ଏଣିକି ଦୁଷ୍କର୍ମ ଘଟଣାର ଦୋଷୀଙ୍କୁ ମିଳିବ ମୃତ୍ୟୁଦଣ୍ଡ : ମିଳିଲା କ୍ୟାବିନେଟ ମଞ୍ଜୁରୀ !

ଢାକା,୧୫/୧୦: ବ୍ୟାପକ ବିକ୍ଷୋଭ ପରେ ସୋମବାର ବାଂଲାଦେଶ କ୍ୟାବିନେଟ ଦୁଷ୍କର୍ମକାରୀଙ୍କ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାବାସରୁ ମୃତ୍ଯୁଦଣ୍ଡକୁ ବୃଦ୍ଧି କରିଛନ୍ତି। ଏହି ଦାଣ୍ଡରେ ପରିବର୍ତ୍ତନ ପାଇଁ ଏଠାରେ ନାଗରିକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ରଖିଥିଲେ। ଫଳରେ ବାଧ୍ୟ ହୋଇ ସରକାରଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି।

ସଂସଦରେ ଅଧିବେଶନ ଚାଲୁ ନଥିବାରୁ ଏବେ ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁ ଦମନ ନିବାରଣ ଅଧିନିୟମରେ ପରିବର୍ତ୍ତନ ଲାଗି ଏକ ଅଧ୍ୟାଦେଶ ଜାରି କରିବା ପାଇଁ ରାଷ୍ଟ୍ରପତି ଅବଦୁଲ ହମିଦଙ୍କୁ ଅନୁରୋଧ କରାଯିବ ବୋଲି କ୍ୟାବିନେଟ ପ୍ରବକ୍ତା ଖଣ୍ଡେକର ଅନୱାରୁଲ ଇସଲାମ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ଦୁଷ୍କର୍ମ ମାମଲାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବା ସପକ୍ଷରେ ମନ୍ତ୍ରୀମଣ୍ଡଳ ସହମତି ପ୍ରକାଶ କରିଛି। ଦେଶରେ ଏବେ ଦୁଷ୍କର୍ମ ଲାଗି ସର୍ବାଧିକ ଦଣ୍ଡ ଆଜୀବନ କାରାବାସ ରହିଛି। କେବଳ ପୀଡ଼ିତାଙ୍କ ମୃତ୍ଯୁ ହେଲେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରାବଧାନ ରହିଛି।

ଆଇନ ମନ୍ତ୍ରୀ ଅନିସୁଲ ହକ୍ କହିଛନ୍ତି, ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ଥାନୀୟ ମାନବାଧିକାର କର୍ମୀଙ୍କ ସୂଚନା ଅନୁଯାୟୀ ଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଛି। ଏ-ଓ-ସାଲିଶ ନାମକ ଏକ ମହିଳା ଅଧିକାର ଗୋଷ୍ଠୀ କହିଛି, ଜାନୁଆରୀରୁ ଅଗଷ୍ଟ ମଧ୍ୟରେ କେତେଗୁଡ଼ିଏ ଗଣଦୁଷ୍କର୍ମ ମାମଲା ସହ ମୋଟ ୮୮୯ ଦୁଷ୍କର୍ମ ହୋଇଛି। ଏଥିସହ ଅନ୍ୟୂନ ୪୧ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ହେଉଥିବା ଦୁଷ୍କର୍ମ ମାମଲା ଲୋକଲୋଚନକୁ ମଧ୍ୟ ଆସିପାରୁ ନାହିଁ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଦକ୍ଷିଣ-ପୂର୍ବ ଜିଲ୍ଲାରେ ହୋଇଥିବା ଏକ ଦୁଷ୍କର୍ମ ଘଟଣାର ଭିଡିଓ ଫେସବୁକରେ ସାର୍ବଜନୀନ କରାଯାଇଥିଲା। ଏହା ପରେ ଦେଶରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ମାନବାଧିକାର ଆୟୋଗଙ୍କ ଦ୍ୱାରା କରାଯାଇଥିବା ତଦନ୍ତରେ ତାଙ୍କୁ ବାରମ୍ବାର ବଳାତ୍କାର କରାଯାଇଥିବା ଜଣାପଡ଼ିଥିଲା। ଅନ୍ୟଏକ ଘଟଣାରେ ଜଣେ ମହିଳାଙ୍କୁ ଏକ କାରରେ ହଷ୍ଟେଲ ସାମ୍ନାରୁ ଉଠାଇ ନିଆଯାଇଥିଲା। ସେ ତାଙ୍କ ସ୍ୱାମୀଙ୍କ ସହ ଯାତ୍ରା କରୁଥିବାବେଳେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ଏହି ମାମଲାରେ ଶାସକ ଆୱାମୀ ଲିଗ ଛାତ୍ରସଂଘର କେତେଜଣ ନେତାଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା।

Be the first to comment

Leave a Reply

Your email address will not be published.


*