦ ରାତିରେ ଚୀନର ପିପୁଲସ୍ ଲିବରେସନ୍ ଆର୍ମି (ପିଏଲଏ)ର ସୈନିକମାନେ ପୂର୍ବ ବୈଠକରେ ହୋଇଥିବା ଚୁକ୍ତିନାମା ଭାଙ୍ଗି ପୂର୍ବ ଲଦାଖ ନିକଟରେ ଅନୁପ୍ରବେଶ କରିଥିଲେ । ଏହି ସ୍ଥିତି ପରିବର୍ତ୍ତନ ପାଇଁ ଉତ୍ତେଜନାମୂଳକ ସାମରିକ ଗତିବିଧି କରିଥିଲେ । ତେବେ ଭାରତୀୟ ଯବାନ ପିଏଲଏ ସୈନିକଙ୍କ ଏଭଳି ପ୍ରୟାସକୁ ବିରୋଧ କରି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଚୀନ୍ ସେନାକୁ ଅନୁପ୍ରବେଶରୁ ନିବୃତ୍ତ କରିଥିଲେ । ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Google

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଭାରତୀୟ ସେନା କଥାବାର୍ତ୍ତା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଏହାର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ପ୍ରତିଶ୍ରୁତି ବଦ୍ଧ । ପୂର୍ବରୁ ଭାରତ ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ ଚାହୁଁଥିଲେ ମଧ୍ୟ ଚୀନ୍ ସେନା ‌ଏ ପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର କାମ ଶେ‌ଷ କରିପାରି ନାହିଁ । ପୂର୍ବରୁ ଗଲୱାନରେ ହୋଇଥିବା ସଂଘର୍ଷର ସମାଧାନ ହୋଇ ନଥିବାବେଳେ ଅଗଷ୍ଟ ୨୯-୩୦ରେ ବହୁ ସଂଖ୍ୟକ ସୈନ୍ୟ ନେଇ ପିଏଲଏ ପୁଣି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଭାରତୀୟ ସେନା ଚୀନ୍‌ର ପ୍ରୟାସକୁ ବିଫଳ କରିବା ସହ ସେମାନଙ୍କ ଉଦ୍ଦେଶ୍ୟକୁ ପୂରଣ ହେବାକୁ ଦେଇନଥିଲା ।

Leave a Reply

Your email address will not be published. Required fields are marked *