ହାଥରସ ମାମଲା: ଜିଲ୍ଲା ହସ୍ପିଟାଲର ସିସିଟିଭି ଫୁଟେଜ ଗାଏବ, ଯାଞ୍ଚ ଆରମ୍ଭ କଲା ସିବିଆଇ !

ହାଥରସ,୧୬/୧୦: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଯାଞ୍ଚ ଆରମ୍ଭ କରିଛି ସିବିଆଇ । ସିବିଆଇ ଟିମ୍‌ ଗୁରୁବାର ମଧ୍ୟାହ୍ନରେ ପୀଡ଼ିତାଙ୍କ ଗାଁ’ରେ ପହଞ୍ଚି ପଚରାଉଚରା କରିଛି । ପୀଡ଼ିତାଙ୍କୁ ଯେଉଁ ପଡ଼ିଆରେ ଗଣଦୁଷ୍କର୍ମ ପରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା, ସେଠାରେ ସିବିଆଇ ଟିମ୍‌ ପହଞ୍ଚିଛି । ଏଥିସହ ଯେଉଁ ହସ୍ପିଟାଲରେ ପୀଡ଼ିତାଙ୍କୁ ପ୍ରଥମାବସ୍ଥାରେ ଭର୍ତ୍ତି କରାଯାଇଥିଲା, ସେଠାରେ ମଧ୍ୟ ସିବିଆଇ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ, ଉକ୍ତ ହସ୍ପିଟାଲର ସେପ୍ଟେମ୍ବର ୧୪ ତାରିଖର ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ସିବିଆଇ ଟିମ୍ ଚାହିଁଥିଲା । ମାତ୍ର ଯାଞ୍ଚ କରୁଥିବା ଟିମକୁ ଫୁଟେଜ ଦେବାକୁ ହସ୍ପିଟାଲ ପକ୍ଷରୁ ମନା କରାଯାଇଛି । ୧୪ ତାରିଖର ସିସିଟିଭି ଫୁଟେଜ ସେମାନଙ୍କ ନିକଟରେ ନଥିବା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ତେଣୁ ଯାଞ୍ଚ କରୁଥିବା ଟିମ୍ ଖାଲି ହାତରେ ଫେରିଛି । ଉକ୍ତ ଟିମ୍ ଜିଲ୍ଲା ହସ୍ପିଟାଲ ଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି । ସିସିଟିଭି ଫୁଟେଜ ପାଇଁ ଟିମ୍ ବହୁ ଉଦ୍ୟମ କରିଥିଲେ ହେଁ ତାହା ହାସଲ କରିପାରିନଥିଲା । ତେବେ ହସ୍ପିଟାଲର ସିଏମଏସ ଡା. ଆଇବି ସିଂ ଏସବୁ ବାବଦରେ କିଛି ଜାଣିନଥିବା ପ୍ରତିକ୍ରିୟା ରଖିଛନ୍ତି । ତାଙ୍କୁ କେହି ଭେଟି ନଥିବା ଏବଂ ହସ୍ପିଟାଲର ସବୁ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ଥିବା ସେ ପ୍ରକାଶ କରିଛନ୍ତି ।

ସେପଟେ ସିବିଆଇ ଟିମ୍‌ ସହ ପୀଡ଼ିତାଙ୍କ ମା’ ମଧ୍ୟ ସେଠାରେ ପହଞ୍ଚିଥିଲେ । ପୀଡ଼ିତାଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ହସ୍ପିଟାଲ ଯାଇଥିଲେ । ହସ୍ପିଟାଲରୁ ସେ ଆମ୍ବୁଲାନ୍ସ ଯୋଗେ ଫେରିବା ପରେ ସିବିଆଇ ଟିମ୍‌ ତାଙ୍କୁ ଘଟଣାସ୍ଥଳକୁ ନେଇଥିଲା । ସିବିଆଇ ଟିମ୍‌ ସହ ଜଣେ ଫୋରେନସିକ୍ ବିଶେଷଜ୍ଞ, ପୋଲିସ ଅଧିକାରୀ ଓ ପୀଡ଼ିତାଙ୍କ ଭାଇ ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲେ । କ୍ରାଇମ ସେନ୍ସରେ ସିବିଆଇ ଦୀର୍ଘ ୨ ଘଣ୍ଟା ଯାଞ୍ଚ କରିଥିଲା । ଏହାପରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥଳକୁ ମଧ୍ୟ ସିବିଆଇ ଟିମ୍‌ ଯାଇଥିଲା । ଶେଷରେ ସିବିଆଇ ଟିମ୍‌ ପୀଡ଼ିତାଙ୍କ ଘରକୁ ଯାଇଥିଲା ଓ ପୀଡ଼ିତାଙ୍କ ଭାଇଙ୍କୁ ପଚରା ଉଚରା କରିବାକୁ ନିଜ ସାଙ୍ଗରେ ନେଇ ଚାଲି ଯାଇଥିଲା ।

ପୀଡ଼ିତାଙ୍କର ଆଉ ଜଣେ ଭାଇ କହିଛନ୍ତି, ଆମେ ସିବିଆଇ ତଦନ୍ତ ସମ୍ପର୍କରେ କିଛି ବି କହିପାରିବୁ ନାହିଁ । କାରଣ ତଦନ୍ତ ଏବେ ଆରମ୍ଭ କରାଯାଇଛି । ଆମକୁ ପୂରା ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା । ଆମକୁ ଏବେ ଯେଉଁ ସୁରକ୍ଷା ମିଳିଛି, ସେଥିରେ ଆମେ ସନ୍ତୁଷ୍ଟ । ଏହି ସିବିଆଇ ଟିମ୍‌ର ନେତୃତ୍ୱ ନେଉଛନ୍ତି ଡେପୁଟି ସୁପରିନଟେଣ୍ଡେଣ୍ଟ ଅଫ ପୋଲିସ ସୀମା ପହୁଜା । ସୀମା ପୂର୍ବରୁ ଶିମଲା ଦୁଷ୍କର୍ମ ଓ ହତ୍ୟା ଘଟଣାର ଯାଞ୍ଚ କରିବାର ଅଭଜ୍ଞତା ରଖିଛନ୍ତି । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା ।

Be the first to comment

Leave a Reply

Your email address will not be published.


*