ଏହି ଦେଶରେ କରୋନା ଟିକା ବିକ୍ରି ହେଉଛି ! ଜାଣନ୍ତୁ କିଏ କିଣିପାରିବ ଏବଂ କେତେ ଟଙ୍କାରେ….

ବିଶ୍ୱର ୨୧୦ ଦେଶରୁ ଅଧିକ ଦେଶ କରୋନା ଭୁତାଣୁ ସହ ସଂଘର୍ଷ କରୁଛନ୍ତି । ସମଗ୍ର ବିଶ୍ୱରେ ଲୋକମାନେ ଗୋଟିଏ ଜିନିଷକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, ତାହା ହେଉଛି କରୋନାର ଏକ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଟିକା । ଅଗଷ୍ଟ ମାସରେ ରୁଷ ଦାବି କରିବାର କିଛି ଦିନ ପରେ ପରେ ଚୀନ ମଧ୍ୟ ଟିକା ପ୍ରସ୍ତୁତର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ବୋଲି ଦାବି କରିଥିଲା । ତଥାପି ଏପର୍ଯ୍ୟନ୍ତ ଦାବି କରାଯାଇଥିବା କୌଣସି ଟିକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇନାହିଁ କିମ୍ବା କ୍ଲିନିକାଲ୍ ପରୀକ୍ଷଣର ଅନ୍ତିମ ଫଳାଫଳ ପ୍ରକାଶ ପାଇନାହିଁ । ଏହା ସତ୍ତ୍ୱେ ମଧ୍ୟ ରୁଷରେ ଟୀକାକରଣ ଆରମ୍ଭ ହୋଇ ସାରିଥିବା ବେଳେ ଚୀନରେ ଜରୁରୀକାଳୀନ ଅନୁମୋଦନ ଦ୍ୱାରା ଅଧିକ ବିପଦସମ୍ପର୍ଣ୍ଣ ଲୋକଙ୍କୁ ଟିକା ଦିଆଯାଉଛି । ଏହି ଅଧିକ ବିପଦପୂର୍ଣ୍ଣ ଗୋଷ୍ଠୀ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ, ସେନା, ମହାମାରୀ ପ୍ରତିରୋଧରେ ନିୟୋଜିତ ଅନ୍ୟ କର୍ମୀମାନେ ଅନ୍ତର୍ଭୁକ୍ତ ଅଟନ୍ତି । ଚୀନରେ ଟିକା ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତୁ ଜାଣିବା କେଉଁମାନେ ଟିକା କିଣି ପାରିବେ ଏବଂ ଏହାର ମୂଲ୍ୟ କେତେ କଣ ରହିଛି ?

ବାସ୍ତବରେ, ପୂର୍ବ ଚୀନର ଏକ ସହରରେ କ୍ଲିନିକାଲ୍ ପରୀକ୍ଷଣ ଠାରୁ ଭିନ୍ନ ପ୍ରାୟୋଗିକ ଆକାରରେ ଅଧିକ ବିପଦସମ୍ପର୍ଣ୍ଣ ଗୋଷ୍ଠୀର ଲୋକଙ୍କ ପାଇଁ କରୋନା ଟିକା ବିକ୍ରି ଆରମ୍ଭ କରାଯାଇଛି । ଜରୁରୀକାଳୀନ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ଏହି ଟିକା ମୂଲ୍ୟ ୬୦ ଡଲାର କିମ୍ବା ପ୍ରାୟ ୪୪୦୦ ଟଙ୍କା ରଖାଯାଇଛି । ଚୀନର ରାଜଧାନୀ ବେଜିଂଗର ସିନୋଭାକ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ଏହି ଟିକାର ନାମ “କରୋନାଭ୍ୟାକ (CoronaVac)” ରଖାଯାଇଛି ।

