ଉତ୍ତରପ୍ରଦେଶ ପରେ ଏବେ ହରିୟାଣାରେ ଲଜ୍ଜା: ୨୫ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଡେଲିଭରୀ ବୟ…

ଚଣ୍ଡୀଗଡ଼,୪/୧୦: ଥମୁନି ଲଜ୍ଜା । ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣା ଦେଶରେ ଆଲୋଡନ ସୃଷ୍ଟି କରୁଛି । କରୋନା କାଳରେ ଏମିତି ଖବର ଏବେ ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି । ଉତ୍ତରପ୍ରଦେଶର ହାଥରସ୍‌ ପରେ ଏବେ ହରିୟାଣାରୁ ଆସିଛି ଅନୁରୂପ ଖବର । ଜାତୀୟ ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗୁରଗାଓଁରେ ଜଣେ ୨୫ ବର୍ଷୀୟ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏକ ଫୁଡ ଡେଲିଭରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ୪ଜଣ ଯୁବକ ମହିଳା ଜଣଙ୍କୁ ଗଣଦୁଷ୍କର୍ମ କରିଛନ୍ତି ।

ଅପରାଧ ଘଟାଇବା ପରେ ଅଭିଯୁକ୍ତମାନେ ମହିଳାଙ୍କୁ ପ୍ରବଳ ମାଡ ମାରିଥିଲେ । ଏହି ଘଟଣାରେ ପୀଡିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ପୀଡ଼ିତାଙ୍କୁ ପ୍ରଥମେ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଗୁରଗାଓଁ ପୋଲିସର ସୂଚନା ଅନୁସାରେ, ଏହି ଘଟଣା ଡିଏଲଏଫ ଫେଜ-୨ରେ ଘଟିଛି । ମାମଲାରେ ତୁରନ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଫୁଡ୍ ଡେଲିଭରୀ କମ୍ପାନୀରେ ଡେଲିଭରୀ ବୟ ଭାବେ କାମ କରନ୍ତି । ପୋଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ପଙ୍କଜ, ପଓ୍ବନ, ରଞ୍ଜନ ଓ ଗୋବିନ୍ଦ ।

୪ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ଏହି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ହାସଲ କରାଯାଉଛି । ପୋଲିସ ଏହି ମାମଲାରେ ଅନ୍ୟ ଘଟଣା ଉପରେ ତଦନ୍ତ ଜାରିରଖିଛି । ଅଭିଯୁକ୍ତମାନେ ପୀଡିତାଙ୍କୁ ପୂର୍ବରୁ ଜାଣିଥିଲେ କି ନାହଁ ସେ ବାବଦରେ ପୋଲିସ ତଦନ୍ତ ଜାରି ରଖିଛି । ସେଭଳି ଗୁରଗାଓଁ ପୋଲିସ ମହିଳାଙ୍କୁ ଠିକ୍ ହେବା ପାଇଁ ଅପେକ୍ଷା କରିଛି । ଫଳରେ ପୀଡିତାଙ୍କର ବୟାନ ରେକର୍ଡ କରାଯିବ ।

Be the first to comment

Leave a Reply

Your email address will not be published.


*