ଜମିରୁ ବାହାରିଲା ସୁନା ରୁପାର ପୁରୁଣା ମୁଦ୍ରା, ଖବର ମିଳୁମିଳୁ ହୋଇଗଲା ଲୁଟ୍, ମୁଦ୍ରା ନେଇ ଫେରାର ହେଲେ ଗ୍ରାମବାସୀ !

ଉତ୍ତରପ୍ରଦେଶର ଏକ ଜମିରୁ ଅନେକ ସୁନାରୁପାର ମୁଦ୍ରା ମିଳିଛି । ଏହି କଥାର ସୂଚନା ଗ୍ରାମବାସୀଙ୍କୁ ମିଳିବା ପରେ, ଲୋକମାନେ ଜମିରେ ପହଞ୍ଚି ଯାଇଥିଲେ ଏବଂ ମୁଦ୍ରା ଉଠାଇ ସେଠାରୁ ନେଇ ଚାଲି ଯାଇଥିଲେ । ଏହି ଘଟଣା ଶାମଲି ଜନପଦର ଅଟେ । କୁହାଯାଉଛି ଯେ ଜଣେ କୃଷକଙ୍କ ଜମିରୁ ମାଟି ଖୋଳା ସମୟରେ ଏହି ମୁଦ୍ରା ମିଳିଛି । ମାଟିରେ ପୂର୍ଣ୍ଣ ଥିବା ଟ୍ରାକ୍ଟର ଟ୍ରଲିରୁ ମୁଦ୍ରା ଖସିବା ଦ୍ୱାରା ଗ୍ରାମବାସୀଙ୍କୁ ଏହାର ସୂଚନା ମିଳିଥିଲା । ଏବଂ ସୂଚନା ମିଳିବା ପରେ ବଡ଼ ସଂଖ୍ୟାର ଗ୍ରାମବାସୀ ସେଠାରେ ପହଞ୍ଚି ଯାଇଥିଲେ ।

ଏହାପରେ ଲୋକମାନେ ସେଠାରୁ ଲୁଟ୍ କରିଥିଲେ ଏବଂ ଯାହା ହାତରେ ଯାହା ଲାଗିଥିଲା, ତାକୁ ନେଇ ପଳାଇ ଯାଇଥିଲେ । ପୋଲିସକୁ ଏହି ଘଟଣାର ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲା । ମୁଦ୍ରା ମିଳିଥିବା ଜମି ନିକଟକୁ ପୋଲିସ୍ ଯାଇଥିଲା । ଏହି ମାମଲାରେ ପୋଲିସ୍ ଗ୍ରାମବାସୀଙ୍କୁ ପଚରାଉଚରା ମଧ୍ୟ କରିଥିଲା କିନ୍ତୁ ଗ୍ରାମବାସୀ ମାନେ ପୋଲିସକୁ କିଛି ମଧ୍ୟ କହିନଥିଲେ ଏବଂ ଜମିରୁ ମୁଦ୍ରା ବାହାରିବା କଥାକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।

ତେବେ ପୋଲିସକୁ ତିନୋଟି ମୁଦ୍ରା ମିଳିଛି । ଯାହା ମଧ୍ୟରୁ ଗୋଟିଏ ମୁଦ୍ରାକୁ ରୂପାର ବୋଲି କୁହାଯାଉଛି । ଏହି ମୁଦ୍ରା ଅତ୍ୟନ୍ତ ପୁରୁଣା ଅଟେ ଏବଂ ଏହା ଉପରେ ଅନେକ କିଛି ଲେଖା ହୋଇଛି କିନ୍ତୁ ଏହା ଉପରେ ଲେଖା ହୋଇଥିବା କଥାକୁ ପଢିବା ସମ୍ଭବ ନୁହେଁ । ଏଥିସହିତ ଅନ୍ୟ ଦୁଇଟି ମୁଦ୍ରା ସୁନାର ଅଟେ । ଗୋଟିଏ ମୁଦ୍ରାରେ ଆରବୀ ଭାଷାରେ ରହମତୁଲା ଇବନେ ମୋହମ୍ମଦ ଏବଂ ସୁନାର ଆଉ ଗୋଟିଏ ମୁଦ୍ରାରେ କଲମା ଲେଖାଅଛି ।

ଏହି ପ୍ରସଙ୍ଗରେ ମିଡ଼ିଆ ଜମିର ମାଲିକଙ୍କ ସହ କଥା ହୋଇଥିଲା । ଜମିର ମାଲିକ ଓମ୍ ସିଂହ କହିଛନ୍ତି ଯେ, କିଛି ମୁଦ୍ରା ନିଶ୍ଚିତ ଭାବରେ ମିଳିଛି, ସେଥିରୁ କେତେକ ରୁପା ଆଉ କେତେକ ସୁନାର ଅଟେ, ଏହାର ସୂଚନା ନାହିଁ । ଗ୍ରାମ ପ୍ରଧାନ ରାମକୁମାର ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଜମିରୁ ମୁଦ୍ରା ବାହାରିବାର ସୂଚନା ମିଳିଛି କିନ୍ତୁ ସେ ଦେଖି ନାହାଁନ୍ତି ।

ଏଡିଏମ୍ ଅରବିନ୍ଦ ସିଂହଙ୍କ ଅନୁଯାୟୀ, ମାଟି ଖୋଳା ସମୟରେ ଅନେକ ଧାତୁ ବାହାରିବାର ସୂଚନା ମିଳିଛି । ଏସଡିଏମଙ୍କୁ ତଦନ୍ତ ପାଇଁ କୁହାଯାଇଛି । ଯଦି ଏହି ସ୍ଥାନରୁ ପୁରୁଣା ମୁଦ୍ରା ବାହାରିଛି, ତେବେ ପୁରାତତ୍ତ୍ୱ ବିଭାଗକୁ ସୂଚନା ଦିଆଯିବ । ତେବେ ଏହା ପ୍ରଥମ ଘଟଣା ନୁହେଁ, ମାଟି ଖୋଳା ସମୟରେ ପୁରୁଣା ମୁଦ୍ରା ମିଳିଛି । ଏହାପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସି ସାରିଛି ।

Be the first to comment

Leave a Reply

Your email address will not be published.


*