କଙ୍ଗନା ରାଣାୱତଙ୍କ ବିରୋଧରେ ରଜ୍ଜୁ ହେଲା ଦେଶଦ୍ରୋହ ମାମଲା ! ପୋଲିସ ଦୁଇ ଭଉଣୀଙ୍କୁ ତୃତୀୟ ଥର ପାଇଁ ପଠାଇଲା ନୋଟିସ୍…

ମୁମ୍ବାଇ ପୋଲିସ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କୁ ତୃତୀୟ ଥର ପାଇଁ ସମନ୍ ପଠାଇଛି ଏବଂ ନଭେମ୍ବର ୨୩ କିମ୍ବା ୨୪ରେ ଦୁଇ ଭଉଣୀଙ୍କୁ ପଚରାଉଚରା ପାଇଁ ଡକାଯିବ । କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କୁ ଏହା ପୂର୍ବରୁ ବାନ୍ଦ୍ରା ପୋଲିସ ୨ ଥର ସମନ୍ ପଠାଇ ସାରିଛି । କିନ୍ତୁ ନିଜ ଭାଇଙ୍କ ବିବାହ ହେତୁ କଙ୍ଗନା ଏବଂ ତାଙ୍କ ଭଉଣୀ ପଚରାଉଚରା ପାଇଁ ମୁମ୍ବାଇ ଆସି ପାରିନଥିଲେ । ତେବେ ମୁମ୍ବାଇ ପୋଲିସ ସେମାନଙ୍କୁ ତୃତୀୟ ଥର ପାଇଁ ସମନ୍ ପଠାଇଛି ଏବଂ ନଭେମ୍ବର ୨୩ କିମ୍ବା ୨୪ରେ ପଚରାଉଚରା ପାଇଁ ବାନ୍ଦ୍ରା ପୋଲିସ ଷ୍ଟେସନରେ ଉପସ୍ଥିତ ହେବାକୁ ନୋଟିସ୍ ମାଧ୍ୟମରେ ସୂଚନା ଦେଇଛି ପୋଲିସ୍ ।

ବାସ୍ତବରେ, କୋର୍ଟର ନିର୍ଦ୍ଧେଶାନୁସାରେ ଏହି ଦୁଇଜଣଙ୍କ ବିରୁଦ୍ଧରେ ଅକ୍ଟୋବର ୧୭ ତାରିଖରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ମାମଲା ରଜ୍ଜୁ କରାଯାଇଥିଲା । ଏହାପରେ ପଚରାଉଚରା ପାଇଁ କଙ୍ଗନାଙ୍କୁ ଅକ୍ଟୋବର ୨୬ ଏବଂ ନଭେମ୍ବର ୩ ତାରିଖରେ ନୋଟିସ୍ ପଠାଯାଇଥିଲା । ଭାଇଙ୍କ ବିବାହରେ ଯୋଗ ଦେବାର ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରି କଙ୍ଗନା ନଭେମ୍ବର ୧୫ ତାରିଖ ପରେ ପଚରାଉଚରାରେ ଅନ୍ତର୍ଭୁକ୍ତ ହେବେ ବୋଲି କହିଥିଲେ । ତେବେ ବର୍ତ୍ତମାନ କଙ୍ଗନା ଏବଂ ତାଙ୍କ ଭଉଣୀକୁ ପୁଣିଥରେ ଏକ ସମନ୍ ପଠାଯାଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, କଙ୍ଗନା ଏବଂ ତାଙ୍କ ଭଉଣୀ ବର୍ତ୍ତମାନ ହିମାଚଳରେ ଅଛନ୍ତି ଏବଂ ନିକଟରେ ସେମାନଙ୍କର ଭାଇର ବିବାହ କାର୍ଯ୍ୟ ସମ୍ପାଦନ ହୋଇଛି ।

ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଏହି ଦୁଇଜଣଙ୍କ ବିରୁଦ୍ଧରେ ମାମଲା ରଜ୍ଜୁ କରାଯାଇଛି । ସ୍ଥାନୀୟ କୋର୍ଟର ଆଦେଶରେ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କ ବିରୁଦ୍ଧରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଏଫଆଇଆର ରଜ୍ଜୁ କରାଯାଇଥିଲା । ଏହି ଦୁଇଜଣଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ସହ ଜଡିତ ହୋଇଥିବା ଲୋକଙ୍କୁ ପ୍ରବର୍ତ୍ତାଇବାର ଅଭିଯୋଗ ମଧ୍ୟ ରହିଛି ।

ବାନ୍ଦ୍ରା ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ କୋର୍ଟରେ ବଲିଉଡର କାଷ୍ଟିଂ ନିର୍ଦ୍ଦେଶକ ଏବଂ ଫିଟନେସ୍ ଟ୍ରେନର୍ (ପ୍ରଶିକ୍ଷକ) ମୁନବର ଅଲ୍ଲୀ ସୈୟଦଙ୍କ ଦ୍ଵାରା ଏକ ଆବେଦନ ଦାୟର କରାଯାଇଥିଲା । ଯେଉଁଥିରେ ସୈୟଦ କଙ୍ଗନାଙ୍କ କିଛି ଟ୍ୱିଟକୁ ଆପତ୍ତିଜନକ ବୋଲି ବିବେଚନା କରିଥିଲେ ଏବଂ କୋର୍ଟକୁ କହିଥିଲେ ଯେ କଙ୍ଗନା ଗତ କିଛି ମାସ ଧରି କ୍ରମାଗତ ଭାବରେ ବଲିଉଡକୁ ଆତ୍ମସ୍ୱଜନତା ଏବଂ ପ୍ରିୟତାର କେନ୍ଦ୍ର ବୋଲି କହି ଏହାର ଅପମାନ କରିଆସୁଛନ୍ତି । ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରି ଏବଂ ଟିଭି ସାକ୍ଷାତକାର ମାଧ୍ୟମରେ ସେ ହିନ୍ଦୁ ଏବଂ ମୁସଲମାନ କଳାକାରଙ୍କ ମଧ୍ୟରେ ସମ୍ପ୍ରଦାୟିକ ମତଭେଦ ସୃଷ୍ଟି କରୁଛନ୍ତି ।

