କଟକଣା ହଟିଛି, କରୋନା ନୁହେଁ: ଡିସେମ୍ବର ଯାଏଁ କରୋନାର ପ୍ରଭାବ ଆହୁରି ବଢିବ !

ନୂଆଦିଲ୍ଲୀ,୨୦/୧୦: ମହାମାରୀ ପାଇଁ ଲାଗୁ କଟକଣା ବା ଲକ୍‌ଡାଉନ୍ ଚାଲିଯାଇଛି, କିନ୍ତୁ କରୋନା ଜନିତ ସଂକ୍ରମଣ ବର୍ତ୍ତମାନ ଯାଏଁ ଥମିନାହିଁ । ଏ କଥା ଆଦୌ ନ ଭୁଲିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପର୍ବ-ପର୍ବାଣୀ ସମୟରେ ସାବଧାନତାର ସହ ଚଳିବାକୁ ଦେଶବାସୀଙ୍କୁ ସଚେତନ କରିଛନ୍ତି ।

ସନ୍ଧ୍ୟା ୬ଟାରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜନତା କର୍ଫ୍ୟୁରୁ ଆରମ୍ଭ କରି ଅଦ୍ୟାବଧି ଭାରତବାସୀ କରୋନା ସଂକ୍ରମଣ ବିରୋଧୀ ସଂଗ୍ରାମରେ ଦୀର୍ଘ ପଥ ଯାତ୍ରା କଲେଣି । ଗତ ସାତ/ ଆଠ ମାସ ମଧ୍ୟରେ ପ୍ରତ୍ୟେକ ଭାରତୀୟଙ୍କ ଉଦ୍ୟମ ଯୋଗୁଁ ଭାରତର ସ୍ଥିତି ଭଲ ଅଛି । ଏହାକୁ ଆମେ ବିଗାଡ଼ିବା ନାହିଁ । ଇତିମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ପୂଜାପାର୍ବଣର ସମୟ ଆସିଥିବାରୁ ବଜାରରେ ମଧ୍ୟ ଗହଳି ହେଲାଣି । କିନ୍ତୁ, ଆମେ ଭୁଲିଯିବା ନାହିଁ ଯେ, ‘ଲକ୍‌ଡାଉନ୍’ ଚାଲିଯାଇ ଥାଇପାରେ, କିନ୍ତୁ କରୋନା ରୋଗର ସୃଷ୍ଟିକାରୀ ଭୂତାଣୁ ଚାଲିଯାଇ ନାହିଁ ।

ଏଥିସହ କରୋନା ଟିକାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମସ୍ତ ଭାରତୀୟଙ୍କୁ ଭ୍ୟାକସିନ ମିଳିବ । ଭାରତରେ କରୋନା ଭ୍ୟାକସିନ ପାଇଁ କାମ ଚାଲିଛି । ଔଷଧ ପାଇଁ ଦେଶରେ ଜୋରଦାର କାମ ଚାଲିଛି । ତେବେ କରୋନା ଭ୍ୟାକସିନ ଯେବେ ବି ଆସିବ, ସଙ୍ଗେସଙ୍ଗେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯିବ । କେମିତି ସମସ୍ତ ଭାରତୀୟ ଏହା ପାଇପାରିବେ ସେଥିପ୍ରତି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତେଣୁ ଔଷଧ ନାହିଁ ତ ଖାମଖିଆଲି ନାହିଁ । କୋଭିଡ୍ ମୁକାବିଲାର ସମସ୍ତ ନିୟମ ମାନିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭ୍ୟାକସିନ ନ ଆସିବା ଯାଏଁ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଭ୍ୟାକସିନ ନ ଆସିବା ଯାଏଁ ଢିଲାପଣ ଚଳିବନି । ଦେଶରେ ସୁସ୍ଥ ହାର ବଢିଛି, ମୃତ୍ୟୁ ହାର କମିଛି । ଦେଶରେ ପ୍ରତି ୧୦ ଲକ୍ଷରେ ୫,୫୦୦ ଲୋକଙ୍କୁ କରୋନା ହୋଇଛି । ଦେଶରେ ପ୍ରତି ୧୦ ଲକ୍ଷରେ ୮୩ ଜଣଙ୍କ ମୃତ୍ୟୁ ହେଉଛି । ଆମେରିକା, ବ୍ରାଜିଲ ଭଳି ଦେଶ ତୁଳନାରେ ଭାରତର ସ୍ଥିତି ଭଲ । ଖୁବଶୀଘ୍ର କରୋନା ଟେଷ୍ଟିଂ ୧୦ କୋଟି ଛୁଇଁବ । ତେଣୁ ସମସ୍ତଙ୍କୁ ସୁରକ୍ଷିତ ଦେଖିବାକୁ ଚାହୁଁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଭାରତୀୟଙ୍କୁ କହିଛନ୍ତି ।

ଏହା ସଙ୍ଗେ ସଙ୍ଗେ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ପାଣିପାଗର ପରିବର୍ତ୍ତନ ହେତୁ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିବ । ଏହି କଥାକୁ ଆଖିଆଗରେ ରଖି ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଭ୍ୟାକସିନ ଆସି ନାହିଁ ସମସ୍ତ ଦେଶବାସୀ କରୋନାର ସମସ୍ତ ନିୟମ ମାନି ଚାଲିବା ଅନିର୍ବାଯ୍ୟ । ଏହା ଦ୍ଵାରା ଆପଣ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଆପଣଙ୍କ ପରିବାରକୁ ମଧ୍ୟ ସୁରକ୍ଷିତ ରଖିପାରିବେ ।

Be the first to comment

Leave a Reply

Your email address will not be published.


*