୩୨ ବର୍ଷ ପୂର୍ବରୁ ଭିଆର ଚୋପ୍ରାଙ୍କର ଟିଭି ଶୋ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି ୫୪ ବର୍ଷୀୟା ହୋଇ ଯାଇଛନ୍ତି । ୨୫ ନଭେମ୍ବର ୧୯୬୬ ମସିହାରେ କଲ୍ୟାଣୀ, କୋଲକାତାରେ ଜନ୍ମଗ୍ରହଣ କରିଥିବା ରୂପା ହିନ୍ଦୀ ସହିତ ବଙ୍ଗଳା ଟିଭି ଏବଂ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ମହାଭାରତର ଦ୍ରୌପଦୀଙ୍କ ଜୀବନ ବିଷୟରେ କହିବାକୁ ଗଲେ, ତାଙ୍କ ଜୀବନ ବହୁତ ଉତ୍ଥାନ ପତନ ମଧ୍ୟରେ ପୂର୍ଣ୍ଣ ହୋଇରହିଛି । ୧୯୯୨ ମସିହାରେ ସେ ମେକାନିକାଲ ଇଞ୍ଜିନିୟର ଧ୍ରୁବ ମୁଖାର୍ଜୀଙ୍କୁ ବିବାହ କରିଥିଲେ । ତେବେ ରୂପାଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ନଥିଲା ଏବଂ ୨୦୦୯ ମସିହାରେ ତାଙ୍କର ଛାଡ଼ପତ୍ର ହୋଇ ଯାଇଥିଲା ।
ଥରେ ନୁହେଁ ୩ ଥର ଆତ୍ମହତ୍ୟା ପାଇଁ ଚେଷ୍ଟା କରିସାରିଛନ୍ତି ରୂପା:-
ରିୟାଲିଟି ଶୋ ‘ସଚ୍ କି ସାମ୍ନା’ରେ ରୂପା ଏହି କଥା ସ୍ଵୀକାର କରିଥିଲେ ଯେ, ବିବାହ ପରେ ସେ ଅଭିନୟ ଛାଡି ଦେଇ ସ୍ୱାମୀଙ୍କ ସହ କୋଲକାତା ସ୍ଥାନାନ୍ତର ହୋଇ ଯାଇଥିଲେ କିନ୍ତୁ ତାଙ୍କୁ ଦୈନନ୍ଦିନ ଖର୍ଚ୍ଚ ପାଇଁ ମଧ୍ୟ ଟଙ୍କା ଦିଆ ଯାଉନଥିଲା । ଏହି କାରଣରୁ ସେ ପ୍ରତିଦିନର ଝଗଡ଼ାରୁ ମୁକ୍ତି ପାଇବାପାଇଁ ତିନିଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।
ଲିଭ-ଇନ୍ ସମ୍ପର୍କରେ ମଧ୍ୟ ରହିଥିଲେ:-
ସ୍ୱାମୀ ଧ୍ରୁବଙ୍କ ଠାରୁ ଅଲଗା ହେବାପରେ ରୂପା ନିଜ ଠାରୁ ୧୩ ବର୍ଷର ସାନ ଗାୟକ ପ୍ରେମୀ ଦିବେନ୍ଦୁଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ମଧ୍ୟ ରହିଥିଲେ । ତେବେ ଦୁହେଁ ଖୁବଶୀଘ୍ର ଅଲଗା ହୋଇ ଯାଇଥିଲେ । ରିୟାଲିଟି ଶୋ ‘ସଚ୍ କି ସାମ୍ନା’ ରେ ରୂପା ଏହି କଥାକୁ ମଧ୍ୟ ସ୍ୱୀକାର କରିଥିଲେ ଯେ, ମହାଭାରତ ସମୟରେ ସେ ଅନ୍ୟତ୍ର ବୈବାହିକ ସମ୍ପର୍କରେ ମଧ୍ୟ ଜଡିତ ହୋଇଥିଲେ ।
ଅଭିନେତ୍ରୀ ହେବାର ଉଦେଶ୍ୟ ନଥିଲା:-
