ଯେକୌଣସି ମୁହୂର୍ତ୍ତରେ ହୋଇପାରେ ଭାରତ-ଚୀନ୍ ଯୁଦ୍ଧ !

ବେଜିଂ,୧୫/୧୦: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଶୀର୍ଷରେ ପହଞ୍ଚିଛି । ବାସ୍ତବିକ ନିୟନ୍ତ୍ରଣ ରେଖାରେ ଲାଗି ରହିଥିବା ତିକ୍ତତାରେ ଏପର୍ଯ୍ୟନ୍ତ କୌଣସି ସୁଧାର ଆସିନାହିଁ । ଉଭୟ ଦେଶ ମଧ୍ୟରେ ଗୋଟାଏ ପରେ ଗୋଟାଏ ଆଲୋଚନା ବୈଠକ ହେଉଥିଲେ ହେଁ ଅଦ୍ୟାବଧି କୌଣସି ନିଷ୍କର୍ସ ବାହାରି ପାରିନାହିଁ । ମେ’ ପହିଲାରୁ ଭାରତ ଓ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ବିବାଦ ଲାଗି ରହିଛି । ଏସବୁ ମଧ୍ୟରେ ବର୍ତ୍ତମାନ ଚୀନ୍‌ ସୀମା ନିକଟରେ ସ୍ଥାୟୀ ପୋଷ୍ଟ ନିର୍ମାଣ କରିବା ଆରମ୍ଭ କରି ଦେଇଛି ବୋଲି ଆମେରିକା କହିଛି । ସେପଟେ ସୀମାରେ ଭାରତ ପକ୍ଷରୁ ସ୍ଥାୟୀ ପୋଷ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଚୀନ୍‌ କହିଛି । ଏଥିରୁ ସ୍ପଷ୍ଟ ଯେ, ଭାରତ-ପାକିସ୍ତାନ ମଧ୍ୟରେ ଥିବା ଏଲଓସି ପରି ଭାରତ ଚୀନ ମଧ୍ୟରେ ଏଲଏସି ହେବାକୁ ଯାଉଛି । ଯେଉଁଠାରେ ଦୁଇ ଦେଶ ପକ୍ଷରୁ ସ୍ଥାୟୀ ସେନା ପୋଷ୍ଟ ନିର୍ମାଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ନିର୍ଦ୍ଦେଶ ଦେଇଛନ୍ତି ।

ଚୀନର ‘ସିନହୁଆ’ ଖବର ସରବରାହ ଏଜେନ୍ସିର ରିପୋର୍ଟ ଆଧାରରେ ଅନ୍ତର୍ଜାତୀୟ ଗଣମାଧ୍ୟମ ସିଏନଏନ କହିଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଗୁଆଡୋଙ୍ଗ୍ ରାଜ୍ୟରେ ଥିବା ଏକ ସାମରିକ ଘାଟିକୁ ଯାଇ ଚୀନ ସେନା (ପିଏଲଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜର ସମସ୍ତ ବୁଦ୍ଧି ଓ ବଳକୁ ଲଗାଇ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି । ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ମେରାଇନ ବାହିନୀର ପରିଦର୍ଶନ କରିବା ଅବସରରେ ସେ ସେନାକୁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଓ ସମ୍ପୂର୍ଣ୍ଣ ବିଶ୍ଵସ୍ତ ଓ ଭରସାଯୋଗ୍ୟ ରହିବାକୁ କହିଛନ୍ତି ।

ସୂଚନା ଅନୁଯାୟୀ, ଲଦାଖରେ ଗତ ୬ ମାସ ହେଲା ଚୀନ୍ ଓ ଭାରତୀୟ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ମଧ୍ୟରେ ଗତ କିଛିମାସ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ମିଳିପାରୁନାହିଁ । ଶେଷଥର ପାଇଁ ଗତ ମଙ୍ଗଳବାର ଉଭୟ ଦେଶ ମଧ୍ୟରେ ୧୧ ଘଣ୍ଟା ଧରି ଆଲୋଚନା ହୋଇଥିଲା । ମାତ୍ର ଏଥିରୁ ସମସ୍ୟା ସମାଧାନର କୌଣସି ପନ୍ଥା ମିଳିପାରିନାହିଁ । ଏପରିକି ଚୀନ ଏହି ଉତ୍ତେଜନା ପାଇଁ ଭାରତକୁ ଦାୟୀ କରୁଛି ।

google

ଉଲ୍ଲେଖଯୋଗ୍ୟ, ବାସ୍ତବିକ ନିୟନ୍ତ୍ରଣ ରେଖାରେ ମେ’ ମାସରୁ ଦୁଇ ଦେଶର ପ୍ରାୟ ୫୦ ହଜାର ସୈନିକ ନିୟୋଜିତ ଅଛନ୍ତି । ଏମିତିକି କିଛି ସ୍ଥାନରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ କେବଳ ୨୦୦ ମିଟରର ଦୂରତା ରହିଛି । ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି, ଯେକୌଣସି ସମୟରେ ଏକ ଛୋଟ କାରଣ ପାଇଁ ବଡ଼ ଧରଣର ସଂଘର୍ଷ ହେବାର ଭୟ ରହିଛି । ଅପରପକ୍ଷରେ ଆମେରିକା ଲଗାତାର ଭାବେ ଭାରତକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତାବ ରଖିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିୟୋ କିଛିଦିନ ପୂର୍ବେ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ନିଜ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଏହି ବିବାଦରେ ଭାରତ ଆମେରିକାକୁ ନିଜର ସହଯୋଗୀ ବନାଇବାର ଆବଶ୍ୟକତା ରହିଛି ।

Be the first to comment

Leave a Reply

Your email address will not be published.


*