ଘରେ ଛାଡ଼ିଦେବେ କହି ବାଇକରେ ବସାଇଲେ : କୁକୁଡ଼ା ଫାର୍ମରେ ୨୨ ଦିନ ରଖି ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ !

କଟକ,୧୪/୧୦: ୨୨ଦିନ ଧରି ଏକ କୁକୁଡା ଫାର୍ମରେ ରଖି ଜଣେ ୧୫ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ କଟକ ଚାଇଲ୍ଡଲାଇନ ପକ୍ଷରୁ ଥାନାରେ ଏତଲା ଦାଏର କରାଯାଇଛି ।

ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ଚାଉଳିଆଗଞ୍ଜ ଥାନା ପୋଲିସ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ଗତିରାଉତପାଟଣାରୁ ଉଦ୍ଧାର କରି ଚାଇଲ୍ଡଲାଇନ୍‌ ଜିମା ଦେଇଥିଲେ । ଚାଇଲ୍ଡଲାଇନ୍‌ ପକ୍ଷରୁ ନାବାଳିକାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ସମ୍ମୁଖରେ ହାଜର କରାଯାଇଥିଲା । ସିଡବ୍ଲ୍ୟୁସି ଅଧ୍ୟକ୍ଷା ମନ୍ଦାକିନୀ ଜେମା, ସଦସ୍ୟ ଅମୀୟ ଭୂଷଣ ବିଶ୍ୱାଳ, ଚିତ୍ତରଞ୍ଜନ ମହାନ୍ତିଙ୍କୁ ନେଇ ଗଠିତ କମିଟି ନାବାଳିକାଙ୍କ ବୟାନ ରେକର୍ଡ କରିଥିଲେ । ଏହି ସମୟରେ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଥିଲେ ।

ପୀଡ଼ିତାଙ୍କ ବୟାନ ମୁତାବକ, ନାବାଳିକାଙ୍କ ଘର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ଅଞ୍ଚଳରେ । ତାଙ୍କ ବାପା ଦ୍ୱିତୀୟ ବିବାହ କରିବା ସହ ଘରେ ମଦ ପିଇ ସବୁବେଳେ ପାଟିତୁଣ୍ଡ କରନ୍ତି । ଏଥିରେ ଅତିଷ୍ଠ ହୋଇ ମାସକ ତଳେ ସେ ଘରୁ ପଳାଇ ଆସି କଟକ ପ୍ରଫେସରପଡାରେ ରହୁଥିବା ନିଜ ବଡ ଭଉଣୀଙ୍କ ପାଖରେ ରହୁଥିଲେ । ତେବେ ୨୨ଦିନ ପୂର୍ବେ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ନାବାଳିକାଙ୍କୁ ଘରକୁ ପଳାଇବାକୁ ତା’ଙ୍କ ବଡ ଭଉଣୀ କହିଥିଲେ । ଏହା ପରେ ସେ ଘରକୁ ଫେରିଯିବା ନିମନ୍ତେ ଓଏମ୍‌ପି ଛକ ନିକଟରେ ଗାଡିକୁ ଅପେକ୍ଷା କରିଥିଲେ । ଏହି ସମୟରେ ସେଠାରେ ଜଣେ ଅଜଣା ଯୁବକ ପହଞ୍ଚି ନାବାଳିକାଙ୍କ ସହିତ କଥାବାର୍ତ୍ତା କରିଥିଲେ । ସେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା । ଗାଡି ଆଉ ମିଳିବନି, ମୋ ବାଇକ୍‌ରେ ବସ, ମୁଁ ତୁମକୁ ଘରେ ଛାଡିଦେବି ବୋଲି ସେହି ଯୁବକ ଜଣକ ନାବାଳିକାଙ୍କୁ କହିଥିଲେ । ଯୁବକଙ୍କ କଥାରେ ବିଶ୍ୱାସ କରି ନାବାଳିକା ଜଣକ ବାଇକ୍‌ରେ ବସିଥିଲେ ।