ଦ୍ରୌପଦୀ ଚରିତ୍ରରୁ ପ୍ରସିଦ୍ଧ ହୋଇଥିବା ରୂପା ଗାଙ୍ଗୁଲିକୁ ନାମ, ପ୍ରସିଦ୍ଧି, ଟଙ୍କା ପଇସା ସବୁକିଛି ମିଳିଥିଲା କିନ୍ତୁ ତାଙ୍କୁ ଲାଗୁଥିଲା ଯେ, ସେ ଭଲ ଅଭିନେତ୍ରୀ ନଥିଲେ । ସେ କହିଥିଲେ ଯେ, ତାଙ୍କୁ ଜଣାନାହିଁ କି ସେ କିପରି ଅଭିନୟ କଲେ କିନ୍ତୁ ତାହା ତାଙ୍କର ସତ୍ୟ ଏବଂ ଭଲ ଚେଷ୍ଟା ଥିଲା, ଯାହା ତାଙ୍କ ପାଇଁ ଭଲ ପ୍ରମାଣିତ ହେଲା ।
ପ୍ଲେବ୍ୟାକ୍ ଗାୟିକା ମଧ୍ୟ କରି ସାରିଛନ୍ତି ରୂପା:-
ରୂପାଙ୍କ ଅନୁଯାୟୀ, ତାଙ୍କର ଅଭିନେତ୍ରୀ ହେବାର କୌଣସି ଉଦେଶ୍ୟ ନଥିଲା । ଏହିସବୁ ହଠାତ ହେଲା । ତେବେ ଦ୍ରୌପଦୀ ଭୂମିକାରେ ଅଭିନୟ କରିବାପାଇଁ ସେ ବହୁତ ପରିଶ୍ରମ କରିଥିଲେ । ରୂପା ଗାଙ୍ଗୁଲି ଟଲିଉଡ଼ରେ ଅନେକ ଭଲ ଭଲ ନିର୍ଦେଶକ ମାନଙ୍କ ସହ ମଧ୍ୟ କାମ କରିସାରିଛନ୍ତି ।ପ୍ଲେବ୍ୟାକ ଗାୟିକା ପାଇଁ ମଧ୍ୟ ସେ ଫିଲ୍ମ ଫେୟାର ଆୱାର୍ଡ ଜିତି ସାରିଛନ୍ତି ।
ଛୋଟ-ବଡ଼ ଉଭୟ ପରଦାରେ କାମ କରିସାରିଛନ୍ତି:-
ଦ୍ରୌପଦୀ ଚରିତ୍ରରୁ ପ୍ରସିଦ୍ଧ ହେବା ପରେ ରୂପା ଗୌତମ୍ ଘୋଷଙ୍କର ପୋଦା ନୋଦିର ମାଝି (୧୯୯୩), ଅପର୍ଣ୍ଣା ସେନଙ୍କର ଯୁଗାନ୍ତ (୧୯୯୫) ଏବଂ ରିତୁପର୍ଣ୍ଣା ଘୋଷଙ୍କର ଅନ୍ତରମହଲ (୨୦୦୬), ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଚର୍ଚ୍ଚିତ ହୋଇଛନ୍ତି । ଏହାବ୍ୟତୀତ ଛୋଟ ପରଦାରେ ସେ ‘କରମ୍ ଅପନା ଅପନା’, ‘ଲଭ୍ ଷ୍ଟୋରୀ’, ‘ବକ୍ତ ବତାଏଗା କୌନ୍ ଅପନା କୌନ୍ ପରାୟା’, ‘କସ୍ତୁରୀ’, ‘ଅଗଲେ ଜନମ୍ ମୋହେ ବିଟିୟା ହି କିଜୋ’ ଏବଂ ‘କୁଚ୍ଛ ତୋ ହେ ତେରେ ମେରେ ଦରମିଆଁ’ ଭଳି ସିରିଏଲରେ କାମ କରିଛନ୍ତି ।
ଅଭିନୟରୁ ରାଜନୀତିକୁ ଆସି ଯାଇଛନ୍ତି ରୂପା:-
୨୦୧୫ ମସିହାରେ ରୂପା ଗାଙ୍ଗୁଲି ଅଭିନୟରୁ ରାଜନୀତିକୁ ଆସି ଯାଇଛନ୍ତି ଏବଂ ସେ ବିଜେପିରେ ଜଡିତ ହୋଇ ସାରିଛନ୍ତି
। ଏହାପରେ ୨୦୧୬ ମସିହାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଗ୍ୟ ଆପଣେଇ ଥିଲେ । ତେବେ ସେ ହାୱଡ଼ା ନର୍ଥରୁ ହାରି ଯାଇଥିଲେ । ତେବେ ଏହିବର୍ଷ ମଇ ଠାରୁ ସେ ବହୁତ ଚର୍ଚ୍ଚାରେ ରହିଥିଲେ, ଯେତେବେଳେ ନିର୍ବାଚନ ପ୍ରଚାର ସମୟରେ ସାଉଥ ୨୪ ପରଗନା ଜିଲ୍ଲାର ଡ଼ାଇମଣ୍ଡ ହାର୍ବର ଅଞ୍ଚଳରେ ଟିଏମସିର କାର୍ଯ୍ୟକର୍ତ୍ତା ତାଙ୍କ କାର୍ ଉପରେ ଆକ୍ରମଣ କରିଦେଇଥିଲେ ।