ସୈୟଦ କଙ୍ଗନାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ ଯେ, ସେ ବହୁତ ଆପତ୍ତିଜନକ ଟ୍ୱିଟ୍ କରିଛନ୍ତି । ଯାହା କେବଳ ଧାର୍ମିକ ଭାବନାକୁ ନୁହେଁ ବରଂ ଇଣ୍ଡଷ୍ଟ୍ରିର ଅନେକ କଳାକାରମାନଙ୍କର ଭାବନାକୁ ମଧ୍ୟ ଆଘାତ ଦେଉଅଛି । ଏହି ଆବେଦନ ଉପରେ ବାନ୍ଦ୍ରାର ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ ଜୟଦେବ ୱାୟ ଘୁଲେ କଙ୍ଗନାଙ୍କ ବିରୁଦ୍ଧରେ ସିଆରପିସିର ଧାରା ୧୫୬ (୩) ଅନୁଯାୟୀ ଏଫଆଇଆର ଦାଖଲ କରି ପୋଲିସକୁ ତଦନ୍ତ କରିବାପାଇଁ ଆଦେଶ ଦେଇଥିଲେ ।

ପୋଲିସ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୁଦ୍ଧରେ ଭିନ୍ନ ଭିନ୍ନ ଧାରାରେ ମାମଲା ରଜ୍ଜୁ କରିଛି । ଏହି ଧାରାଗୁଡ଼ିକ ହେଉଛି, ଧାରା ୧୫୩ (A), ଧାରା ୨୯୫ (A), ଧାରା ୧୨୪ (A) ଏବଂ ଧାରା ୩୪ ଇତ୍ୟାଦି । ଏହି ଧାରା ଅନୁଯାୟୀ, ଯଦି କଙ୍ଗନା ଏବଂ ତାଙ୍କ ଭଉଣୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ ।

ଧାରା ୧୫୩(A) :- ଆଇପିସିର ଧାରା ୧୫୩ (A), ସେହି ଲୋକଙ୍କ ଉପରେ ଲଗାଯାଇଥାଏ ଯେଉଁମାନେ ଧର୍ମ, ଭାଷା, ସଂପ୍ରଦାୟ ଇତ୍ୟାଦି ଆଧାରରେ ଲୋକମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି । ତେଣୁ ସମ୍ବିଧାନର ଧାରା ୧୫୩(A) ଅନୁଯାୟୀ ଏହିପରି ସମ୍ପ୍ରଦାୟିକ ଦଙ୍ଗା ଓ ମତଭେଦ ସୃଷ୍ଟି କରୁଥିବା ଲୋକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟ ଜେଲଦଣ୍ଡ ସହ ଜୋରିମାନା ମଧ୍ୟ ଦେବାକୁ ହୋଇପାରେ ।

ଧାରା ୨୯୫(A) :- ଏହି ଧାରା ଅନୁଯାୟୀ, ଯେଉଁଠାରେ କୌଣସି ଅଭିଯୁକ୍ତ ବ୍ୟକ୍ତି ଭାରତର ନାଗରିକଙ୍କର କୌଣସି ବର୍ଗର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାର ଆଲୋଚନା ଏବଂ ଦୁର୍ଭାବନାପୂର୍ଣ ଆଶ୍ରୟ ଦ୍ୱାରା ସେହି ବର୍ଗର ଧର୍ମ କିମ୍ବା ଧାର୍ମିକ ବିଶ୍ୱାସକୁ ଅପମାନ କରିଥାଏ କିମ୍ବା ଏଭଳି କରିବାପାଇଁ ଚେଷ୍ଟା କରିଥାଏ, ସେହି ବ୍ୟକ୍ତି ବିଶେଷଙ୍କୁ ଅପରାଧୀ ଭାବରେ ବିବେଚନା କରାଯାଇଥାଏ ।

ଧାରା ୧୨୪(A) :- ଯଦି କୌଣସି ବ୍ୟକ୍ତି ଭାରତ ସରକାରଙ୍କ ବିରୁଦ୍ଧରେ ସର୍ବସାଧାରଣରେ ଏଭଳି କିଛି କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଅନ୍ତି, ଯାହା ଦ୍ୱାରା ଦେଶର ସୁରକ୍ଷା ସଙ୍କଟାପର୍ଣ୍ଣ ସ୍ଥିତିର ସମ୍ମୁଖୀନ କରିବାକୁ ପଡିଥାଏ, ତେବେ ସେହିପରି ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ । ଏହି କାର୍ଯ୍ୟକଳାପକୁ ସମର୍ଥନ କରିବା କିମ୍ବା ପ୍ରଚାର ପ୍ରସାର କରିବା ଦ୍ୱାରା ମଧ୍ୟ ଦେଶଦ୍ରୋହୀ ଭାବରେ ବିବେଚନା ମଧ୍ୟ କରାଯିବ ।

Be the first to comment

Leave a Reply

Your email address will not be published.


*