ହେଲେ ନାବାଳିକାଙ୍କୁ ନେଇ ତାଙ୍କ ଘରେ ଛାଡ଼ିବା ପରିବର୍ତ୍ତେ ଯୁବକ ଜଣକ ଗତିରାଉତପାଟଣା ଠାରେ ଥିବା ନିଜ ସାଙ୍ଗର ଏକ କୁକୁଡା ଫାର୍ମକୁ ନେଇଯାଇଥିଲେ । ସେଠାରେ ସେ ପ୍ରଥମେ ନାବାଳିକାକୁ ଜୋର ଜବରଦସ୍ତ ଏକ ଘରେ ବନ୍ଦୀ କରି ରଖିଥିଲେ । ପରେ ଭୟଭୀତ କରାଇ ବଳାତ୍କାର କରିଥିଲେ । ବଳାତ୍କାର ସମୟର ଭିଡିଓକୁ ଯୁବକର ସାଙ୍ଗ ତଥା କୁକୁଡା ଫାର୍ମର ମାଲିକ ନିଜ ମୋବାଇଲ୍‌ରେ ରେକର୍ଡିଂ କରିଥିଲେ । ଏପରିକି ଦୁଇଜଣଙ୍କ ସହ ଶାରୀରିକ ସମ୍ପର୍କ ନ ରଖିଲେ ଉକ୍ତ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରଲ କରିବାକୁ ସେମାନେ ଧମକ ଦେଇଥିଲେ । ଏଭଳି ଦୁଇ ଜଣ ସାଙ୍ଗ ପ୍ରାୟ ୨୨ ଦିନକାଳ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ନାନା ନିର୍ଯାତନା ଦେଉଥିଲେ ।

ଦୁଇ ଅଭିଯୁକ୍ତ ପୂର୍ବରୁ ଏକାଧିକ ଝିଅଙ୍କୁ ଏଭଳି ବଳାତ୍କାର କରି ସେମାନଙ୍କ ଭିଡିଓ ରଖିଛନ୍ତି ବୋଲି ପୀଡ଼ିତା ସିଡ୍ଲବୁସି ଆଗରେ ଅଭିଯୋଗ କରିଛନ୍ତି । ତେବେ ସୁଯୋଗ ଦେଖି ନାବାଳିକା ଜଣକ ସେହି ଫାର୍ମରୁ ଖସି ପଳାଇ ଆସିଥିବା ପ୍ରକାଶ କରିଛନ୍ତି । ସେ ନିକଟସ୍ଥ ଏକ ହନୁମାନ ମନ୍ଦିର ପାଖରେ ବସିଥିବା ପୋଲିସ ଦେଖିବାକୁ ପାଇଥିଲା । ପରେ ପୋଲିସ ଟିମ୍‌ ନାବାଳିକାଙ୍କୁ ସୋମବାର ବିଳମ୍ବିତ ରାତିରେ ନେଇ ବିଡ଼ାନାସୀସ୍ଥିତ ବସୁନ୍ଧରାରେ ଛାଡ଼ିଥିଲା । ନାବାଳିକାଙ୍କ ବୟାନକୁ ଭିତ୍ତିକରି ସିଡବ୍ଲ୍ୟୁସି ପକ୍ଷରୁ ପୀଡ଼ିତାଙ୍କୁ ଥଇଥାନ କରିବା ପାଇଁ କୁହାଯିବା ସହ ଚାଇଲ୍ଡଲାଇନକୁ ଏତଲା ଦାଏର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଚାଇଲ୍‌ଡ୍‌ଲାଇନ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ସଂଯୋଜକ ନାରାୟଣ ଶୁକ୍ଳା ସୂଚନା ଦେଇଛନ୍ତି ।

Be the first to comment

Leave a Reply

Your email address will not be published.


*