ମହିଳା ହାବିଲଦାର ଖୋଜି ବାହାର କଲେ ୭୬ ଜଣ ନିଖୋଜ ପିଲାଙ୍କୁ, ଖୁସି ହୋଇ ଦିଲ୍ଲୀ ପୋଲିସ୍ କମିଶନର କରିଦେଲେ ପ୍ରମୋଶନ !

ଦିଲ୍ଲୀ ପୋଲିସର ହାବିଲଦାର ସୀମା ଢାକାଙ୍କର କାମକୁ ଦେଖି ତାଙ୍କୁ ପ୍ରମୋଶନ ଦିଆଯାଇଛି ଏବଂ ଏଏସଆଇ କରି ଦିଆଯାଇଛି । ସୀମା ଢାକା ଦିଲ୍ଲୀ ପୋଲିସର ପ୍ରଥମ ଏଭଳି ପୋଲିସ୍ କର୍ମଚାରୀ ହୋଇ ଯାଇଛନ୍ତି, ଯାହାଙ୍କୁ ନିଖୋଜ ପିଲା ମାନଙ୍କୁ ଖୋଜିବା ଦ୍ୱାରା ଆଉଟ ଅଫ ଟର୍ଣ୍ଣ ପ୍ରମୋଶନ ଦିଆଯାଇଛି । ଦିଲ୍ଲୀ ପୋଲିସ୍ ଅନୁଯାୟୀ, ସୀମା ଢାକା ଅଢେଇ ମାସ ମଧ୍ୟରେ ଅର୍ଥାତ ୭୫ ଦିନରେ ୭୬ ଜଣ ନିଖୋଜ ପିଲାଙ୍କୁ ଖୋଜି ବାହାର କରିଛନ୍ତି ଏବଂ ଏହି ପିଲାମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କ ସହିତ ଭେଟ କରାଇଛନ୍ତି । ସୀମାଙ୍କର ଏହି କାର୍ଯ୍ୟରେ ଖୁସି ହୋଇ ତାଙ୍କୁ ପୋଲିସ୍ କମିଶନର ଏସଏନ ଶ୍ରୀବାସ୍ତବ ସମୟ ପୂର୍ବରୁ ପଦୋନ୍ନତି ଅର୍ଥାତ ଆଉଟ ଅଫ ଟର୍ଣ୍ଣ ପ୍ରମୋଶନ ଦେଇଛନ୍ତି ।

ସମୟ ପୂର୍ବରୁ ପଦୋନ୍ନତି ପାଇ ହାବିଲଦାରରୁ ଏଏସଆଇ ହୋଇଥିବା ସୀମା ଢାକା ବହୁତ ଖୁସି ଅଛନ୍ତି ଏବଂ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ଦିଲ୍ଲୀ ପୋଲିସର ପ୍ରବକ୍ତା ଡ. ଇଶ ସିଂଘଲ ଏହି ବିଷୟରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଦିଲ୍ଲୀ ପୋଲିସ କମିଶନର ଅଗଷ୍ଟ ୫ ତାରିଖରେ ଏହା ଘୋଷଣା କରିଥିଲା ଯେ, ଯେଉଁ ପୋଲିସ୍ ମାନେ ନିଖୋଜ ହୋଇଥିବା ପିଲାଙ୍କୁ ଖୋଜିବେ, ସେମାନଙ୍କୁ ସମୟ ପୂର୍ବରୁ ପ୍ରଥମ ପଦୋନ୍ନତି ଏବଂ ଅସାଧାରଣ କାର୍ଯ୍ୟ ପୁରସ୍କୃତ କରାଯିବ ।

ଘୋଷଣା ଅନୁଯାୟୀ, ଯେଉଁ ହାବିଲଦାର କିମ୍ବା ସିପାହୀ ଗୋଟିଏ ବର୍ଷ ମଧ୍ୟରେ ୧୪ ବୟସରୁ କମ୍ ବୟସର ୫୦ କିମ୍ବା ତା’ଠାରୁ ଅଧିକ ନିଖୋଜ ପିଲାଙ୍କୁ ଖୋଜି ବାହାର କରିବେ, ତାଙ୍କୁ ସମୟ ପୂର୍ବରୁ ପଦୋନ୍ନତି ଦିଆଯିବ । ଯେଉଁ ସିପାହୀ କିମ୍ବା ହାବିଲଦାର ୧୫ ଜଣ ପିଲାଙ୍କୁ ଖୋଜି ବାହାର କରିବେ, ତାଙ୍କୁ ଅସାଧାରଣ କାର୍ଯ୍ୟ ପୁରସ୍କାର ଦିଆଯିବ । ଏହି ଘୋଷଣା ପରେ ଅନେକ ପୋଲିସ କର୍ମଚାରୀ ନିଖୋଜ ହୋଇଥିବା ପିଲାଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ ।

ସମୟପୁର ବାଦଲି ପୋଲିସ ଷ୍ଟେସନରେ ନିୟୋଜିତ ମହିଳା ହାବିଲଦାର ସୀମା ଢାକା ପ୍ରାୟତଃ ଅଢେଇ ମାସରେ ୭୬ ଜଣ ନିଖୋଜ ପିଲାଙ୍କୁ ଖୋଜି ବାହାର କରିଥିଲେ । ଯେଉଁଥିରୁ ୫୬ ଜଣ ପିଲା ୧୪ ବର୍ଷରୁ କମ୍ ବୟସର ଅଟନ୍ତି । ହାବିଲଦାର ସୀମା ଢାକା ଯେଉଁ ପିଲାମାନଙ୍କୁ ଖୋଜି ବାହାର କରିଥିଲେ, ସେମାନେ ଭିନ୍ନ ଭିନ୍ନ ପୋଲିସ୍ ଷ୍ଟେସନ ଅଞ୍ଚଳରୁ ନିଖୋଜ ହୋଇଥିଲେ । ଦିଲ୍ଲୀରେ ନିଖୋଜ ପିଲାମାନଙ୍କ ବ୍ୟତୀତ ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ସୀମା ନିଖୋଜ ହୋଇଥିବା ପିଲାମାନଙ୍କୁ ଖୋଜି ବାହାର କରିଛନ୍ତି ।

ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ୍ ୧୪୪୦ ଜଣ ନିଖୋଜ ପିଲାଙ୍କୁ ଖୋଜି ବାହାର କରିଛି । ଦିଲ୍ଲୀ ପୋଲିସ୍ ଅନୁଯାୟୀ , ଏହି ଉପାୟ ଦ୍ୱାରା ଅଧିକରୁ ଅଧିକ ନିଖୋଜ ପିଲାଙ୍କୁ ଖୋଜି ବାହାର କରାଯାଇଛି ଏବଂ ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ଭେଟ କରାଯାଇଛି । ଅନ୍ୟପକ୍ଷରେ, ଏହିଭଳି ସମୟ ପୂର୍ବରୁ ପଦୋନ୍ନତି ମିଳିବା ଦ୍ୱାରା ଅନ୍ୟ ପୋଲିସ୍ କର୍ମଚାରୀ ମାନଙ୍କର ଉତ୍ସାହ ବୃଦ୍ଧି ପାଇଛି ଏବଂ ନିଖୋଜ ହୋଇଥିବା ପିଲାଙ୍କୁ ଖୋଜା ଯାଉଛି ।

Be the first to comment

Leave a Reply

Your email address will not be published.


*