ପୂର୍ବ ଚୀନର ଝେଜିଆଙ୍ଗ ପ୍ରଦେଶର ଜିୟାଶିଙ୍ଗ ସହରରେ ସ୍ୱାସ୍ଥ୍ୟ କର୍ମୀ, ମହାମାରୀ ପ୍ରତିରୋଧରେ ଜଡିତ ବ୍ୟକ୍ତି, ଜନସେବାରେ ନିୟୋଜିତ ଥିବା ବ୍ୟକ୍ତି ଏବଂ ବନ୍ଦର ଇନ୍ସପେକ୍ଟରମାନଙ୍କୁ କରୋନାଭ୍ୟାକ (CoronaVac) ଟିକା ପ୍ରଦାନ କରାଯାଉଛି । ଚୀନ୍ ସରକାରୀ ଗଣମାଧ୍ୟମ ଅନୁଯାୟୀ, ଟୀକାକରଣ କାର୍ଯ୍ୟକ୍ରମ ପରେ ସାଧାରଣ ଲୋକଙ୍କୁ ମଧ୍ୟ ଟୀକାକରଣ କରାଯିବ । ତେବେ ଖବର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଟିକାର ବିକ୍ରିକୁ ଅନୁମୋଦନ ମିଳିନାହିଁ ।

ଜିଆଶିଙ୍ଗ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ (ସିଡିସି)ର କହିବା ଅନୁଯାୟୀ, ଚୀନର କମ୍ପାନୀ ସିନୋଭାକ ବାୟୋଟେକ ଲିମିଟେଡ୍ ଦ୍ୱାରା ବିକଶିତ କରାଯାଇଥିବା ଏହି ଟିକାକୁ ୧୮ ରୁ ୫୯ ବର୍ଷ ବୟସ୍କ ଲୋକଙ୍କୁ ୪୦୦ ୟୁଆନ (୫୯.୫ ଡଲାର)ରେ ଦିଆଯିବ । ସିଡିସି କହିବାନୁଯାୟୀ, ଟିକାର ଦୁଇଟି ଡୋଜ୍ ଅତ୍ୟନ୍ତ ଆବଶ୍ୟକ ଅଟେ । ଯାହା ୧୪ରୁ ୨୮ ଦିନ ବ୍ୟବଧାନରେ ଦିଆଯିବ ।

ଜିଆଶିଙ୍ଗ ସିଡିସି ଏହା ମଧ୍ୟ କହିଛି ଯେ ମାର୍କେଟିଂ ପାଇଁ ଏହି ଟିକାକୁ ଆନୁଷ୍ଠାନିକ ଭାବେ ଅନୁମୋଦନ ମିଳିନାହିଁ । ଏହାକୁ ବର୍ତ୍ତମାନ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦିଆଯାଇଛି । ଆପଣଙ୍କୁ ଜଣାଇ ରଖୁଛୁ ଯେ ଜୁନ୍ ମାସ ଶେଷରେ, ଚୀନର ନ୍ୟାସନାଲ୍ ହେଲଥ କମିଶନ (NHC) ଚାଇନିଜ ଟିକା ପରିଚାଳନା ଅଧିନିୟମ ଅନୁଯାୟୀ ଅଧିକ ବିପଦପୂର୍ଣ୍ଣ ଲୋକଙ୍କ ପାଇଁ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ଦେଇଛି ।

ନ୍ୟୁଜ ଏଜେନ୍ସି ରାଏଟର୍ସଙ୍କର ରିପୋର୍ଟ ଅନୁଯାୟୀ ବ୍ରାଜିଲ, ଇଣ୍ଡୋନେସିଆ ଏବଂ ତୁର୍କୀରେ ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କମ୍ପାନୀ କହିଛି ଯେ ତୃତୀୟ ଅର୍ଥାତ ଶେଷ ପର୍ଯ୍ୟାୟ ପରୀକ୍ଷଣର ମଧ୍ୟବର୍ତ୍ତୀ ବିଶ୍ଳେଷଣ ନଭେମ୍ବର ମାସ ଆରମ୍ଭରେ ଆସିପାରେ । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଦାବି କରିଛନ୍ତି ଯେ ଜୁଲାଇରୁ ଚୀନ୍ ଦ୍ୱାରା ପରୀକ୍ଷାମୂଳକ ବ୍ୟବହାରରେ ହଜାର ହଜାର ଲୋକଙ୍କୁ ଟୀକାକରଣ କରାଯାଇଛି ।

Be the first to comment

Leave a Reply

Your email address will not be published.


*