ଓଡିଶାକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ ! ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଲାଗୁ ହେଲା କଟକଣା…

ଓଡିଶାକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ ! ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଲାଗୁ ହେଲା କଟକଣା…

କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦେଶର ଅନେକ ରାଜ୍ୟ ଗୁଡିକରେ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ହେବ ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ଓଡିଶାକୁ ପୁଣିଥରେ ରାତ୍ରିକାଳୀନ କର୍ଫ୍ୟୁ ଫେରିଛି । ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା ହୋଇଛି । ମାର୍ଚ୍ଚ ୨୩ ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୯ଟାରୁ ଦିନ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ରହିବ । ସୋମବାର ଦିନ ମାଲକାନଗିରି ଜିଲ୍ଲାପାଳ ଏ ବିଷୟରେ ଘୋଷଣା କରିଛନ୍ତି । ଜିଲ୍ଲା ପ୍ରଶାସନ ଦୋଳ ପୂର୍ଣ୍ଣିମା ଏବଂ ବଡ଼ଯାତ୍ରାକୁ ଦୃଷ୍ଟିରେ ରଖି ଏହାକୁ ଘୋଷଣା କରିଛନ୍ତି ।

ସର୍ବସାଧାରଣ ସ୍ଥାନରେ ହୋଲି ପାଳନ ନେଇ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି । କରୋନା ନିର୍ଦେଶାବଳୀକୁ ପାଳନ କରି ମାତ୍ର ୫୦ ଜଣଙ୍କୁ ନେଇ ଦୋଳ ମେଲଣ କରାଯିବ ବୋଲି ଘୋଷଣା କରାଯାଇଛି । ଆହୁରିମଧ୍ୟ ସର୍ବାଧିକ ୨୦୦ ଜଣଙ୍କୁ ନେଇ ବଡ଼ଯାତ୍ରା ଆୟୋଜନ ହେବ ବୋଲି କୁହାଯାଇଛି । ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ, ମାସ୍କ ପିନ୍ଧି ଏବଂ ସାମାଜିକ ଦୂରତା ଅବଲମ୍ବନ କରି ବଡ଼ଯାତ୍ରା ପାଳନ କରାଯିବ । ୨୦୨୧ ମସିହାରେ ରାଜ୍ୟରେ ପ୍ରଥମଥର ପାଇଁ ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏହି କଟକଣା ମାର୍ଚ୍ଚ ୨୩ ରୁ ୩୧ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ବଳବତ୍ତର ରହିବ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାପୂର୍ବରୁ କଟକ, ସମ୍ବଲପୁର ଏବଂ ଭୁବନେଶ୍ୱରର ସର୍ବସାଧାରଣ ସ୍ଥାନରେ ହୋଲି ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି । ଘର ଭିତରେ ରହି ହୋଲି ପର୍ବ ପାଳନ କରିବା ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ନିବେଦନ କରାଯାଇଛି ।

ଗତ ଦୁଇ ଦିନ ହେବ ରାଜ୍ୟରେ ୧୦୦ରୁ ଅଧିକ ନୂତନ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହାଦ୍ଵାରା ରାଜ୍ୟ ସରକାର ସତର୍କ ହୋଇ ଯାଇଛନ୍ତି । ଏହାବ୍ୟତୀତ ମହାରାଷ୍ଟ୍ରରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ର ଏବଂ ଗୁଜୁରାଟ ସମେତ ଦେଶର ୧୨ଟି ରାଜ୍ୟରେ କରୋନାର ଗ୍ରାଫ୍ ଉପରକୁ ଗତି କରୁଛି । ଯାହାଫଳରେ ଓଡିଶା ସରକାର ସତର୍କମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

ରାଜ୍ୟରେ କରୋନାକୁ ବର୍ଷେ ପୂରିଗଲାଣି, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକଙ୍କ ମନରୁ କରୋନାର ଭୟ ଯାଇନାହିଁ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ କରୋନା ଚିହ୍ନଟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏହାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩ରେ ପହଞ୍ଚିସାରିଛି ।

ଏହାଛଡା ଭୁବନେଶ୍ଵରର ଜିମ୍ବରୁ ଗତକାଲି ୪୫ ଜଣ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏସମସ୍ତଙ୍କର ଭ୍ରମଣ ଇତିହାସ ସନ୍ଧାନ କରାଯାଉଛି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତିର ସମୀକ୍ଷା କରିବେ । ପୁଣିଥରେ ଆଶାକର୍ମୀ, ସରପଞ୍ଚ, ୱାର୍ଡ ମେମ୍ବର୍ ଏବଂ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଦାୟିତ୍ୱ ଦିଆଯିବ । ଗ୍ରାମକୁ ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ସେମାନେ ନଜର ରଖିବେ । ଗ୍ରାମର କରୋନା ପରିଚାଳନା କମିଟିକୁ ପୁଣିଥରେ ସକ୍ରିୟ କରାଯିବ । ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସପିଂ ମଲ୍ ଗୁଡିକରେ କରୋନା ନିର୍ଦେଶାବଳୀକୁ କଡାକଡି ପାଳନ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ କରୋନାର ସ୍ଥିତିକୁ ଦେଖି ଲକଡାଉନ୍ କିମ୍ବା ଅନ୍ୟ ଦିଗ ଉପରେ ଦୃଷ୍ଟି ଦିଆଯିବ ।

Leave a Reply

Your email address will not be published. Required fields are marked *