ଖୁବଶୀଘ୍ର ହେବ ଦେଶୀ କରୋନା ଟିକାର ଅନ୍ତିମ ପରୀକ୍ଷଣ । ଜାଣନ୍ତୁ ସମ୍ପୁର୍ଣ୍ଣ ସୂଚନା…

ଦେଶ ତଥା ବିଶ୍ୱରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଲୋକମାନଙ୍କୁ କରୋନାର ଏକ ପ୍ରଭାବଶାଳୀ ଏବଂ ସୁରକ୍ଷିତ ଟିକାକୁ ଅପେକ୍ଷା ରହିଛି । ରୁଷ ଏବଂ ଚୀନ୍ ପରୀକ୍ଷାମୂଳକ ଭାବରେ ଲୋକଙ୍କୁ ଟିକା ଦେବା ଆରମ୍ଭ କରିଛନ୍ତି । ତେବେ ବିଶ୍ୱ ସ୍ତରରେ ଦୁନିଆଁ ସାରାର ଦେଶମାନେ ଏହି ଦୁଇ ଦେଶର ଟିକାର ସଫଳତାକୁ ଗ୍ରହଣ କରିନାହାଁନ୍ତି । ଅନ୍ୟପକ୍ଷରେ, ଭାରତ ସମେତ ଅନେକ ଦେଶରେ ଏହି ଟିକା ପାଇଁ ଶୀଘ୍ର କାମ କରାଯାଉଛି । ଭାରତର ଦେଶୀ କରୋନା ଟିକା କୋଭେକ୍ସିନ (COVAXIN)କୁ ଭାରତ ବାୟୋଟେକ୍ କମ୍ପାନୀ ଆଇସିଏମଆରର ସହଯୋଗରେ ପ୍ରସ୍ତୁତ କରୁଛି, ତାହା ସଫଳତାର ନିକଟତର ହୋଇଯାଇଛି । ଖବର ଅନୁଯାୟୀ, “COVAXIN”ର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ।

ଭାରତ ବାୟୋଟେକ୍ କମ୍ପାନୀ “COVAXIN”ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତୀୟ ଔଷଧ ନିୟାମକ ‘ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ’ଙ୍କ ଠାରୁ ଅନୁମୋଦନ ମାଗିଛି । ଡିସିଜିଆଇ (DCGI) କମ୍ପାନୀ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ବିଷୟରେ ତଥ୍ୟ ମାଗିଛି , ଯାହାଫଳରେ ଫଳାଫଳର ସମୀକ୍ଷା କରିବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମୋଦନ ଦିଆ ଯାଇପାରିବ । ନିକଟରେ ଭାରତ ବାୟୋଟେକ ଏଥିପାଇଁ ଆବେଦନ କରିଛି ।

ଅଧିକାରୀଙ୍କ କହିବାନୁସାରେ, ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନୀ ଅକ୍ଟୋବର ୨ ତାରିଖରେ ଡିସିଜିଆଇକୁ ଆବେଦନ ଦେଇ ନିଜ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମାଗିଛି । କମ୍ପାନୀର ଆବେଦନ ଅନୁଯାୟୀ, ଅନ୍ତିମ ପର୍ଯ୍ୟାୟର ଏହି ପରୀକ୍ଷଣରେ ୧୮ ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ ବୟସର ୨୮,୫୦୦ ଜଣ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି ।

କମ୍ପାନୀର ଆବେଦନ ଅନୁଯାୟୀ, ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ୧୦ଟି ରାଜ୍ୟର ୧୯ଟି ସ୍ଥାନରେ କରାଯିବ । ଏହି ସ୍ଥାନଗୁଡ଼ିକରେ ମୁମ୍ବାଇ, ଦିଲ୍ଲୀ, ପାଟଣା ଏବଂ ଲକ୍ଷ୍ନୌ ମଧ୍ୟ ଅନ୍ତର୍ଭୁକ୍ତ । ଖବର ଅନୁଯାୟୀ, “COVAXIN”ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏବେବି ଚାଲିଛି ଏବଂ କେତେକ ସ୍ଥାନରେ ସ୍ବେଚ୍ଛାସେବୀମାନଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯାଇ ନାହିଁ । ଜଣେ ଅଧିକାରୀ କହିଛନ୍ତି ଯେ କମ୍ପାନୀ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ଏବେ ପଯ୍ୟନ୍ତ ମଧ୍ୟବର୍ତ୍ତୀ ତଥ୍ୟ ସହିତ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଏକ ‘ପ୍ରୋଟୋକଲ’ ଦାଖଲ କରିଛି ।

ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ସିଡିଏସସିଓ (CDSCO)ର ବିଶେଷଜ୍ଞ କମିଟି ଏସଇସିଏସ (SECS) ୫ ଅକ୍ଟୋବରରେ ଆବେଦନ ଉପରେ ଆଲୋଚନା କରିଥିଲେ । କମିଟି ନିଜର ସୁପାରିଶରେ କହିଛି ଯେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ବନ୍ଧ ତଥ୍ୟର ଆଧାରରେ ଉପଯୁକ୍ତ ଡୋଜ୍ ସହିତ ଅଧ୍ୟୟନ ଆରମ୍ଭ କରାଯିବା ଉଚିତ ।କମ୍ପାନୀକୁ ଏପରି ଜରୁରୀ ତଥ୍ୟ ପ୍ରସ୍ତୁତ କରିବା ଉଚିତ ।

ଖବର ଅନୁଯାୟୀ, ସୁପାରିଶ କମିଟି ନିଜର ଆଲୋଚନା ସମୟରେ ଦର୍ଶାଇଛି ଯେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଜଡିତ ସମସ୍ତ ଗୋଷ୍ଠୀ ଟିକା ଡୋଜକୁ ସଠିକ୍ ଭାବରେ ସହ୍ୟ କରିଛନ୍ତି ଏବଂ ଏପର୍ଯ୍ୟନ୍ତ କୌଣସି ପ୍ରତିକୂଳ ଘଟଣା କିମ୍ବା ଗମ୍ଭୀର ଖରାପ ପ୍ରଭାବ ସାମ୍ନାକୁ ଆସିନାହିଁ । ସାଧାରଣତଃ ଟିକା ଦିଆଯାଇଥିବା ସ୍ଥାନରୁ ଯନ୍ତ୍ରଣା ହେବାର ଅଭିଯୋଗ ହୋଇଥିଲା । ଆଶା କରାଯାଉଛି ଯେ ଯଦି ସବୁକିଛି ଠିକ୍ ହୁଏ, ତେବେ ଏହି ସ୍ୱଦେଶୀ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ ।

ଏହା ଜଣା ଯେ ଦେଶରେ ତିନୋଟି କରୋନା ଟିକା ଦୌଡ଼ରେ ଆଗୁଆ ରହିଛି । କୋଭାକ୍ସିନ ବ୍ୟତୀତ ଅହମ୍ମଦାବାଦର କମ୍ପାନୀ ଜାୟଡସ କ୍ୟାଡିଲା ଦ୍ୱାରା ବିକଶିତ କରା ଯାଉଥିବା ଟିକା ଜାଇକୋଭ-ଡି ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଦେଇ ଯାଉ ଥିବାବେଳେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନେକା କମ୍ପାନୀ ଦ୍ୱାରା ବିକଶିତ ହୋଇଥିବା ଟିକା ମଧ୍ୟ ପରୀକ୍ଷଣରେ ପ୍ରଭାବଶାଳୀ ପ୍ରମାଣିତ ହେଉଛି । ଭାରତୀୟ ଅଗ୍ରଣୀ ଟିକା ଉତ୍ପାଦନକାରୀ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ ଏହାକୁ କୋଭିଶିଲ୍ଡ ନାମରେ ଲଞ୍ଚ କରିବାକୁ ଯାଉଛି ।

Be the first to comment

Leave a Reply

Your email address will not be published.


*