ହେୟାର ଡ୍ରାୟର ଭଳି ଛୋଟ ବ୍ରେନ ସ୍କାନର ତିଆରି କଲେ ଆଇଆଇଟିର ପୂର୍ବତନ ଛାତ୍ରୀ ।

ହେୟାର ଡ୍ରାୟର ଭଳି ଛୋଟ ବ୍ରେନ ସ୍କାନର ତିଆରି କଲେ ଆଇଆଇଟିର ପୂର୍ବତନ ଛାତ୍ରୀ ।

ନୂଆଦିଲ୍ଲୀ,୨୯/୮: ବ୍ରେନ୍ ହାମରେଜ୍ ଏବଂ ଷ୍ଟ୍ରୋକ୍ ରୋଗୀଙ୍କୁ ଡାକ୍ତରଖାନାରେ ଏମଆରଆଇ ଏବଂ ସିଟି ସ୍କାନକୁ ନିଆଯିବାବେଳେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ରୋଗୀଙ୍କୁ ମେସିନ ପର୍ଯ୍ୟନ୍ତ ନେବାକୁ ମଧ୍ୟ ଭୟ କରିଥାନ୍ତି ଡାକ୍ତର। ହେଲେ ଏବେ ବଦଳିବାକୁ ଯାଉଛି ଚିତ୍ର। ପୂର୍ବତନ ଆଇଆଇଟି ଛାତ୍ରୀ ଶିଳ୍ପା ମଲିକ ନ୍ୟୁରୋ ସାଇନ୍ସ ଜଗତରେ ଏକ ନୂତନ ଆବିଷ୍କାର ଆଣି ଏହି ସମସ୍ୟାର ସମାଧାନ କରିଛନ୍ତି। ସେ ହେୟାର ଡ୍ରାୟର ଆକାରଠାରୁ ଛୋଟ, ସୁବିଧାଜନକ ଏବଂ ବହୁତ ଶସ୍ତା ହେଡ ସ୍କାନର ବିକଶିତ କରିଛନ୍ତି। ବ୍ରେନ୍ ହାମରେଜ୍ କିମ୍ବା ବ୍ରେନ୍ ଷ୍ଟ୍ରୋକ୍ କ୍ଷେତ୍ରରେ, ଚିକିତ୍ସା ପୂର୍ବରୁ ପ୍ରି-ସ୍କାନିଂରେ ଖର୍ଚ୍ଚ ହେଉଥିବା ମୂଲ୍ୟବାନ ସମୟ ବଞ୍ଚେଇବାରେ ଏହା ଉପଯୋଗୀ ସାବ୍ୟସ୍ତ ହେଇପାରେ ବୋଲି ବିଚାର କରାଯାଉଛି।

Google

ବ୍ରେନ୍ ହାମରେଜ ରୋଗୀଙ୍କୁ ତୁରନ୍ତ ନିର୍ଦ୍ଧିଷ୍ଟ ଚିକିତ୍ସାର ଆବଶ୍ୟକତା ରହିଥାଏ। ଅତ୍ୟାଧୁନିକ ଔଷଧ ଏବଂ ଇଞ୍ଜେକ୍ସନ ଉପଲବ୍ଧ ହେଉଛି, ଯାହା ଯଥାଶୀଘ୍ର ପକ୍ଷାଘାତ କିମ୍ବା କୋମା ଭଳି ପାର୍ଶ୍ୱ ପ୍ରତିକ୍ରିୟାରେ ପୀଡିତଙ୍କୁ ରକ୍ଷା କରିବାରେ ବ୍ୟବହୃତ ହୋଇପାରିବ। ଏଥିରେ ପ୍ରଥମେ ମୁଣ୍ଡର ସ୍କାନିଂ ଆବଶ୍ୟକ ହୋଇଥାଏ, ଯାହା ଆଧାରରେ ଚିକିତ୍ସା ସ୍ଥିର କରାଯାଏ। ବଡ଼ ଡାକ୍ତରଖାନାରେ ସିଟି ସ୍କାନିଂ କିମ୍ବା ଏମଆରଆଇ ଉପଲବ୍ଧ ହେଉଥିବାବେଳେ ଅଧିକାଂଶ ଡାକ୍ତରଖାନାରେ ତାହା ଉପଲବ୍ଧ ନୁହେଁ। ଏହି କ୍ଷେତ୍ରରେ, ସିଟି ସ୍କାନିଂ କିମ୍ବା ଏମଆରଆଇ ପାଇଁ ଅପେକ୍ଷାକୃତ ଅଧିକ ସମୟ ଲାଗିଥାଏ।

Google

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), କାନପୁରର ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ ସେଣ୍ଟର ସହଯୋଗରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ପୂର୍ବତନ ବୈଜ୍ଞାନିକ ଶିଳ୍ପା ମଲିକଙ୍କ ଷ୍ଟାର୍ଟଅପ୍ ଦ୍ୱାରା ଏହି ସ୍କାନରକୁ ପ୍ରସ୍ତୁତ କରିଛନ୍ତି। ଡିଭାଇସ୍ ପେଟେଣ୍ଟ୍ ହେବା ପରେ ବ୍ୟବସାୟିକ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଗୁଜୁରାଟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଯୋଗାଇ ଦିଆଯାଇଛି।

