ଦେଶର ଅର୍ଥନୈତିକ ସଙ୍କଟ ପାଇଁ ଲକ୍ଡ଼ାଉନ୍ ଦାୟୀ: ସୁପ୍ରିମକୋର୍ଟ….

ନୂଆଦିଲ୍ଲୀ,୨୬/୮: ଦେଶର ଅର୍ଥନୈତିକ ସଙ୍କଟ ପାଇଁ ଲକ୍-ଡାଉନ୍ ଦାୟୀ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଋଣ ମାମଲାର ଶୁଣାଣିବେଳେ ପ୍ରକାଶ କରିଛନ୍ତି। କରୋନା ପାଇଁ କେନ୍ଦ୍ର ସରକାର ଜାରି କରିଥିବା କଡ଼ା ଲକ୍-ଡାଉନ୍ ଯୋଗୁଁ ଆଜି ଦେଶର ଅର୍ଥନୀତିରେ ବ୍ୟାପକ ସମସ୍ୟା ଦେଖାଦେଇଛି ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏମଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ପ୍ରକାଶ କରିଛନ୍ତି। ଏଥିସହ ମୋରାଟୋରିୟମ ଅବଧି ପରେ ଲୋକଙ୍କୁ ନିଜର ଋଣ ବାବଦରେ ଅଧିକ ସୁଧ ଦେବାକୁ ପଡି଼ବ କି ନାହିଁ, ସେ କଥା କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ’ଣ ପାଇଁ କେନ୍ଦ୍ର ସରକାର ଏ ବାବଦରେ ଅଦ୍ୟାବଧି କୌଣସି ସତ୍ୟପାଠ ଦାଖଲ କରିନାହାନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି।

Google

ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିଜର ପକ୍ଷ ସ୍ପଷ୍ଟ କରିବାକୁ କହିଛନ୍ତି। ପୂର୍ବରୁ ଏ ସମ୍ପର୍କରେ ଆରବିଆଇ ନିଷ୍ପତ୍ତି ନେବ ବୋଲି କୋର୍ଟଙ୍କୁ ଅବଗତ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଆରବିଆଇର ପକ୍ଷ ଶୁଣିବା ସହ କେନ୍ଦ୍ର ସରକାର ଏହାକୁ ଢାଲ କରି ପଛରେ ଲୁଚୁଛନ୍ତି ବୋଲି କହିଛନ୍ତି। କୋର୍ଟ କେନ୍ଦ୍ର ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କେବେ ସୁଦ୍ଧା ସତ୍ୟପାଠ ଦାଖଲ କରିବେ ବୋଲି ପଚାରିଛନ୍ତି। ଶ୍ରୀ ମେହେଟ୍ଟା ଏଥିପାଇଁ ଏକ ସପ୍ତାହ ସମୟ ଲୋଡିଛନ୍ତି।

Google

ଦେଶର ଅର୍ଥନୀତି ଦିନକୁ ଦିନ ନିମ୍ନଗାମୀ ହେଉଛି। ଏହାକୁ ଦୃଷ୍ଟିରେ ରଖି ଖଣ୍ଡପୀଠରେ ଥିବା ଜଷ୍ଟିସ ଶାହ କହିଛନ୍ତି, ଶ୍ରୀ ମେହଟ୍ଟା ଏବେ କେବଳ ବ୍ୟବସାୟ କଥା ଖାଲି ଚିନ୍ତା କରିବା ପାଇଁ ଉଚିତ ସମୟ ନୁହେଁ। ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି, ବର୍ତ୍ତମାନ ଅର୍ଥନୀତିରେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ସେଥିପାଇଁ କେନ୍ଦ୍ର ଜାରି କରିଥିବା ଲକ୍-ଡାଉନ୍ ହିଁ ଦାୟୀ। ଆପଣ ଆମକୁ ଦୁଇଟି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ପ୍ରଥମେ ବିପର୍ଯ୍ୟୟ ପ୍ରଶମନ ଆଇନ ଓ ମୋରାଟୋରିୟମ ପିରିୟଡ଼ ପରେ ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡ଼ିବ କି ନାହିଁ ଏବଂ ଦ୍ଵିତୀୟରେ ଆପଣ କେବଳ ଆରବିଆଇ ପଛରେ ଲୁଚିଲେ ହେବନାହିଁ। ନିଜ ପକ୍ଷ ସ୍ପଷ୍ଟ କରନ୍ତୁ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ କପିଲ ଶିବଲ କହିଛନ୍ତି, ମୋରାଟୋରିୟମ ପିରିୟଡ଼ ଅଗଷ୍ଟ ୩୧ରେ ଶେଷ ହେବାକୁ ଯାଉଛି। ତେଣୁ ସେପ୍ଟେମ୍ବର ପହିଲାରୁ ସମସ୍ତେ ଡିଫଲ୍ଟ ବିବେଚିତ ହେବେ। ଋଣ ପରିମାଣଗୁଡ଼ିକ ଏନପିଏ ଭାବେ ପରିଗଣିତ ହେବ। ଏହା ପୁଣି ଏକ ବଡ଼ ପ୍ରସଙ୍ଗ ହୋଇ ଉଭା ହେବ। ତେଣୁ ମୋରାଟୋରିୟମ ପିରିୟଡ଼କୁ ବୃଦ୍ଧି କରିବା ସପକ୍ଷରେ ସେ ଯୁକ୍ତି ବଢ଼ିଲେ। ଶିବଲଙ୍କ ଯୁକ୍ତିକୁ ଶ୍ରୀ ମେହଟ୍ଟା ବିରୋଧ କରିଥିଲେ। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସେପ୍ଟେମ୍ବର ୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି।

Be the first to comment

Leave a Reply

Your email address will not be published.


*