ପ୍ରବଳ ବର୍ଷା ସଙ୍ଗେ ସଙ୍ଗେ ତୀବ୍ର ପବନର ସମ୍ଭାବନା ଯୋଗୁଁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ !

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଘନୀଭୂତ ହେବାକୁ ଲାଗିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି IMD ଡିଜି କହିଛନ୍ତି । ବର୍ଷା ସଙ୍ଗେ ସଙ୍ଗେ ତୀବ୍ର ବେଗରେ ପବନ ମଧ୍ୟ ଲାଗିରହିବ । ଏହାସହ ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳର ଅଳ୍ପ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ଗଞ୍ଜାମ ଓ ପୁରୀରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଏହା ବ୍ୟତୀତ ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁରରେ ପ୍ରବଳ ବର୍ଷା ହୋଇପାରେ ।

ପ୍ରବଳ ବର୍ଷା ସହ ପବନର ବେଗ ତୀବ୍ରତାକୁ ଲକ୍ଷ୍ୟ କରି ପାଣିପାଗ ବିଭାଗ ରେଡ, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂରେ ଅନ୍ତର୍ଭୁକ୍ତ ଥିବା ଜିଲ୍ଲାରେ ଗୁଡିକୁ ସତର୍କ କରାଇଛି । ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠିରେ ପରାମର୍ଶ ଦିଆଯାଇଛି । ଏହି ବର୍ଷା ଆସନ୍ତା ୨୪ ତାରିଖ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଏହି ଚାରୋଟି ଜିଲ୍ଲାକୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ତଳିଆ ଅଂଚଳରେ ପାଣି ଜମିପାରେ ଏବଂ କଚ୍ଚା ଘର ପ୍ରତି ବିପଦ ରହିଛି । ତେଣୁ ନିମ୍ନସ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ସୁରକ୍ଷିତ ପାଇଁ ଭିନ୍ନ ଭିନ୍ନ ପଦକ୍ଷେପମାନେ ହାତକୁ ନେଇଛନ୍ତି ।

ଏଠାରେ ଆପଣଙ୍କୁ ଗୋଟିଏ କଥା ସୁଚାଇ ଦେଉଛୁ ଯେ, ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ । ସମୁଦ୍ରରେ ଏହାର ପ୍ରଭାବ ବେଶି ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Be the first to comment

Leave a Reply

Your email address will not be published.


*