ସୈରିବୋ ନାମକ ଏହି ସ୍କାନରକୁ ହେୟାର ଡ୍ରାୟର ପରି ମୁଣ୍ଡରେ ଲଗାଇବା ମାତ୍ରେ ସଠିକ୍ ରିପୋର୍ଟ ଦୁଇ ମିନିଟରେ ବାହାରିଥାଏ।୨୦୦୪ ମସିହାରେ ଏନଆଇଟିଜାମସେଦପୁରରୁ କମ୍ପ୍ୟୁଟର ବିଜ୍ଞାନରେ ବି-ଟେକ୍ ପରେ ଶିଳ୍ପା ଡିଆରଡିଓରେ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହା ପରେ, ସେ ଘରୋଇ କମ୍ପାନୀଗୁଡିକରେ ଚାକିରି କରିଥିଲେ ଏବଂ ତା’ପରେ ୨୦୧୩ରେ ତାଙ୍କର ଷ୍ଟାର୍ଟଅପ୍ ‘ବାୟୋ ସ୍କାନ୍’ ଆରମ୍ଭ କରି ଏହି ଅନୁସନ୍ଧାନରେ ଜଡିତ ହୋଇଥିଲେ। ଶିଳ୍ପା କହିଛନ୍ତି ଯେ ଏହି ସ୍କାନର୍ ନିୟର ଇନଫ୍ରାରେଡ୍ ସ୍ପେକ୍ଟ୍ରୋ ସ୍କୋପି ଟେକ୍ନୋଲୋଜି ଉପରେ ଆଧାରିତ।

ଇନଫ୍ରାରେଡ୍ ଲାଇଟ୍ ବ୍ରେନ୍ ଏବଂ ସ୍ନାୟୁରେ ସୂକ୍ଷ୍ମ ପରିବର୍ତ୍ତନକୁ ଚିହ୍ନିଟ କରେ ଏବଂ ସଫ୍ଟୱେୟାରରେ ଥିବା ସମସ୍ତ ତଥ୍ୟ ଦୁଇ ମିନିଟରେ ରିପୋର୍ଟ ସାମନାକୁ ଆଣିଥାଏ। ଏହି ମେସିନର ବ୍ୟବହାର ଏବଂ ପରିବହନ ଅତି ସହଜ ଓ ଫଳାଫଳଗୁଡିକ ମଧ୍ୟ ସଠିକ୍ ଅଟେ। ଏହାର ତିନୋଟି ମଡେଲ ତିଆରି କରାଯାଇଛି, ଯାହାର ମୂଲ୍ୟ ପାଞ୍ଚ ଲକ୍ଷରୁ ଆଠ ଲକ୍ଷ ମଧ୍ୟରେ ରହିଛି। ଉତ୍ପାଦନ ତ୍ୱରାନ୍ୱିତ ହେବା ସହ ମୂଲ୍ୟକୁ ଆହୁରି ହ୍ରାସ କରିବାକୁ ଉଦ୍ୟମ କରାଯାଉଛି।

ଉତ୍ତରପ୍ରଦେଶ ଆୟୁର୍ବେଦ(ଇଟାୱା) ବିଶ୍ୱବିଦ୍ୟାଳୟର କୁଳପତି ତଥା ବରିଷ୍ଠ ନ୍ୟୁରୋ ସର୍ଜନ ପ୍ରଫେସର ଡା. ରାଜକୁମାର ବ୍ରେନ୍ ହାମରେଜ ସମ୍ବନ୍ଧରେ କହିଛନ୍ତି, ଏହା ବ୍ରେନରେ କେତେ ପରିମାଣରେ ଏବଂ କେଉଁଠାରେ ହାମରେଜ ଘଟିଛି ତାହା ଉପରେ ନିର୍ଭର କରେ। କାରଣ ଶରୀର ସମ୍ପୂର୍ଣ୍ଣ ରୂପେ ମସ୍ତିଷ୍କ ନିୟନ୍ତ୍ରଣରେ ରହିଛି। ସ୍କାନିଂ ଦ୍ୱାରା ଏହି ଅବସ୍ଥା ସ୍ପଷ୍ଟ ହୋଇଥାଏ ଏବଂ ପରେ ଚିକିତ୍ସା ଆରମ୍ଭ କରାଯାଏ। ଯଦି ଏହି ପ୍ରକାରର ସ୍କାନର୍ ଉପଲବ୍ଧ ହୋଇପାରୁଛି ତେବେ ସମାଜ ପାଇଁ ହିତ। ଏହା କେତେ ପ୍ରଭାବଶାଳୀ ବ୍ୟବହାର ପରେ ହିଁ ସିଦ୍ଧାନ୍ତ ନିଆଯାଇପାରିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *