କୋରୋନା ଟିକାକୁ ନେଇ ଆସିଲା ବଡ଼ ଖବର: ଜାଣନ୍ତୁ କେତେ ପ୍ରଭାବଶାଳୀ ଅକ୍ସଫୋର୍ଡ ଟିକା !

ଲଣ୍ଡନ,୨୮/୧୦: ଭାରତରେ କରୋନା ଭୂତାଣୁ ସଂକ୍ରମଣ ହାର ସାମାନ୍ୟ କମିଥିଲେ ହେଁ ସାରା ବିଶ୍ୱରେ ଏହାର ତାଣ୍ଡବ ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କରୋନାଜନିତ ମୃତ୍ୟୁହାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ସମଗ୍ର ବିଶ୍ୱବାସୀ କରୋନା ଭ୍ୟାକ୍ସିନ ବା ଟିକାକୁ ଅତ୍ୟନ୍ତ ଉତ୍କଣ୍ଠାର ସହ ଚାହିଁ ବସି ରହିଛନ୍ତି । ଇତି ମଧ୍ୟରେ ଏକ ଭଲ ଖବର ଲୋକଲୋଚନାକୁ ଆସିଛି । କରୋନା ଭାଇରସ୍ ଟିକା ବୃଦ୍ଧାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ କି ନାହିଁ, ତାକୁ ନେଇ ରହିଥିବା ଦ୍ଵନ୍ଦରେ ଯବନିକା ପଡ଼ିଛି । ଏପରି କ୍ଷେତ୍ରରେ ଅକ୍ସଫୋର୍ଡ ଖୁସିର ଏକ ଖବର ଆଣିଦେଇଛି । ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ “ଅଷ୍ଟ୍ରା ଜେନେକା କୋଭିଡ୍-୧୯ ଭ୍ୟାକସିନ୍” ବୟସ୍କ ଲୋକଙ୍କ ଉପରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏକ ଅନୁସନ୍ଧାନ ଅନୁଯାୟୀ, କରୋନା ପାଇଁ ବୃଦ୍ଧମାନେ ଅଧିକ ବିପଦରେ ରହିଛନ୍ତି । କାରଣ ସେମାନଙ୍କର ରୋଗ ପ୍ରତିରୋଧ ଶକ୍ତି ଅପେକ୍ଷାକୃତ କମ୍ ରହିଥାଏ । ମାତ୍ର ଅକ୍ସଫୋର୍ଡ ଟିକା ଏ କ୍ଷେତ୍ରରେ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ବୃଦ୍ଧମାନଙ୍କ ଉପରେ ଅଧିକାଂଶ ଟିକା ଏବେ ମଧ୍ୟ ପ୍ରଭାବୀ ପ୍ରମାଣିତ ହୋଇନାହିଁ । କାରଣ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମ୍ ରହିଥିବାରୁ ଭାଇରସ୍ ବିରୋଧରେ ଲଢ଼ିବା ଔଷଧ କାମ କରୁନାହିଁ । ତେବେ ଅକ୍ସଫୋର୍ଡର କରୋନା ଟିକା ପରୀକ୍ଷା ସମୟରେ ଏହି ଭ୍ୟାକ୍ସିନ୍ ବୃଦ୍ଧଙ୍କ ଉପରେ ପ୍ରଭାବଶାଳୀ ରହିବ ବୋଲି ଦାବୀ କରାଯାଇଛି । ଅକ୍ସଫୋର୍ଡର କୋରୋନା ଟିକା ବୃଦ୍ଧାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସଫଳ ହେଉଛି । ସୋମବାର ପ୍ରକାଶିତ ଏହି ମିଡିଆ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରିଆନ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକା ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳରୁ ଜଣାପଡିଛି ଯେ ଏହା ବୃଦ୍ଧମାନଙ୍କ ମଧ୍ୟରେ ଏକ ଦୃଢ଼ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରୁଛି ।

google

ଉକ୍ତ ମିଡିଆ ରିପୋର୍ଟରେ କୁହାଯାଇଛି, ଏହି ଟିକା ବୟସ୍କ ବର୍ଗର ବ୍ୟକ୍ତିଙ୍କ ଶରୀରରେ “ପ୍ରତିରକ୍ଷା ଆଣ୍ଟିବଡି ଏବଂ ଟି-ସେଲ୍” ନିର୍ମାଣ କରିଥାଏ । ଏହି ଅନୁସନ୍ଧାନ ଜୁଲାଇରେ କରାଯାଇଥିଲା, ଯେଉଁଥିରେ ୧୮ରୁ ୫୫ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଥିଲା । ତେବେ ସୁସ୍ଥ ବୟସ୍କଙ୍କ ଗୋଷ୍ଠୀରେ ଭ୍ୟାକ୍ସିନରୁ ଦୃଢ଼ ପ୍ରତିରକ୍ଷା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ, ଅକ୍ସଫୋର୍ଡ ୟୁନିଭର୍ସିଟିର ଅନୁସନ୍ଧାନକାରୀଙ୍କ ସହ ମିଶି ଆଷ୍ଟ୍ରା ଜେନେକା ଏହି ଟିକା ବିକଶିତ କରୁଛି ।

Be the first to comment

Leave a Reply

Your email address will not be published.


*